ଗଞ୍ଜାମ ପୁଲିସ ଏନ୍‌କାଉଣ୍ଟର୍‌ରେ ପଡ଼ିଲେ ଦୁଇ : ଭଂଜନଗରର ଗୌରୀ ଓ ଭୁବନେଶ୍ୱରର ଟେରୁ ଆହତ

ବେଲଗୁଣ୍ଠା/ଭଂଜନଗର : ଗଞ୍ଜାମ ପୁଲିସ ଏନ୍‌କାଉଣ୍ଟର୍‌ରେ ଆଜି ରାତି ପ୍ରାୟ ୧୧ଟା ବେଳେ ଆହତ ହୋଇଛନ୍ତି ଦୁଇ ଜଣ ହାର୍ଡ଼କୋର୍‌ ଅପରାଧୀ। ସେମାନେ ହେଲେ ଭଂଜନଗର ଅଂଚଳ ମୁଦୁଲିପଲ୍ଲୀର ଗୌରୀ ସ୍ୱାଇଁ ଓ ତା’ ସହଯୋଗୀ ଭୁବନେଶ୍ୱର ଭରତପୁର ଅଂଚଳର ଶ୍ରୀକାନ୍ତ ରଣା ଓରଫ ଟେରୁ। ଗୌରୀ ମାଣିତରା ବ୍ୟାଙ୍କ ଲୁଟ୍‌ରେ ସଂପୃକ୍ତ ଥିବା ଏବଂ ୭ରୁ ଉର୍ଧ୍ୱ ମାମଲା ଥିବା ବେଳେ ଟେରୁ କୁଖ୍ୟାତ ଡକାୟତ ବୋଲି ପୁଲିସ କହିଛି। ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ମୋବାଇଲ୍‌ ଟ୍ରାକିଂରୁ ଏମାନଙ୍କ ଗତିବିଧି ଉପରେ ନଜର ରଖିଥିଲା। ସେମାନେ ଏକ ଆପାଚି ବାଇକ୍‌ରେ ଭୁବନେଶ୍ୱରରୁ ବୁଗୁଡ଼ା ଆଡ଼କୁ ଆସୁଥିବା ସୂଚନା ପାଇ ପୁଲିସ ନାକାବନ୍ଦୀ କରିଥିଲା। ବୁଗୁଡ଼ା ଥାନା ଅନ୍ତର୍ଗତ ବାଘୁଆ ପ୍ରକଳ୍ପ ନିକଟରେ ପୁଲିସ ସହ ସେମାନେ ସହ ମୁହାଁମୁହିଁ ହୋଇଥିଲେ। ସେମାନଙ୍କ ପଛରେ ଆଉ ଏକ ବାଇକ୍‌ରେ ଅନ୍ୟ ଦୁଇ ଜଣ ସହଯୋଗୀ ଥିଲେ। ସେମାନେ ବାଇକ୍‌ ଛାଡ଼ି ଜଙ୍ଗଲ ଭିତରେ ଫେରାର ହେବାରେ ସକ୍ଷମ ହୋଇଥିଲେ। ତେବେ ଗୌରୀ ଓ ଟେରୁ ପ୍ରଥମେ ପୁଲିସ ଉପରକୁ ବୋମାମାଡ଼ ଓ ତା’ପରେ ଗୁଳି ଚାଳନା କରିଥିଲେ। ଗାଡ଼ି ଛାଡ଼ି ଜଙ୍ଗଲ ଭିତରେ ଦୌଡ଼ି ପଳାଇବାକୁ ଉଦ୍ୟମ କଲା ବେଳେ ପୁଲିସ ପକ୍ଷରୁ ପାଲଟା ଗୁଳିରେ ଦୁଇ ଜଣ ଯାକ ଜଖମ ହୋଇଥିଲେ। ଭଂଜନଗର ଭାରପ୍ରାପ୍ତ ଡିଏସ୍‌ପଓ ଅଶ୍ୱିନୀ କୁମାର ସାହୁ, ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ସବ୍ୟସାଚୀ ମଲ୍ଲ, ବୁଗୁଡ଼ା ଥାନା ଆଇଆଇସି ରାମଚନ୍ଦ୍ର ବିଶ୍ୱାଳ ନେତୃତ୍ୱ ନେଇଥିଲେ। ଆଇଆିସି ବିଶ୍ୱାଳଙ୍କ ସମେତ ୪ କନେଷ୍ଟବଳ ଆହତ ହୋଇଛନ୍ତି। ଗିରଫ ଗୌରୀ ଓ ଟେରୁ ନିକଟରୁ ୪ଟି ବୋମା, ୨ଟି ୯ଏମ୍‌ଏମ୍‌ ପିସ୍ତଲ, ୬ ରାଉଣ୍ଡ ଗୁଳି, ହ୍ୟାଣ୍ଡ ଗ୍ଲୋଭ୍‌ସ୍‌, ମୁଖା, ଦୁଇଟି ବାଇକ୍‌ ଜବତ ହୋଇଛି। ସେମାନଙ୍କୁ ତୁରନ୍ତ ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯିବ ବୋଲି ଗଞ୍ଜାମ ଏସ୍‌ପି ବ୍ରିଜେଶ୍‌ ରୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର