ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ଶପଥ ଗ୍ରହଣ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ପଦର୍ଶନୀ ପଡ଼ିଆରେ କରାଯାଉଛି ବ୍ୟପକ ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ଓଡିଶାରେ ନୂଆ ସରକାର ଶପଥ ନେବ । ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ନବୀନ ଶପଥ ଗ୍ରହଣ କରିବା ପରେ ବକେୟା ରହି ଯାଇଥିବା କାଳିଆ ଯୋଜନାର ହିତାଧିକାରୀଙ୍କୁ ସେମାନଙ୍କୁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଦେବା ସହ ରାଜ୍ୟ ଯୁବଗୋଷ୍ଠୀ ଓ ରାଜ୍ୟ ପାଇଁ ଅନେକ କିଛି ନୂତନ ଯୋଜନାର ଘୋଷଣା କରି ପାରନ୍ତି ରାଜ୍ୟରାଜନୈତିକ ମହଲରେ ଚର୍ଚ୍ଚା ଓ ଆଲୋଚନା ଚାଲିଛି।

ତେବେ ଭୁବନେଶ୍ୱରର ଇଡକୋ ପ୍ରଦର୍ଶନୀ ପଡିଆରେ ଏହି ଶପଥ ଗ୍ରହଣ ସମାରୋହ ଉତ୍ସବ ହେବ । ଏହି ଉତ୍ସବରେ ବହୁ ଶିଳ୍ପପତିଙ୍କ ସମେତ ଦେଶର ବଡ ବଡ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୫ ହଜାରରୁ ଉର୍ଦ୍ଧ ଲୋକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଇଡକୋ ଗ୍ରାଉଣ୍ଡର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ ଡିଜି । ଡିଜି କହିଛନ୍ତି ପୁଲିସ କମିଶନର ସତ୍ୟଜିତ ମହାନ୍ତିଙ୍କୁ ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱ ଦିଆଯାଇଛି । ଏହା ସହିତ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି। ଇଡକୋ ପ୍ରଦର୍ଶନୀ ପଡିଆର ନିକଟରେ ଥିବା ବଡ ବଡ କୋଠାଗୁଡିକୁ ସୁରକ୍ଷା ଦୃଷ୍ଟିରୁ ନିଜ ଦାୟିତ୍ୱକୁ ନିଆଯିବ ବୋଲି ପୁଲିସ ଡିଜି କହିଛନ୍ତି । ଏହା ସହିତ ଯେପରି ଟ୍ରାଫିକ୍‌ ସମସ୍ୟା ଦେଖା ନଦିଏ, ସେଥିପ୍ରତି ଅଧିକ ପ୍ରାଥମିକତା ଦିଆଯିବ ବୋଲି ଡିଜି କହିଛନ୍ତି ।

ଅନ୍ୟପଟେ, ୫ମ ପାଳିର ଏହି ଶପଥ ଗ୍ରହଣ ଉତ୍ସବ ଯେପରି ସମସ୍ତଙ୍କ ମନରେ ରହିବ ସେଥିପାଇଁ ରାଜ୍ୟ ସରକାରଙ୍କଠାରୁ ପୁଲିସ ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରାଯାଇଛି। ପ୍ରବଳ ଖରା ହେଉଥିବାରୁ ପ୍ରଦର୍ଶନୀ ପଡ଼ିଆର ପ୍ରାୟ ଅଧା ଅଞ୍ଚଳରେ ଶୀତତାପ ନିୟନ୍ତ୍ରିତ ଟେଣ୍ଟ ବାନ୍ଧିବାକୁ ନିଷ୍ପତ୍ତି ହୋଇଛି। ୨୦ରୁ ଅଧିକ ଏଲ୍‌ଇଡି ସ୍କ୍ରିନ୍‌ ଲାଗିବ। ଏହାସହ ରାଜଧାନୀର ବିଭିନ୍ନ ସ୍ଥାନରେ ଶପଥ ଗ୍ରହଣ ଉତ୍ସବର ଲାଇଭ୍‌ ଟେଲିକାଷ୍ଟ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବ ପାଇଁ ଏଠାରେ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ପକ୍ଷରୁ ଗଦା ହୋଇଥିବା ଗଛ ଓ ଡାଳଗୁଡ଼ିକୁ ଶୁକ୍ରବାରଠାରୁ ଖାଲି କରାଯାଇଛି। ପ୍ରାୟ ୫୦ରୁ ଅଧିକ ଟ୍ରକ୍‌ ଓ ଜେସିବି ଲାଗି ଏହି ସବୁଜ ଆବର୍ଜନାଗୁଡ଼ିକୁ ଡମ୍ପିଂୟାର୍ଡକୁ ବୁହାଯାଉଛି। ଶପଥ ଗ୍ରହଣ ଉତ୍ସବ ପ୍ରସ୍ତୁତିରେ ଯେପରି କୌଣସି ସମସ୍ୟା ନରହେ ସେଥିପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧିତ ଖବର