ଶହ ଶହ କୋଟିର ଟିଟୋ ସାମ୍ରାଜ୍ୟ

ଭୁବନେଶ୍ୱର : ଦୁଇ ଦୁଇଟି ପେଟ୍ରୋଲ ପମ୍ପ, ଠିକାଦାରିଠାରୁ ଆରମ୍ଭ କରି ବାଲିଖାଦାନ ନିଲାମ, ପଟ୍ଟାମୁଣ୍ଡାଇରେ ବାଇକ୍‌ ସୋ-ରୁମ୍‌, ପାରାଦୀପରେ ଷ୍ଟିଭେର୍ଡସ୍‌ କଂପାନି, ଗାର୍‌ମେଣ୍ଟ୍‌ସ, ମୋବାଇଲ୍‌ ସୋ ରୁମ୍‌। ଯେଉଁ କ୍ଷେତ୍ରକୁ ଚାହିଁବ, ସେଥିରେ ଲମ୍ବିଛି ଦୁର୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଓରଫ୍‌ ସୟଦ ଉସ୍‌ମାନ ଅଲ୍ଲୀର ଚେର। ନିର୍ଦିଷ୍ଟ କେତେ ଟଙ୍କାର କାରବାର ହେଉଥିଲା, ତାହା ଏଯାଏ ଠଉରାଇ ନ ପାରିଲେ ବି ତଦନ୍ତ ଯେତିକି ବାଟ ଆଗେଇଛି ତାହା ସୂଚାଉଛି ଯେ ଟିଟୋ ଶହ ଶହ କୋଟି ଟଙ୍କାର ମାଲିକ। ଆଉ ତା’ର ସହଯୋଗୀ, ସମର୍ଥକଙ୍କ ସଂଖ୍ୟା ବି ଆଖି ଖୋସି ଦେବା ଭଳି।

ଦୁର୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର ଟିଟୋକୁ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଯେତିକି ଅଧିକ ଜେରା କରୁଛି, ସେତିକି ସେତିକି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହେବାରେ ଲାଗିଛି। କେବଳ ରାଜ୍ୟ ନୁହେଁ,

ରାଜ୍ୟ ବାହାରେ ଟିଟୋର ସାମ୍ରାଜ୍ୟ ଓ ପତିଆରା ଓ ଅର୍ଥନୈତିକ ସାମ୍ରାଜ୍ୟ ପୁଲିସ ଅଧିକାରୀଙ୍କୁ ଆଚମ୍ବିତ କଲାଣି। ପ୍ରାରମ୍ଭିକ ପର୍ଯ୍ୟାୟରେ ଠିକାଦାରି, ବାଲିଖାଦାନ ନିଲାମ, ଅପରାଧିକ ଜଗତ ସହିତ ତା’ର ସଂପୃକ୍ତି  ଉପରେ ତନାଘନା ଆରମ୍ଭ କରିଛି ପୁଲିସ। ଖୁବ୍‌ଶୀଘ୍ର କୋଲକାତା, ହାଇଦ୍ରାବାଦ୍‌ ଓ ବାଙ୍ଗାଲୋର ଆଦି ସହରକୁ ଲମ୍ବିଥିବା ଟିଟୋ ସାମ୍ରାଜ୍ୟ ଉପରେ ବି ଚଢ଼ଉ ଆରମ୍ଭ ହେବ।

ଏସ୍‌ଟିଏଫ୍‌ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗୋଟିଏ କି ଦୁଇଟି ନୁହେଁ, ୧୭ଟି ଟିପର, ଗୋଟିଏ ଟ୍ରେଲର, ୮ଟି ଏସ୍କାଭେଟର ଟିଟୋ ମାଲିକାନାରେ ଥିବା ବେନଜିର୍‌ ଇନ୍‌ଫ୍ରାଷ୍ଟକଚର୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରୁ ଜବତ କରାଯାଇଛି। ଏହା ହିଁ ସୂଚାଉଛି, ଠିକାଦାରୀ କାରବାରରେ ଟିଟୋ ସାମ୍ରାଜ୍ୟର ବିଶାଳତା।

ଟିଟୋ ଶହ ଶହ କୋଟି ଟଙ୍କାର ଠିକା କାମ ହାତେଇଥିବା କାରଣରୁ ଏତେ ବଡ଼ ଭିତ୍ତିଭୂମି ପ୍ରତିଷ୍ଠା କରିଛି। ତେବେ କେଉଁ କେଉଁ ସଂସ୍ଥାରେ ଟିଟୋ କାମ କରୁଛି, କିଏ କିଏ ତାକୁ ସହଯୋଗ କରୁଛନ୍ତି, ଟିଟୋ ସହିତ ଇଞ୍ଜିନିୟରିଂ ବିଭାଗର କୌଣସି ଯନ୍ତ୍ରୀ ବା ଅଧିକାରୀଙ୍କର ସଂପୃକ୍ତି ଅଛି କି ନାହିଁ, ତା’ ଉପରେ ତଦନ୍ତକାରୀ ଦଳ ଅନୁଧ୍ୟାନ ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ଟିଟୋ କିଭଳି ଏତେ କୋଟି ଟଙ୍କାର କାରବାର କଲା, କୌଣସି ଜିଲ୍ଲା ପୁଲିସ ବା ପ୍ରଶାସନିକ ଅଧିକାରୀ ଏ ନେଇ ଟେର୍‌ ସୁଦ୍ଧା ପାଇପାରିଲେ ନାହିଁ, ତାହା ବୁଝାପଡ଼ୁନାହିଁ। ଟିଟୋ ପଛରେ କୌଣସି ଅଦୃଶ୍ୟ ଶକ୍ତିର ହାତ ଥିବା ନେଇ ସନ୍ଦେହ କ୍ରମଶଃ ବଢ଼ିବାରେ ଲାଗିଲାଣି।

ଆଜି ଏସ୍‌ଟିଏଫ୍‌ ଏକଥା ବି ସୂଚାଇଛି ଯେ ଚଢ଼ଉ ବେଳେ ତା’ ଘରୁ ୬ଟି ଚେକ୍‌ ବୁକ୍‌ ଓ ଗୋଟିଏ ପାସ୍‌ ବୁକ୍‌ ମିଳିଛି। କେଉଁମାନଙ୍କୁ ଏହି ଚେକ୍‌ ବହିରୁ ଟଙ୍କା ଦିଆଯାଇଛି ଓ କାହିଁକି ସେ ନେଇ ପୁଲିସ ତଦନ୍ତ ଚଳାଇଛି। ସେହିଭଳି ଟିଟୋ ଭାଇ ସପୁ ଘରେ ମଧ୍ୟ ଚଢ଼ଉ ହୋଇଥିଲା ଓ ପୁଲିସ ଟିମ୍‌କୁ ଅନେକ ଆଖି ଖୋସି ଦେବା ଭଳି ତଥ୍ୟ ମିଳିଛି। କେନ୍ଦ୍ରାପ଼ଡାରେ ତା’ର ଏକ ପେଟ୍ରୋଲ ପମ୍ପ ଜବତ କରାଯାଇଛି।

ଟିଟୋ ମାଲିକାନାରେ ଥିବା ସମ୍‌ବୁଲ୍‌ ଟ୍ରେଡର୍ସରୁ ୩୭ଟି ଫାଇଲ୍‌, କାଗଜାତ୍‌, ୩ଟି ସିପିୟୁ ଜବତ କରିଛି ପୁଲିସ। ସେହିଭଳି ସପୁ ଘରୁ ଗୋଟିଏ ସିପିୟୁ, ଗୋଟିଏ ହା଼ର୍ଡଡିସ୍କ, ଗୋଟିଏ ସିସିଟିଭି, ଦୁଇଟି ସେଲଫୋନ୍‌ ଜବତ କରାଯାଇଛି। କମ୍ପ୍ୟୁଟର ଯାଞ୍ଚ କରାଯାଇଛି ଓ ସିସିଟିଭିକୁ ତନ୍ନ ତନ୍ନ କରି ଦେଖୁଛି ପୁଲିସ। କେଉଁ କେଉଁ ଲୋକ ତା’ ଘରକୁ ଯିବା ଆସିବା କରୁଥିଲେ, ସେମାନଙ୍କ ସହିତ ସପୁର ସଂପର୍କ ନେଇ ତଦନ୍ତ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ଏସ୍‌ଟିଏଫ୍‌ ସୂଚାଇଛି, କେବଳ କେନ୍ଦ୍ରାପଡ଼ା ନୁହେଁ, ପାରାଦୀପରେ ମଧ୍ୟ ତା’ର ଏକ ପେଟ୍ରୋଲ ପମ୍ପ ଥିଲା। ଏହି ପେଟ୍ରୋଲ ପମ୍ପକୁ ସିଲ୍‌ କରାଯିବା ସହିତ ସେ ସଂକ୍ରାନ୍ତ କାଗଜପତ୍ର ଜବତ ହୋଇଛି।

ଅନ୍ୟପକ୍ଷରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିଟୋକୁ ୫ ଦିନିଆ ରିମାଣ୍ଡରେ ଆଣିଥିଲା। ଆସନ୍ତାକାଲି ରିମାଣ୍ଡ ଅବଧି ଶେଷ ହେଉଛି। ତେବେ ଟିଟୋର ଘର ଏବଂ ବିଭିନ୍ନ ବ୍ୟାବସାୟିକ ସ୍ଥାନ ଉପରେ ଚଢ଼ଉ ବେଳେ ମିଳିଥିବା ତଥ୍ୟକୁ ଆଧାର କରି ତାକୁ ପୁଣିଥରେ ରିମାଣ୍ଡରେ ଆଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଯୋଜନା କରାଯାଉଛି।

ଏସ୍‌ଟିଏଫ୍‌ ଡିଆଇଜି ହିମାଂଶୁ ଲାଲ ଆଜି ଗଣମାଧ୍ୟମକୁ କହିଛନ୍ତି, ଟିଟୋର ଆର୍ଥିକ କାରବାର ନେଇ ଯାଞ୍ଚ ଜାରି ରହିଛି। କେଉଁ କେଉଁ ସଂସ୍ଥା ସହ ଟିଟୋର ଲିଙ୍କ୍‌ ରହିଛି, କେଉଁମାନେ ଟିଟୋକୁ ସହଯୋଗ କରୁଛନ୍ତି ତାହା ଉପରେ ଖୋଳତାଡ଼ ଚାଲିଛି। ଗତକାଲି ଚଢ଼ଉ ବେଳେ ବିଭିନ୍ନ ସ୍ଥାନରେ ଥିବା ଟିଟୋର ବ୍ୟବସାୟିକ କାର୍ଯ୍ୟାଳୟ, ପେଟ୍ରୋଲ ପମ୍ପ, ସୋରୁମ୍‌କୁ ଏସ୍‌ଟିଏଫ୍‌ ସିଲ୍‌ କରିଥିଲା। ଟିଟୋର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଜବତ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ଚିଠି ଦିଆଯାଇଛି।

ସପ୍ତାହକ ତଳେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ କେନ୍ଦ୍ରାପଡ଼ା ଟାଉନ ଥାନା ଅଧୀନସ୍ଥ ଦିଲାରପୁର ଘରେ ଚଢ଼ଉ କରି ଟିଟୋ ସମେତ ୬ ଜଣ ସହଯୋଗୀକୁ ଗିରଫ କରିଥିଲା। ପରେ ତାକୁ ବଡ଼ଚଣା ପାଖରେ ଏନ୍‌କାଉଣ୍ଟର କରାଯାଇଥିଲା।

ସମ୍ବନ୍ଧିତ ଖବର