କଟକ ପୁଲିସର ନୂଆବର୍ଷ ଏନ୍‌କାଉଣ୍ଟର : ନୟାଗଡ଼ର ଦୁର୍ଦ୍ଦାନ୍ତ ବୁଦ୍ଧିଆ ଆହତ

କଟକ-ମହାନଦୀବିହାର : ୨୦୧୭ରେ କଟକ କମିସନରେଟ୍‌ ପୁଲିସ ରେକର୍ଡ ସଂଖ୍ୟକ ୬ଟି ଏନ୍‌କାଉଣ୍ଟର କରିବା ପରେ ଆଜି ୨୦୧୮ ବର୍ଷର ପ୍ରଥମ ଏନ୍‌କାଉଣ୍ଟର କରିଛି। କଟକ ସଦର ଥାନା ଅନ୍ତର୍ଗତ ବଢେଇ ସାହି ନିକଟରେ ନୟାଗଡ଼ର ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଲୋଚନ ନାୟକ ଓରଫ ବୁଦ୍ଧିଆ ଆଜି ପୁଲିସ ଏନକାଉଣ୍ଟରର ଶିକାର ହୋଇଛି। ରାତି ପ୍ରାୟ ସାଢେ ଆଠଟା ସମୟରେ ଏହି ଘଟଣା ଘଟିଛି। ବୁଦ୍ଧିଆର ଡାହଣ ଗୋଡରେ ଗୋଟିଏ ଗୁଳି ବାଜିଥିବା ବେଳେ ତାକୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୁଦ୍ଧିଆ ନାମରେ ୩୨ଟି ସଂଗୀନ ମାମଲା ରହିଛି। ସେଥିରେ ରହିଛି ଡକାୟତି, ଲୁଟପାଟ, ବୋମା ମାଡ଼, ହତ୍ୟାକାଣ୍ଡ ଭଳି ମାମଲା।

ସୂଚନା ଅନୁଯାୟୀ ନୟାଗଡ଼ ଶରଣକୂଳ ଅଞ୍ଚଳର ଦୁର୍ଦ୍ଦାନ୍ତ ବୁଦ୍ଧିଆ ଆଜି ରାତିରେ କଟକ-ଭୁବନେଶ୍ୱର ରାସ୍ତାର ବାଲିକୁଦା ପୁରୁଣା ଟୋଲ୍‌ ଗେଟ୍‌ ନିକଟରେ ସନ୍ଦେହଜନକ ଭାବେ ବୁଲୁଥିବା ସଂପର୍କରେ ପୁଲିସକୁ ସୂଚନା ମିଳିଥିଲା। ପୁଲିସ ଏସ୍‌.ଆଇ କେ.ଏସ୍‌.ବରାଡ ଏବଂ ତାଙ୍କ ସହଯୋଗୀ ବୁଦ୍ଧିଆର ପିଛା କରିଥିଲେ। ବୁଦ୍ଧିଆ ପୁଲିସକୁ ଦେଖି ତା’ର ପଲସର୍‌ ବାଇକ୍‌ (ଓଡି ୩୩ ଡି ୬୪୧୩)ରେ ସେଠାରୁ ଖସି ଯିବାକୁ ବସିଥିବା ବେଳେ ନିୟନ୍ତ୍ରଣ ହରାଇ ତଳେ ପଡି ଯାଇଥିଲା। ସେ ବାଇକ ଛାଡି ବଢେଇ ସାହି ଆଡ଼କୁ ଦୌଡିବାକୁ ଆରମ୍ଭ କରିଥିଲା। ପୁଲିସ ତା’ ପଛରେ ଗୋଡ଼ାଇବାରୁ ସେ ପାଖରେ ରଖି ଥିବା ୯ଏମ୍‌ଏମ୍‌ ପିସ୍ତଲ କାଢି ଗୁଳି ଚଳାଇଥିଲା। ସେହି ଗୁଳି କାହା ଦେହରେ ବାଜି ନଥିଲା।

କିନ୍ତୁ ପରେପରେ ବୁଦ୍ଧିଆ ଆଉ ଗୋଟିଏ ଗୁଳି ଚଳାଇବାକୁ ଉଦ୍ୟମ କରିବାରୁ କେ.ଏସ୍‌.ବରାଡ ଜୀବନ ରକ୍ଷା ପାଇଁ ନିଜ ରିଭଲଭରରୁ ଗୁଳି ଚଳାଇଥିଲେ। ଗୁଳିଟି ବୁଦ୍ଧିଆର ଡାହଣ ଗୋଡରେ ବାଜିବାରୁ ସେ ସେଠାରେ ପଡି ଯାଇଥିଲା। ବୁଦ୍ଧିଆକୁ କାବୁ କରି ପୁଲିସ ତାକୁ କଟକ ବଡ ମେଡିକାଲ ନେଇ ଯାଇଥିଲା। ବୁଦ୍ଧିଆ ନିକଟରୁ ଗୋଟିଏ ୯ଏମ୍‌ଏମ୍‌ ପିସ୍ତଲ, ଗୋଟିଏ ଦେଶୀ ପିସ୍ତଲ, ଦୁଇ ରାଉଣ୍ଡ ଗୁଳି, ୩ଟି କାଟ୍ରିଜ୍‌, ଗୋଟିଏ ମୋବାଇଲ୍‌ ଫୋନ୍‌ ଏବଂ ସେ ଛାଡି ଯାଇଥିବା ପଲସର୍‌ ବାଇକ୍‌ ଜବତ କରାଯାଇଛି। ବୁଦ୍ଧିଆ ଝାଡ଼ଖଣ୍ଡ ଜାମସେଦ୍‌ପୁରର ବିଷ୍ଣୁପୁର ଅଞ୍ଚଳରେ ଏକ ହତ୍ୟାକାଣ୍ଡରେ ସଂପୃକ୍ତ ଥିଲା। ସେ ଏକାଧିକ ଚୋରି, ଡକାୟତି, ହତ୍ୟା, ହତ୍ୟା ଉଦ୍ୟମ ଭଳି ଅଭିଯୋଗରେ ସଂପୃକ୍ତ ଥିବା ବେଳେ ଥାନା ଉପରକୁ ବୋମା ଫିଙ୍ଗି ଚାଞ୍ଚଲ୍ୟ ସୃଷ୍ଟି କରୁଥିଲା। ବୁଦ୍ଧିଆ ନାମରେ ରହିଥିବା ଅନ୍ୟ ଅପରାଧ ଅଭିଯୋଗ ସଂକ୍ରାନ୍ତରେ ପୁଲିସ ଖୋଳତାଡ଼ ଜାରି ରହିଛି।

ସମ୍ବନ୍ଧିତ ଖବର