ଗୁରୁପ୍ରିୟା ସେତୁର ସୁରକ୍ଷା ଯାଞ୍ଚ କଲେ ଡିଜି

ମାଲକାନଗିରି/ଚିତ୍ରକୋଣ୍ଡା : ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ପାଇଁ ପୂର୍ବରୁ ନିର୍ଧାରିତ ତାରିଖକୁ ବାତିଲ କରାଯାଇଥିବା ବେଳେ ନୂଆ ତାରିଖ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରି ନାହିଁ। ଅଳ୍ପ ଦିନ ମଧ୍ୟରେ ଏହି ବହୁ ପ୍ରତୀକ୍ଷିତ ସେତୁ ଉଦ୍‌ଘାଟନ ହେବ ବୋଲି କୁହାଯାଉଛି। କିନ୍ତୁ, ସେତୁ ଉଦ୍‌ଘାଟନ ପୂର୍ବରୁ ଏହାର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି ପୁଲିସ ଡିଜି ଡା.ଆର.ପି ଶର୍ମା।

ଆଜି ଅପରାହ୍ନରେ ଡିଜି ଡା. ଶର୍ମା କୋରାପୁଟରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଜାନବାଇ ଘାଟରେ ପହଞ୍ଚିଥିଲେ। ତାଙ୍କ ସହ ଇଣ୍ଟେଲିଜେନ୍‌ସ ବିଭାଗ ନିର୍ଦେଶକ ସୁନୀଲ ରାୟ, ସ୍ୱତନ୍ତ୍ର ଗୁଇନ୍ଦା ବିଭାଗ ଆଇଜି ଘନଶ୍ୟାମ ଉପାଧ୍ୟାୟ, ଗୁଇନ୍ଦା ଆଇଜି ଆର.କେ ଶର୍ମା, ଏସଓଜି କମାଣ୍ଡାଣ୍ଟ ଅନିରୁଦ୍ଧ ସିଂହ, ଆଇଜି ଅପରେସନ ଆର୍‌.ପି.କୋଚେ ସେତୁରେ କିଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୁଲି ଦେଖିଥିଲେ।

ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓ ଅଧ୍ୟୁଷିତ ଅଞ୍ଚଳରେ ଏହି ସେତୁକୁ ଉଦ୍‌ଘାଟନ କରିବାକୁ ଯାଉଥିବାରୁ ଏବଂ ସେତୁ ନିର୍ମାଣର ପ୍ରଥମରୁ ହିଁ ନକ୍ସଲ ବିରୋଧ କରିଆସୁଥିବାରୁ କୌଣସି ଅଘଟଣକୁ ଏଡାଇବା ପାଇଁ ପୁଲିସ ଏବଂ ବିଏସ୍‌ଏଫ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିପାଇଁ ଘନ ଘନ ବୈଠକ ଚାଲୁରହିଛି। ଆଜି ମଧ୍ୟ ଏକ ରୁଦ୍ଧଦ୍ୱାର ବୈଠକ କରାଯାଇଥିଲା।

ପୋଲିସ ଡିଜି ଡା. ଶର୍ମାଙ୍କ କହିଛନ୍ତି ଯେ, ଅଳ୍ପ ଦିନ ମଧ୍ୟରେ ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ହେବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଜାନବାଇ ଘାଟର ଉଭୟ ପଟେ ବିଏସ୍‌ଏଫ୍‌ କ୍ୟାମ୍ପ ରହିଛି। ପ୍ରତ୍ୟେକ ସ୍ଥାନରେ ଯବାନ ମୁତୟନ ହୋଇଛନ୍ତି। ଜାନବାଇ ଘାଟ ଦେଇ ଚଳାଚଳ କରୁଥିବା ସମସ୍ତ ଗାଡି ଏବଂ ଅଚିହ୍ନା ଲୋକଙ୍କୁ ଯାଞ୍ଚ କରାଯାଉଛି। ତେଣୁ, ସେତୁକୁ ନକ୍ସଲ ଟାର୍ଗେଟ କରିବା ଏତେ ସହଜ ନୁହେଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର