ରାୟଗଡ଼ାରେ ପୁଲିସ ମହାନିର୍ଦେଶକ

୪ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା

ରାୟଗଡ଼ା : ରାଜ୍ୟ ପୁଲିସ୍‌ ମହାନିର୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଆଜି ରାୟଗଡ଼ାଠାରେ ନକ୍ସଲ ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ୪ ଟି ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ରାୟଗଡା ଜିଲ୍ଲା ନିୟମଗିରି ଅଞ୍ଚଳର ସକଟାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଡିଭିଏଫ ଯବାନ ସଂଜୟ ମାଝୀ ସହିଦ ହେବା ଘଟଣାକୁ ରାଜ୍ୟ ଗୃହ ବିଭାଗ ଗୁରୁତର ସହ ଗ୍ରହଣ କରିଛିି। ଏହି ଘଟଣାର ୪୮ଘଣ୍ଟା ନପୂରୁଣୁ ଆଜି ପୂର୍ବାହ୍ନରେ ଅଚାନକ ପୁଲିସ ମହାନିର୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା, ଏଡ଼ିଜି (ଅପରେସନ) ଆର.ପି କୋଚେ, ଗୁଇନ୍ଦା ବିଭାଗ ଏଡ଼ିଜି ଆର.କେ ଶର୍ମା, ଏସଆଇଡ୍‌ବ୍ଲ୍ୟ ଏଡ଼ିଜି ଘନଶ୍ୟାମ ଉପାଧ୍ୟାୟ ପ୍ରମୁଖ ହେଲିକପ୍ଟରରେ ଜେକେ ହେଲିପ୍ୟାଡରେ ଓହ୍ଲାଇଥିଲେ। ସେଠାରୁ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ ରାୟଗଡା ସମେତ କୋରାପୁଟ, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଜିଲ୍ଲାରେ ମାଓବାଦୀଙ୍କ ସ୍ଥିତି ଓ ଗତିବିଧି ସଂପର୍କରେ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡ଼ିଆଇଜି ଏସ.ସାଇନି, ରାୟଗଡ଼ା ଏସପି ରାହୁଲ ପି.ଆର, କୋରାପୁଟ ଏସପି କେ.ବି ସିଂ, କନ୍ଧମାଳ ଏସପି, ସିଆରପିଏଫ ଡ଼ିଆଇଜି ହରିଜିନ୍ଦର ସିଂହ, ଏସଓଜି କମାଣ୍ଡାଣ୍ଟ, ରାୟଗଡ଼ା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର