ପୁଲିସ-ବିଏସ୍‌ଏଫ୍‌-ସିଆର୍‌ପିଏଫ୍‌ ସମନ୍ୱୟ ବୈଠକ : ମାଓ ଦମନ ଓ ଆଇନଶୃଙ୍ଖଳା ଉପରେ ଗୁରୁତ୍ୱ

କୋରାପୁଟ : ମାଓବାଦୀଙ୍କ ସ୍ଥିତି ‌ଦୋହଲି ଗଲାଣି। କିଛି କିଛି ସ୍ଥାନରେ ସେମାନଙ୍କ ଗତବିଧି ରହିଛି। ଏହାକୁ ସୁଯୋଗ ଭାବି ମାଓ ଦମନ ଅଭିଯାନକୁ ତ୍ବରାନ୍ବିତ କରିବା ପାଇଁ ପୁଲିସ ନିଷ୍ପତ୍ତି ନେଇଛି। ଆଜି କୋରାପୁଟରେ ରାଜ୍ୟ ପୁଲିସ ସହ ବିଏସ୍‌ଏଫ୍‌, ସିଆର୍‌ପିଏଫ୍‌ ଓ କୋବ୍ରାର ବରିଷ୍ଠ ଅଧିକାରୀମାନେ ଏକାଠି ବସି ମାଓ ଦମନ ରଣନୀତି ପ୍ରସ୍ତୁତ କରିଛନ୍ତି। ଦକ୍ଷିଣ-ପଶ୍ଚିମାଞ୍ଚଳ ରେଂଜ୍‌ର ସମସ୍ତ ବରିଷ୍ଠ ପୁଲିସ ଅଧିକାରୀ ବୈଠକରେ ଯୋଗ ଦେଇଥିଲା ବେଳେ ମାଓବାଦୀଙ୍କ ବନ୍ଦ ପାଳନକୁ ନେଇ ସଜାଗ ରହିବାକୁ କୁହାଯାଇଛି।

କୋରାପୁଟ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଂଜ ଡିଆଇଜି ସଫିନ ଅହମ୍ମଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁଲିସ, ବିଏସ୍‌ଏଫ୍‌, ସିଆର୍‌ପିଏଫ୍‌ ଓ କୋବ୍ରା ବାହିନୀର ମିଳିତ ସମନ୍ବୟ ବୈଠକରେ ବିଏସ୍‌ଏଫ୍‌ ଓ ସିଆର୍‌ପିଏଫ୍‌ର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସମେତ ରେଂଜ୍‌ର ସମସ୍ତ ଏସ୍‌ପି ଉପସ୍ଥିତ ଥିଲେ। ବୈଠକରେ ମାଓ ଗତିବିଧି ନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ଏହି ଅଂଚଳରେ ମାଓ କାର୍ଯ୍ୟକଳାପ ଏବେ ହ୍ରାସ ପାଇଛି। ଆଗ ଭଳି ଆଉ ସେମାନଙ୍କ ଉତ୍ପାତ ନାହିଁ। ସ୍ଥିତି ନିୟନ୍ତ୍ରଣରେ ରହିଥିଲା ବେଳେ ମାଓବାଦୀଙ୍କ ଶକ୍ତି ବି କମିଛି। ତେଣୁ ଏହାର ଫାଇଦା ନେଇ ମାଓ ଦମନ ରଣନୀତିକୁ ଜୋରଦାର କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଗୁଇନ୍ଦା ବିଭାଗକୁ ସୁଦୃଢ଼ କରାଯିବ। ମାଓବାଦୀଙ୍କ ଗତିବିଧି ଉପରେ କଡା ନଜର ରଖି ଠିକଣା ସମୟରେ ଅପରେସନ କରିବାକୁ ସ୍ଥିର ହୋଇଛି। ଏଥିପାଇଁ ପୁଲିସ ସହିତ ବିଏସ୍‌ଏଫ୍‌, ସିଆର୍‌ପିଏଫ୍‌ଙ୍କ ଉତ୍ତମ ସମନ୍ବୟ ରହିବା ଉପରେ ଗୁରୁତ୍ବ ଦିଆଯାଇଛି। ସମସ୍ତେ ମିଳିମିଶି ମାଓ ଦମନ ଅଭିଯାନକୁ ଆଗକୁ ନେବେ। ଏଥିପାଇଁ ଗୁଇନ୍ଦା ସୂଚନାର ଆଦାନପ୍ରଦାନ ଓ ସମ୍ବେଦନଶୀଳ ଅଂଚଳରେ ନଜର ରଖିବାକୁ ପ୍ରାଥମିକତା ଦିଆଯାଇଛି। କୋରାପୁଟ ରେଂଜ୍‌ର ସମସ୍ତ ଏସପି ଆଜିର ବୈଠକରେ ଯୋଗ ଦେଇଥିଲା ବେଳେ ଏହି ଅଂଚଳର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମଧ୍ୟ ଆଲୋଚନା କରାଯାଇଥିଲା।

ଆଜିର ବୈଠକ ପରେ ଡିଆଇଜି ସଫିନ ଅହମ୍ମଦ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟ ପୁଲିସ ସହିତ ବିଏସଏଫ ଓ ସିଆରପିଏଫଙ୍କ ଉତ୍ତମ ସମନ୍ବୟ କିପରି ରହିପାରିବ ସେ ଦିଗରେ ଆଲୋଚନା ହୋଇଛି। ଆଗକୁ ସମସ୍ତେ ସମନ୍ବୟ ରଖି ମାଓ ଦମନ ଅଭିଯାନକୁ ତ୍ବରାନ୍ବିତ କରିବେ। ଏଥିପାଇଁ ଗୁଇନ୍ଦା ସୂଚନାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ସେହିପରି ଆଗକୁ ମାଓବାଦୀମାନେ ବନ୍ଦ ଡାକରା ଦେଇଥିବାରୁ ଏଥିପ୍ରତି ସଜାଗ ରହିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ଆଜିର ବୈଠକରେ ବିଏସଏଫ ଡିଆଇଜି ପି.କେ. ମିଶ୍ର, ଡିଆଇଜି ଏସ.ପିଏସ. ସାନ୍ଧୁ, କମାଣ୍ଡାଣ୍ଟ ସଜ୍ଜନ ସିଂହ, ଦୀପକ କୁମାର କନ୍ଧପା‌ଲ, କୋବ୍ରା କମାଣ୍ଡାଣ୍ଟ ଏସ.ପି. ସିଂହ, କୋରାପୁଟ ଏସପି ମୁକେଶ କୁମାର ଭାମୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର