ରାଜ୍ୟ କ୍ଷମତାକୁ ଚୋଟ: ପୋଲିସ ଡିଜି ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେବ ୟୁପିଏସ୍‌ସି

0 360

ନୂଆଦିଲ୍ଲୀ: ରାଜ୍ୟ ପୋଲିସ ମହାନିର୍ଦେଶକ (ଡିଜି) ନିଯୁକ୍ତି ନେଇ ସୁପ୍ରିମ କୋର୍ଟ ଆଜି କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶନାମା ଜାରି କରିଛନ୍ତି। ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି ଯେ ରାଜ୍ୟ ସରକାର କୌଣସି ପରିସ୍ଥିତିରେ ଅସ୍ଥାୟୀ ବା କାର୍ଯ୍ୟକାରୀ ପୋଲିସ ଡିଜି ନିଯୁକ୍ତ କରିପାରିବେ ନାହିଁ। ନୂଆ ଡିଜି ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପସନ୍ଦକୁ ମଧ୍ୟ ସୀମିତ କରି ଦିଆଯାଇଛି। ରାଜ୍ୟ ସରକାର ମନଇଚ୍ଛା ନିଯୁକ୍ତି ଦେଇପାରିବେ ନାହିଁ। ୟୁପିଏସ୍‌ସି ଜରିଆରେ ଏହି ନିଯୁକ୍ତି ପ୍ରକ୍ରିୟା ସଂପନ୍ନ ହେବ। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏଏମ୍‌ ଖାନଓ୍ଵିଲକର ଏବଂ ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୁଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ପୋଲିସ ସଂସ୍କାର ମାମଲାର ବିଚାର କରି ଏଭଳି ନିର୍ଦେଶନାମା ଜାରି କରିଛନ୍ତି। ପୋଲିସ ବ୍ୟବସ୍ଥାକୁ ରାଜନୈତିକ ପ୍ରଭାବରୁ ମୁକ୍ତ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ପୋଲିସ ଡିଜି ନିଯୁକ୍ତିରେ ରାଜ୍ୟ ସରକାରଙ୍କ କ୍ଷମତାରେ ଅଙ୍କୁଶ ଲଗାଇଛନ୍ତି। ଡିଜି ନିଯୁକ୍ତି ନେଇ ସୁପ୍ରିମ କୋର୍ଟ କେତେକ ସର୍ତ ଆରୋପ କରିଛନ୍ତି। ସର୍ତ ମୁତାବକ ଡିଜି ଅବସର ନେବାର ତିନି ମାସ ପୂର୍ବରୁ ନୂଆ ଡିଜି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ଦରକାର। ରାଜ୍ୟ ସରକାର ଏଥିପାଇଁ କିଛି ବରିଷ୍ଠ ପୋଲିସ ଅଧିକାରୀଙ୍କ ନାମ ୟୁପିଏସ୍‌ସି (ୟୁନିଅନ୍‌ ପବ୍ଲିକ ସର୍ଭିସ କମିସନ)କୁ ପଠାଇବେ। କମିସନ ସେଥିମଧ୍ୟରୁ ତିନି ଜଣଙ୍କ ନାମ ସର୍ଟଲିଷ୍ଟ୍‌ କରି ରାଜ୍ୟ ସରକାରଙ୍କୁ ପଠାଇବେ। ଏହି ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ ସରକାର ଡିଜି ରୂପେ ନିଯୁକ୍ତ ଦେବେ। ଡିଜିଙ୍କର କାର୍ଯ୍ୟକାଳ ଅତିକମରେ ଦୁଇ ବର୍ଷ ହେବା ଦରକାର। ଏହି ପ୍ରକ୍ରିୟା ମାନିବାକୁ ସରକାର ବାଧ୍ୟ ବୋଲି ସୁପ୍ରିମ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ପୋଲିସ ଅଧିକାରୀ ନିଯୁକ୍ତିରେ ପାରଦର୍ଶିତା ପାଇଁ ପୂର୍ବତନ ଆଇପିଏସ୍‌ ଅଧିକାରୀ ପ୍ରକାଶ ସିଂହଙ୍କ ପିଟିସନକୁ ଆଧାର କରି ୨୦୦୬ରେ ସୁପ୍ରିମ କୋର୍ଟ ରାୟ ଦେଇଥିଲେ । ଏଥିରେ କିଛି ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କ ଅନୁରୋଧକୁ ବିଚାର କରି ଜଷ୍ଟିସ ମିଶ୍ରଙ୍କ ବେଞ୍ଚ ଆଜି ଏହି ନିର୍ଦେଶନାମା ଜାରି କରିଛନ୍ତି। ଶୁଣାଣି ବେଳେ ଆଟର୍ଣ୍ଣି ଜନେରୋଲ କେକେ ବେଣୁଗୋପାଲ ଅଭିଯୋଗ କରିଥିଲେ ଯେ ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ ଏବଂ କର୍ଣ୍ଣାଟକକୁ ଛାଡ଼ିଦେଲେ ଅନ୍ୟ କୌଣସି ରାଜ୍ୟ ସୁପ୍ରିମ କୋର୍ଟଙ୍କ ୨୦୦୬ ରାୟକୁ କାର୍ଯ୍ୟକାରୀ କରୁ ନାହାନ୍ତି। ଅଧିକାରୀଙ୍କ ଅବସର ପାଇଁ କିଛି ଦିନ ବାକି ଥିବା ବେଳେ ସେମାନଙ୍କୁ ଯେପରି ଡିଜି ନିଯୁକ୍ତ କରାଯାଉଛି ତାହାକୁ ନେଇ ସେ ଆପତ୍ତି ଉଠାଇଥିଲେ। ଆଜି ନିର୍ଦେଶନାମା ଜାରି କରିବା ସମୟରେ ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି ଯେ ଅବସର ପାଇଁ ଯେତେଦିନ ବାକି ଥିଲେ ମଧ୍ୟ ଡିଜିଙ୍କ କାର୍ଯ୍ୟକାଳ ଅତିକମରେ ଦୁଇ ବର୍ଷ ରହିବ। ତେବେ ଅବସର ଗ୍ରହଣ କରିବାକୁ ଯାଉଥିବା ଅଧିକାରୀଙ୍କୁ ଏହି ପଦରେ ନିଯୁକ୍ତି ଦେବାରୁ ସରକାର ବିରତ ରହିବା ଆବଶ୍ୟକ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.