ସ୍ବର ଚପାଇବାକୁ ଗୁଳି ଧମକ : ମଜୁରୀ ପାଇଁ ରାସ୍ତାରେ ବସିଲେ, ପୁଲିସ ବନ୍ଧୁକ ଧରି ଗୋଡ଼ାଇଲା

ଭୁବନେଶ୍ବର : ମାସ ମାସ ଧରି ସଫେଇ କଲେ। ହେଲେ ସଂସ୍ଥା ମଜୁରୀ ଦେଲାନି। ମଜୁରୀ ମାଗିବାରୁ ସଫେଇ ସଂସ୍ଥା କହିଲା ଆମକୁ ବିଏମ୍‌ସି ୫ମାସ ହେଲା ଟଙ୍କା ଦେଇନି। ଆମେ ଦେଇପାରିବୁନି। ଏହାପରେ ସଫେଇ କର୍ମଚାରୀ ରାସ୍ତା ଅବରୋଧ କଲେ। ହେଲେ ଏହି କର୍ମଚାରୀଙ୍କ ସ୍ବର ଚପାଇବାକୁ ଆଜି ପୁଲିସ ଗୁଳି କରିବାର ଧମକ ଦେଲା। ନିଜ ହକ୍‌ ପାଇଁ ରାସ୍ତାକୁ ଓହ୍ଲାଇଥିବା କର୍ମଚାରୀ ଗୁଳି ଧମକରେ ଆନ୍ଦୋଳନରୁ ଓହରିଗଲେ ସିନା ଏବେ କହୁଛନ୍ତି ଗୁଳି ଖାଇ ସିନା ମଲୁନି, ଘରେ ଖାଇବାକୁ ନପାଇ ପିଲା ଛୁଆ ସମସ୍ତେ ମରିବୁ।

ବିଏମ୍‌ସିର ଢିଲା ନୀତି ଏବଂ ବେପରୁଆ କାର୍ଯ୍ୟଶୈଳୀ ଯୋଗୁଁ ଆଜି ଶତାଧିକ ଲୋକଙ୍କ ପେଟପାଟଣା ବାଜିରେ ଲାଗିଛି। ନା ସଫେଇ ସଂସ୍ଥା ମଜୁରୀ ଦେଉଛି ନା ବିଏମ୍‌ସି ସହାୟତାର ହାତ ବଢ଼ାଉଛି। ନିରୀହ ଗରିବ ଲୋକଙ୍କୁ ବାଜି ଲଗାଇ ସମସ୍ତେ ଖସି ଯାଇଛନ୍ତି।

ରାଜଧାନୀରେ ପ୍ରାୟ ୩୭କିମି ରାସ୍ତାରେ ଯାନ୍ତ୍ରିକ ସଫେଇ କରୁଥିବା ସଂସ୍ଥା ପଞ୍ଜାବର ପ୍ରୋ ପାଵାର ସୁଇପି˚ କମ୍ପାନି ଓ ଲାୟନ୍ସ ସର୍ଭିସେସ୍‌ଠାରୁ ଦୀର୍ଘ ମାସର ମଜୁରୀ ପାଇବା ଦାବିରେ ଆଜି ଜୟଦେବ ବିହାର ଛକରେ ସଫେଇ କର୍ମଚାରୀମାନେ ରାସ୍ତା ଅବରୋଧ କରିଥିଲେ। ରାସ୍ତାରେ ଟାୟାର ଜାଳି, ହାତକୁ ହାତ ଧରି ରାସ୍ତା ଉପରେ ଘଣ୍ଟାଏ କାଳ ଛିଡ଼ା ହୋଇଥିଲେ। ରାସ୍ତା ଜାମ୍‌ ହେବା ପରେ ସହିଦନଗର, ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ସଫେଇ କର୍ମଚାରୀଙ୍କୁ ରାସ୍ତାରୁ ଉଠାଇବାକୁ ଉଦ୍ୟମ କରି ପୁଲିସ ବିଫଳ ହୋଇଥିଲା। ଦୀର୍ଘ ମାସ ହେଲା ମଜୁରୀ ପାଇନଥିବା କର୍ମଚାରୀମାନେ କହିଥିଲେ ଆମକୁ ମଜୁରୀ ମିଳିଲେ ଉଠିବୁ। ଏତିକିରେ ପୁଲିସ ବାବୁଙ୍କ ମୁଣ୍ଡ ପିତ ଉଠିଯାଇଥିଲା। ବନ୍ଧୁକ ଧରି ଗୁଳି କରିବାକୁ ଗୋଡ଼ାଇଥିଲେ। କାଳେ ଫାୟାରିଂ କରିଦେବେ ବୋଲି ଲୋକ ରାସ୍ତା ଉପରେ ଏଣେତେଣେ ଦଉଡ଼ି ଥିଲେ। ଏପରିକି ନୂଆପଲ୍ଲୀ ଥାନାର ଏହି ପୁଲିସ ବାବୁ ଜଣଙ୍କ କେତେକ ଲୋକଙ୍କୁ ଧରି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ। ସିଧା ଧମକ ଦେଇଥିଲେ ଗାଡ଼ିରେ ବସି ଥାନାକୁ ଯିବୁ ନା ମୁଣ୍ଡକୁ ଗୁଳି କରିବି। ଏତିକିରେ ବିଚରା ସଫେଇ କର୍ମଚାରୀଙ୍କର ସାହାସ ନଥିଲା ପୁଲିସ ବାବୁଙ୍କୁ ଚାଲେଞ୍ଜ କରିବାକୁ।

ଆଉ ତିନି ଦିନ ପରେ ଭୁବନେଶ୍ବରରେ ସାଧାରଣ ନିର୍ବାଚନ ପାଇଁ ଭୋଟ୍‌ ହେବାକୁ ଥିବାବେଳେ ବିଏମ୍‌ସି ଓ କମିସନରେଟ୍‌ ପୁଲିସର ବେପରୁଆ କାର୍ଯ୍ୟ ପ୍ରଶାସନର କାର୍ଯ୍ୟଶୈଳୀ ପ୍ରତି ପ୍ରଶ୍ନ ଉଠାଇଛି। ଏତେ ବଡ଼ କାଣ୍ଡ ଘଟିବା ପରେ ବି ବିଏମ୍‌ସି ପକ୍ଷରୁ ଏହି ସମସ୍ୟାର ସମାଧାନ କରାଯାଇନି କି କମିସନରେଟ୍‌ ପୁଲିସ ପକ୍ଷରୁ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି। ଏପରିକି ବିଏମ୍‌ସି କମିସନର ସମର୍ଥ ବର୍ମା କହିଛନ୍ତି ଆମେ ଏନେଇ ଶୁଣିଛୁ। ସଫେଇ ସଂସ୍ଥାକୁ କିପରି ତା’ର ପ୍ରାପ୍ୟ ଦିଆଯିବ ସେନେଇ ଆଲୋଚନା କରିବୁ। ଯାନ୍ତ୍ରିକ ସଫେଇ ନେଇ ହୋଇଥିବା ଟେଣ୍ଡରକୁ ପ୍ରଶାସନିକ ଅନୁମତି ମିଳିନଥିବାରୁ ଆମେ ସେମାନଙ୍କ ପ୍ରାପ୍ୟ ଦେଇପାରୁନୁ।

ସୂଚନାଯୋଗ୍ୟେ, ହକି ବିଶ୍ବକପ୍‌ ପୂର୍ବରୁ ଯାନ୍ତ୍ରିକ ସଫେଇ ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ବିଏମ୍‌ସି ଦୁଇଟି ପ୍ୟାକେଜ୍‌ରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କୁ ସେମାନଙ୍କ ପ୍ରାପ୍ୟ ଦେଇନି। ୫ମାସ ହେଲା ପ୍ରାପ୍ୟ ପାଇନଥିବାରୁ ଗତ ୧୬ତାରିଖରୁ ପଞ୍ଜାବର ପ୍ରୋ ପାଵାର ସୁଇପି˚ କମ୍ପାନି ଓ ଲାୟନ୍ସ ସର୍ଭିସେସ୍‌ କାମ ବନ୍ଦ କରିଦେଇଛି। ଯେଉଁଠାରୁ ଏହି ବିବାଦ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର