ଶପଥ ଉତ୍ସବ ଜଗିବ ସିସିଟିଭି: ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପାଇଁ ପ୍ରଦର୍ଶନୀ ପଡିଆରେ ସୁରକ୍ଷା ସମୀକ୍ଷା କଲେ ପୁଲିସ ଡିଜି

ଭୁବନେଶ୍ୱର : ଆସନ୍ତା ୨୯ତାରିଖରେ ଓଡିଶାରେ ଶପଥ ନେବେ ନୂଆ ସରକାର । ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ । ଭୁବନେଶ୍ୱରର ଇଡକୋ ପ୍ରଦର୍ଶନୀ ପଡିଆରେ ଏହି ଶପଥ ଗ୍ରହଣ ସମାରୋହ ଉତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବରେ ବହୁ ଶିଳ୍ପପତିଙ୍କ ସମେତ ଦେଶର ବଡ଼ ବଡ଼ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମାରୋହରେ ୫ହଜାରରୁ ଅଧିକ ଲୋକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଇଡକୋ ଗ୍ରାଉଣ୍ଡର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଡିଜି କହିଛନ୍ତି, ପୁଲିସ କମିଶନର ସତ୍ୟଜିତ ମହାନ୍ତିଙ୍କୁ ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱ ଦିଆଯାଇଛି । ଏହା ସହିତ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ, ୫ମ ପାଳିର ଏହି ଶପଥ ଗ୍ରହଣ ଉତ୍ସବ ଯେପରି ସମସ୍ତଙ୍କ ମନରେ ରହିବ ସେଥିପାଇଁ ରାଜ୍ୟ ସରକାରଙ୍କଠାରୁ ପୁଲିସ ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରାଯାଇଛି । ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇବୋ ପ୍ରବଳ ଖରା ହେଉଥିବାରୁ ପ୍ରଦର୍ଶନୀ ପଡ଼ିଆର ପ୍ରାୟ ଅଧା ଅଞ୍ଚଳରେ ଶୀତତାପ ନିୟନ୍ତ୍ରିତ ଟେଣ୍ଟ ବାନ୍ଧିବାକୁ ନିଷ୍ପତ୍ତି ହୋଇଛି । ୨୦ରୁ ଅଧିକ ଏଲ୍‌ଇଡି ସ୍କ୍ରିନ୍‌ ଲାଗିବା ସହ ରାଜଧାନୀର ବିଭିନ୍ନ ସ୍ଥାନରେ ଶପଥ ଗ୍ରହଣ ଉତ୍ସବର ଲାଇଭ୍‌ ଟେଲିକାଷ୍ଟ କରିବାକୁ ନିଷ୍ପତ୍ତି ନିଆ ଯାଇଛି ।


ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବ ପାଇଁ ଏଠାରେ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ପକ୍ଷରୁ ଗଦା ହୋଇଥିବା ଗଛ ଓ ଡ଼ାଳଗୁଡ଼ିକୁ ଶୁକ୍ରବାରଠାରୁ ଖାଲି କରାଯାଉଛି । ପ୍ରାୟ ୫୦ରୁ ଅଧିକ ଟ୍ରକ୍‌ ଓ ଜେସିବି ଲାଗି ଏହି ସବୁଜ ଆବର୍ଜନାଗୁଡ଼ିକୁ ରାସ୍ତାରୁ ଡମ୍ପିଂୟାର୍ଡକୁ ବୁହାଯାଉଛି । ଶପଥ ଗ୍ରହଣ ଉତ୍ସବ ପ୍ରସ୍ତୁତିରେ ଯେପରି କୌଣସି ସମସ୍ୟା ନରହେ ସେଥିପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧିତ ଖବର