ପୁଲିସ୍‌ ମାଡ଼ରେ କଲେଜ ଛାତ୍ର ଲହୁଲୁହାଣ

ଆନନ୍ଦପୁର : ଗାଡି ଯାଞ୍ଚ ବେଳେ ପୁଲିସ୍‌ର ଠେଙ୍ଗା ମାଡ଼ରେ ଜଣେ କଲେଜ ଛାତ୍ର ଲହୁଲୁହାଣ ହେବା ନେଇ ଆନନ୍ଦପୁରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାଡ ଖାଇଥିବା ଛାତ୍ର ଏ ନେଇ ଆନନ୍ଦପୁର ଥାନାରେ ଏତଲା ଦେବା ପରେ ଅଡୁଆରେ ପଡିଯାଇଛି ପୁଲିସ।

ସୂଚନା ଅନୁସାରେ, ଆଜି ଦିନ ବେଳା ଆନନ୍ଦପୁର ବ୍ରିଜ ଛକ ନିକଟରେ ଗାଡ଼ି ଯାଞ୍ଚ ଚାଲିଥିଲା। ଏହି ସମୟରେ ସ୍ଥାନୀୟ ସାଇ କଲୋନି ବାସିନ୍ଦା ଶିକ୍ଷକ ନୀରଜ ପଟ୍ଟନାୟକଙ୍କ ପୁଅ ତଥା ବାତୋ କଲେଜରେ ଯୁକ୍ତ ୨ ପଢୁଥିବା ଜ୍ୟୋତିରଂଜନ ପଟ୍ଟନାୟକ ତାଙ୍କ ସାଙ୍ଗ ସହିତ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ପୁଲିସ୍‌ ତାଙ୍କୁ ଅଟକାଇଥିଲା। ଜ୍ୟୋତି ରହିବାକୁ ଯାଉଥିବା ବେଳେ ଜଣେ ପୁଲିସ୍‌ କର୍ମଚାରୀ ତାଙ୍କୁ ହଠାତ୍‌ ଗାଳିଗୁଲଜ କରିବା ସହ ଠେଙ୍ଗାରେ ଅତର୍କିତ ପ୍ରହାର କରିଥିଲେ।

ଠେଙ୍ଗା ମାଡ଼ରେ ତାଙ୍କର ମୁହଁ, ନାକ ଫାଟିଯିବା ସହିତ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ସେଠାରୁ ଘରକୁ ପଠାଇ ଦିଆଯାଇଥିଲା। ଘର ଲୋକ ଜ୍ୟୋତିଙ୍କୁ ଡାକ୍ତରଖାନା ଆଣିବା ସହିତ ଘଟଣା ସଂପର୍କରେ ଉପଖଣ୍ଡ ପୁଲିସ୍‌ ଅଧିକାରୀ ଅମୂଲ୍ୟ ରାଉତରାୟଙ୍କୁ ଭେଟି ଜଣାଇଥିଲେ। ଅଜାଣତରେ ଠେଙ୍ଗା ବାଜି ଯାଇଥିବ କହି ଏସ୍‌ଡିପିଓ ଘଟଣାର ତଦନ୍ତ କରାଯିବ ବୋଲି କହିଥିଲେ। ପରେ ଏ ନେଇ ଜ୍ୟୋତି ଆନନ୍ଦପୁର ଥାନାରେ ଏତଲା ଦେଇଥିଲେ। ପୁଲିସ୍‌ର ଏଭଳି ଅମାନୁଷିକ କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଥିବା ବେଳେ ସଂପୃକ୍ତ ପୁଲିସ୍‌ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର