ନୂଆବଜାର ଛକରେ ପୁଲିସର ମାଡ଼ ଘଟଣା : ୩ ପୁଲିସ କର୍ମଚାରୀ ନିଲମ୍ବିତ

ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ, ସିବିଆଇ, ବିଚାରବିଭାଗୀୟ ତଦନ୍ତ ଦାବିରେ ମାମଲା

କଟକ : ନୂଆବଜାର ଛକରେ ଘଟିଥିବା ଦୁର୍ଘଟଣାକୁ ନେଇ ପୁଲିସ୍‌ ସଂପୃକ୍ତ ଆଇନଜୀବୀଙ୍କୁ ମାଡ଼ ମାରିବା ଘଟଣାରେ ୩ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଜଣେ ହୋମଗାର୍ଡଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହାବିଲଦାର ପ୍ରସନ୍ନ କୁମାର ବେହେରା, କନଷ୍ଟେବଲ୍‌ ଦିଲ୍ଲୀପ କୁମାର ସାମଲ ଏବଂ ଉଦୟ କୁମାର ଭୂୟାଁଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ହୋମଗାର୍ଡ କିଶୋର ଜେନାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କିନ୍ତୁ ସଂପୃକ୍ତ ପୁଲିସ କର୍ମଚାରୀଙ୍କୁ ଗିରଫ ଦାବିରେ ଆଇନଜୀବୀମାନେ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିଛନ୍ତି।

ଆଜି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେପ୍ଟେମ୍ବର ୩ ତାରିଖ ଦିନ ୧ଟା ବେଳେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ସାଧାରଣ ପରିଷଦ ବୈଠକରେ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ସୂଚନା ଦିଆଯାଇଛି। ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସଭାପତି ଶ୍ରୀକାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଭାପତି ବଂଶୀଧର ଶତପଥୀ, ସଂପାଦକ ସତ୍ୟବ୍ରତ ମହାନ୍ତି, ଯୁଗ୍ମସଂପାଦକ ରଂଜନ କୁମାର ନାୟକ, ପ୍ରଦୀପ କୁମାର ମହାନ୍ତି, ସୁରେଶ କୁମାର ଜେନା, ପ୍ରସନ୍ନ କୁମାର ପାଢୀ କଟକ ବାର ଆସୋସିଏସନ ସଭାପତି ଉମାକାନ୍ତ ନନ୍ଦ, ସଂପାଦକ ନରେଶ ଚନ୍ଦ୍ର ଜେନା, କ୍ରିମିନାଲ କୋର୍ଟ୍ସ ବାର ଆସୋସିଏସନ ସଭାପତି ଅକ୍ଷୟ କୁମାର ପତି, ସଂପାଦକ ପ୍ରଦୀପ କୁମାର ପରିଡ଼ାଙ୍କ ସହିତ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ।

ଅନ୍ୟପଟେ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପାଇଁ ଦାୟର ଦୁଇଟି ପୃଥକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଆଜି ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଜଷ୍ଟିସ କେ.ଆର୍‌.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ସୋମବାର ସୁଦ୍ଧା ପକ୍ଷ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୩ ରେ ଦୁଇ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଗୋଟିଏ ମାମଲା କଟକ ବାର୍‌ ଆସୋସିଏସନ୍‌ ସଭାପତି ଉମାକାନ୍ତ ନନ୍ଦ ଓ ସଂପାଦକ ନରେଶଚନ୍ଦ୍ର ଜେନା ଦାୟର କରିଥିବା ବେଳେ ଅନ୍ୟଟି ନ୍ୟାସନାଲିଷ୍ଟ ଲୟର୍ସ ଫୋରମ ପକ୍ଷରୁ ସବ୍ୟସାଚୀ ମହାପାତ୍ର ଦାୟର କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକ ଓ ଆଇନଜୀବୀ ପ୍ରସନ୍ନ କୁମାର ପାଢୀ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ରାଜ୍ୟ ଗୃହ ସଚିବ, ପୁଲିସ ଡିଜି, ସିବିଆଇ, ପୁଲିସ କମିସନର ଓ ଚାଉଳିଆଗଞ୍ଜ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ସିବିଆଇକୁ ତଦନ୍ତ ଦାୟିତ୍ୱ ଦେବା ସହିତ ସମଗ୍ର ଘଟଣାର ବିଚାରବିଭାଗୀୟ ତଦନ୍ତ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରାଯିବା ଏବଂ ଆଇନଜୀବୀ ଶ୍ରୀ ପଟ୍ଟନାୟକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର