ନବନିର୍ମାଣ କୃଷକ ସଂଗଠନର ଅଭିଯୋଗ : ‘ମିଛ ମାମଲା କରି ମାନସିକ ଚାପ ଦେଉଛି ପୁଲିସ’

ଭୁବନେଶ୍ୱର : ସମାଜରେ ଘଟୁଥିବା ଅନ୍ୟାୟ ବିରୋଧରେ ଲଢ଼ୁଥିବା ଲୋକମାନଙ୍କୁ ମାନସିକ ନିର୍ଯାତନା ଦେବା ପାଇଁ ପୁଲିସ ନିଜ ଆଡ଼ୁ ମିଛ ମାମଲା ରୁଜୁ କରି ଗିରଫ କରୁଛି ବୋଲି ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି।

କାକଟପୁର ଥାନ‌ାର ଏକ ମାମଲାକୁ ଆଧାର କରି ଆଜି ସାମ୍ବାଦିକ ଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏକଥା କହିଛନ୍ତି।

କାକଟପୁର ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ଏକ ଯୋଜନା ‘ନୟୀ ମଞ୍ଜିଲ’ କାର୍ଯ୍ୟକ୍ଷମ ଥିଲା। ଏହାକୁ ଏକ ଏନ୍‌ଜିଓ ପରିଚାଳନା କରୁଥିଲା। ଏଥିରେ ମହମ୍ମଦ ଜୁଲଫିକର ଅଲ୍ଲୀ କାମ କରୁଥିଲେ। ହେଲେ ଏଥି‌ରେ ବ୍ୟାପକ ଅନିୟମିତତା ହେବାରୁ ଜୁଲଫିକର ଚାକିରି ଛାଡ଼ିବାକୁ ମନସ୍ଥ କରି ସଂସ୍ଥା ନିକଟରେ ଜମା ଥିବା ତାଙ୍କ ଏଟିଏମ୍‌ କାର୍ଡ ମାଗିଥିଲେ।
ସଂସ୍ଥା ଏଟିଏମ୍‌ କାର୍ଡ ଫେରାଇବା ପରିବର୍ତ୍ତେ ଧମକ ଚମକ ଦେଇ ଜୁଲଫିକର ପୂର୍ବରୁ ପାଇଥିବା ଟଙ୍କ‌ା ଛଡ଼ାଇ ନେଇଥିଲା। ଏ ନେଇ ଜୁଲଫିକର କାକଟପୁର ଥାନାରେ ଗତ ମେ ୨୪ ତାରିଖ ଦିନ ଏତଲା ଦେଇଥିଲେ। ହେଲେ କାକଟପୁର ଥାନା ଆଇଆଇସି ସୁମତୀ ମହାନ୍ତି ମାମଲା ରୁଜୁ କରି ନ ଥିଲେ। ବରଂ ସଂସ୍ଥାଠାରୁ ଏଟିଏମ୍‌ କାର୍ଡ ଆ‌ଣି ରଖି ଦେଇଥିଲେ।
ଗତ ମାସରେ ଅର୍ଥାତ୍‌ ଘଟଣାର ୫ ମାସ ପରେ ଜୁଲଫିକର ଓ ତାଙ୍କ ମା’ (ନର୍ଗିସ ବାହାର) ଥାନାକୁ ଯାଇ ଏଟିଏମ୍‌ କାର୍ଡ ମାଗିଥିଲେ। କିନ୍ତୁ କାର୍ଡ ଫେରା ନ ଯିବାରୁ ମା’ ପୁଅ ଥାନା ଗେଟ୍‌ ପାଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ। କିନ୍ତୁ ମା’-ପୁଅଙ୍କ ସମେତ ଅନ୍ୟ ୫ ଜଣଙ୍କ ନାମରେ ଥାନାକୁ ଟେକା ପଥର ମାଡ଼ କରିବା, ପୁଲିସ ତଣ୍ଟି ଚିପି ଦେବା, ଜାତିଆଣ ଆକ୍ଷେପ କରିବା ପ୍ରଭୃତି ଅଭିଯୋଗ ଆଣି ଏଏସ୍‌ଆଇ ସରୋଜ କୁମାର ବେହେରା ଏତଲା ଦେଇଥିଲେ।

କାକଟପୁର ପୁଲିସ ଏକ ମାମଲା ରୁଜୁ କରିବା ସହ ସେହିଦିନ ମା’ ଓ ପୁଅଙ୍କୁ କୋର୍ଟ ଚାଲାଣ କରି ଦେଇଥିଲା। ତେବେ ପୁଲିସ ଯେଉଁ ଅନ୍ୟ ୫ ଜଣଙ୍କ ନାମରେ ହିଂସାକାଣ୍ଡର ଅଭିଯୋଗ ଆଣିଥିଲା ସେ‌ଥିରେ ସୌମ୍ୟକାନ୍ତ ବେହେରାଙ୍କ ନାମ ରହିଥିଲା। ଯେଉଁ ସମୟରେ ହିଂସାକାଣ୍ଡ ଘଟାଇଥିବା ପୁଲିସ ଦର୍ଶାଉଛି, ସେତେବେଳେ ସୌମ୍ୟକାନ୍ତ ପରୀକ୍ଷା ଦେଉଥିଲେ।
ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି ଯେ, ଜୁଲଫିକରଙ୍କ ଭାଇ ନବ ନିର୍ମାଣ କୃଷକ ଛାତ୍ର ସଂଗଠନର ମନୱର ଅଲ୍ଲୀ ରାଜ୍ୟରେ ଛାତ୍ରସମାଜର ନେତୃତ୍ବ ନେଉଛନ୍ତି। ମନୱର ଓ ନବନିର୍ମାଣ କୃଷକ ସଂଗଠନ ଉପରେ ରାଗ ଶୁଝାଇବାକୁ ପୁଲିସ ଏଭଳି କରିଛି ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ରଶ୍ମୀ ରଞ୍ଜନ ସ୍ବାଇଁ, ଯୁବ ଛାତ୍ର ସଂଗଠନ ରାଜ୍ୟ ସଂଯୋଜକ ମହମ୍ମଦ ମନୱର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର