ଆଇନଜୀବୀଙ୍କୁ ପୁଲିସର ମାଡ଼ ପ୍ରସଙ୍ଗ : ନିଲମ୍ବନ ଆଦେଶ ପ୍ରତ୍ୟାହାର ଉପରେ ରୋକ୍‌

କଟକ : ଆଇନଜୀବୀଙ୍କୁ ଆକ୍ରମଣ ଘଟଣାରେ ପୁଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ପୁଲିସ କର୍ମଚାରୀଙ୍କ ନିଲମ୍ବନ ଆଦେଶ ପୂର୍ବ ଭଳି ବଳବତ୍ତର ରହିବ। ମୁୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ଆକ୍ରମଣ ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରାଯାଇଥିଲା। ଏହି ଶୁଣାଣି ସମୟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ କେବେ ଦାଖଲ ହେବ ସେ ନେଇ କିଛି ସ୍ପଷ୍ଟ କରାଯାଇ ନଥିଲା। ଏପରି ପରିସ୍ଥିତିରେ ନଭେମ୍ବର ୧୩ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଗୁଜରାଟର ଗାନ୍ଧୀନଗର ଲାବୋରେଟୋରିକୁ ମାମଲା ସଂପର୍କିତ ଭିଡିଓ ଓ ଫଟୋଗ୍ରାଫ ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ ପଠାଇଥିବା ବେଳେ ଆଉ କେତେ ଦିନ ରିପୋର୍ଟ ଦାଖଲ ପାଇଁ ଲାଗିବ ସେ ନେଇ ତଦନ୍ତକାରୀ ଅଧିକାରୀ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ, ନିଲମ୍ବିତ ପୁଲିସ୍‌ କର୍ମଚାରୀ ପ୍ରସଙ୍ଗରେ ହାଇକୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଆଇନଜୀବୀଙ୍କୁ ମାଡ଼ ଘଟଣାରେ ସଂପୃକ୍ତ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ନଭେମ୍ବର ୩ରେ ସରକାର ଏପରି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିଲେ। ମାମଲା ବିଚାରାଧୀନ ଥିବା ବେଳେ ଅଦାଲତଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ଉଚିତ ନଥିଲା ବୋଲି ଆଜି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୩୦ ତାରିଖ ଦିନ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ନଭେମ୍ବର ୯ ତାରିଖ ସୁଦ୍ଧା ତଦନ୍ତ ଶେଷ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଘଟଣାର ତଦନ୍ତ ତଦାରଖ ହାଇକୋର୍ଟର କାର୍ଯ୍ୟରତ ବିଚାରପତି ଜଷ୍ଟିସ ସି.ଆର୍.ଦାଶ କରିବେ। ପ୍ରତି ଦିନ ତଦନ୍ତର ଅଗ୍ରଗତି ସଂପର୍କରେ ତଦନ୍ତକାରୀ ଅଧିକାରୀ ଜଷ୍ଟିସ ଦାଶଙ୍କୁ ଅବଗତ କରିବେ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଥିଲା। ଆଇନଜୀବୀ ଶ୍ରୀ ପଟ୍ଟନାୟକଙ୍କୁ ପୁଲିସ ମାଡ ପ୍ରସଂଗକୁ ନେଇ ନ୍ୟାସନାଲିଷ୍ଟ ଲୟର୍ସ ଫୋରମ, କଟକ ବାର୍ ଆସୋସିଏସନ୍ ଓ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ବାଇଁଙ୍କ ପକ୍ଷରୁ ତିନୋଟି ପୃଥକ ଜନସ୍ବାର୍ଥ ମାମଲା ହାଇକୋର୍ଟରେ ରୁଜୁ କରାଯାଇଛି।

ବୁଧବାର ଯାଏ ଚାଲିବ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ
ଆଇନଜୀବୀଙ୍କ ଆନ୍ଦୋଳନ ୭୬ଦିନରେ ଆଜି ପହଞ୍ଚିଥିବାବେଳେ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଜାରି ରହିବ। ଆଜି ହାଇକୋର୍ଟ ବାର ଆସୋସିଏସନ ସାଧାରଣ ପରିଷଦ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗତ କାଲିର ପୁଲିସ ସହିତ ଆଇନଜୀବୀ ପ୍ରତିନିଧିଙ୍କ ଆଲୋଚନା ଉପରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଜାରି ରଖିବାକୁ ଆଜି ବୈଠକରେ ନିଷ୍ପତ୍ତି ନିଆଯାଇଛିି। ୧୪ ତାରିଖ ଦିନ ୨ଟାରେ ପରବର୍ତ୍ତୀ ସାଧାରଣ ପରିଷଦ ବୈଠକ ବସି ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ନିଷ୍ପତ୍ତି ନେବ ବୋଲି ସଂପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି।

୧୪ରେ ଆଇନଜୀବୀଙ୍କ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି
ହାଇକୋର୍ଟ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ପକ୍ଷରୁ ପୁଲିସ ନିଷ୍କ୍ରିୟତା ବିରୋଧରେ ଦାୟର ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ ସି. ଆର. ଦାଶଙ୍କୁ ନେଇ ଗଠିତ ଖଣ୍ତପୀଠ ନଭେମ୍ବର ୧୪ରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର