ସର୍ବସମ୍ମୁଖରେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ଘଟଣାରେ ପୁଲିସ କର୍ମଚାରୀ ନିଲମ୍ବିତ

ବୌଦ୍ଧ:  ପୁଲିସ୍ ସମ୍ମୁଖରେ ଜଣେ ଯୁବକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ନିସ୍ତୁକ ମାଡ଼ ମାରୁଛନ୍ତି ଆଉ ଜଣେ ପୁଲିସ କର୍ମଚାରୀ । ଏଭଳି ଭିଡିଓ ଏବେ ଭାଇରାଲ ହୋଇଛି ସୋସିଆଲ ମିଡିଆରେ । ଫେସବୁକରୁ ଆରମ୍ଭ କରି ହ୍ୱାଟସପରୁ ହ୍ୱାଟସପକୁ ଘୁରିବୁଲୁଛି ଏହି ଭିଡିଓ । ଭାଇରାଲ ହେଉଥିବା ଦୃଶ୍ୟରେ ଦେଖିବାକୁ ମିଳୁଛି ଏକ ମୋଟା ପ୍ଲାଷ୍ଟିକ ପାଇପ ଧରି ସାଦା ପୋଷାକ ପିନ୍ଧିଥିବା ପୁଲିସ କର୍ମଚାରୀ ଜଣକ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ଚାଲିଛନ୍ତି । ଉକ୍ତ କର୍ମଚାରୀ ଜଣକ ହେଲେ ରଞ୍ଜନ ମହାପାତ୍ର । ସେ ରିଜର୍ଭ ପୁଲିସ କାର୍ଯ୍ୟାଳୟରେ କନେଷ୍ଟବଳଭାବେ କାର୍ଯ୍ୟ କରନ୍ତି ।

ସର୍ବସମ୍ମୁଖରେ ପୁଲିସର ଦବଙ୍ଗଗିରି କେତେଦୂର ଯୁକ୍ତିଯୁକ୍ତ । ସବୁଠାରୁ ବଡ଼ିମ୍ବନାର ବିଷୟ ହେଲା ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସମୟରେ ସବୁ ଘଟଣା ଦେଖୁଛନ୍ତି ପାଖରେ ଥିବା ଦୁଇଜଣ ପୁଲିସ କର୍ମଚାରୀ । ଆଉ ପାଖରେ ବି ରହିଛି ପିସିଆର ଭ୍ୟାନ । ହେଲେ କେହି ବି ପ୍ରତିବାଦ କରୁନାହାନ୍ତି । ସୋସିଆଲ ମିଡିଆରେ ଏନେଇ ଏକ ଭିଡିଓ ଭାଇରାଲ୍ ହେବା ପରେ ଉକ୍ତ କନଷ୍ଟେବଳଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ଜଣାଯାଇଛି।

ବିଚ ବଜାରରେ ପୁଲିସର ଏଭଳି ଉନ୍ମତ୍ତ କାଣ୍ଡକୁ ସାଧାରଣରେ ନିନ୍ଦା କରାଯାଇଥିବାବେଳେ ଯୁବକଙ୍କୁ କାହିଁକି ପୁଲିସ କର୍ମଚାରୀ ଜଣକ ପିଟୁଛନ୍ତି , ତାହା ତଦନ୍ତ ସାପେକ୍ଷ ।

ସମ୍ବନ୍ଧିତ ଖବର