ପ୍ରଚାରବେଳେ ବିଧାୟିକା ଟୁକୁନି ସାହୁଙ୍କୁ ବିରୋଧ : ପୁଲିସ ଉଦ୍ଧାର କଲା, ଉତ୍ତେଜନା ପରେ ଫ୍ଲାଗ୍‌ମାର୍ଚ୍ଚ

ଟିଟିଲାଗଡ଼ : ଟିଟିଲାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟିକା ପ୍ରାର୍ଥିନୀ ଟୁକୁନି ସାହୁ ରବିବାର ସହରର ୧୪ ନମ୍ବର ଵାର୍ଡକୁ ପ୍ରଚାର ପାଇଁ ତାଙ୍କ ସମର୍ଥକଙ୍କ ସହ ଯାଇଥିବାବେଳେ ‌ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପୁଲିସ ଖବର ପାଇ ତାଙ୍କୁ ସେଠାରୁ ଉଦ୍ଧାର କରିଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିବା ଜଣାପଡ଼ିଛି।

ରବିବାର ଶ୍ରୀମତୀ ସାହୁ ଏହି ଵାର୍ଡରେ ପ୍ରଚାର ଆରମ୍ଭ କରିବା ପୂର୍ବରୁ କିଛି ସ୍ଥାନୀୟ ଯୁବକ ବିଜେଡିର ପ୍ରଚାରକୁ ବିରୋଧ କରିଥିଲେ। ସେମାନେ ବିଜେଡିର ବିଧାୟିକା ପ୍ରାର୍ଥିନୀଙ୍କ ବିରୋଧରେ ସ୍ଲୋଗାନ ଦେଇ ଏହି ଵାର୍ଡରେ ପ୍ରଚାର କରିବାକୁ ଦେଇନଥିଲେ। ବିରୋଧ ଯୋଗୁଁ ପରିସ୍ଥିତି ଏପରି ହୋଇଥିଲା ଯେ ଶ୍ରୀମତୀ ସାହୁ ନିକଟସ୍ଥ ଏକ ଘରେ ଆଶ୍ରୟ ନେଇଥିଲେ। ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଶ୍ରୀମତୀ ସାହୁଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲା।

ଏ ବିଷୟରେ ଶ୍ରୀମତୀ ସାହୁ କହିଛନ୍ତି ଯେ, ସାଧାରଣ ଭୋଟର ତାଙ୍କୁ ବିରୋଧ କରିନାହାନ୍ତି। ବରଂ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ତାଙ୍କ ବିରୋଧରେ ଲୋକଙ୍କୁ ମତାଇ ଏପରି କାର୍ଯ୍ୟ କରିଛନ୍ତି। ଅନ୍ୟପଟେ ଆସନ୍ତା ୧୮ ତାରିଖ ହେବାକୁ ଥିବା ନିର୍ବାଚନ ତଥା ସୋମବାର ଦିନ ଟିଟିଲାଗଡକୁ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରବିବାର ସହରର ୧୪ ନମ୍ବର ଵାର୍ଡରୁ ଆରମ୍ଭ କରି ୧୧ ନମ୍ବର ଵାର୍ଡ ପର୍ଯ୍ୟନ୍ତ ଆଇଆରବିର ତିନି ପ୍ଲାଟୁନ ଫୋର୍ସ ଫ୍ଲାଗମାର୍ଚ୍ଚ କରିଥିବା ବେଳେ ସୋମବାର ସକାଳ ସୁଦ୍ଧା ଆଉ ଅଧିକ ଆଠ ପ୍ଲାଟୁନ ଫୋର୍ସ ଆସିବେ ଓ ନିର୍ବାଚନରେ କୌଣସି ପ୍ରକାର ଅନିୟମିତତାକୁ ସହ୍ୟ କରାଯିବ ନାହିଁ ବରଂ ବିଶୃଙ୍ଖଳା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଟିଟିଲାଗଡ଼ ଥାନାଧିକାରୀ ପ୍ରଭାତ ରଞ୍ଜନ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର