ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଜାରି

ସମ୍ମିଳନୀରେ ଯୋଗ ଦେଲେ ବିଭିନ୍ନ ବାର‌୍‌ର ପ୍ରତିନିଧି, ନିଷ୍ପତ୍ତି ପାଇଁ ଆଜି ବସିବ ହାଇକୋର୍ଟ ବାର୍‌ ବୈଠକ

କଟକ : ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀ ଆନ୍ଦୋଳନ ଆସନ୍ତାକାଲି ଅର୍ଥାତ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଆଜି ହାଇକୋର୍ଟ ବାର୍ ଆସୋସିଏସନ୍ କନଭେନସନ୍ ହଲରେ ରାଜ୍ୟ ସ୍ତରୀୟ ମିଳିତ ବୈଠକରେ ବିଭିନ୍ନ ଜିଲ୍ଲାର ୭୫ଟି ବାର୍ ଆସୋସିଏନର ପ୍ରତିନିଧି ଯୋଗ ଦେଇଥିଲେ। ବିଭିନ୍ନ ବାରର ପ୍ରତିନିଧି ପ୍ରଦାନ କରିଥିବା ମତାମତ ଆଧାରରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ବୈଠକରେ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ। ପୂର୍ବରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ଆନ୍ଦୋଳନ ଶୁକ୍ରବାର ପର୍ଯ୍ୟନ୍ତ ଜାରି ରହିବ ବୋଲି ଘୋଷଣା କରାଯାଇଛି। ଏଥି ସହିତ ଆସନ୍ତାକାଲି ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦରେ ନିଆଯିବାକୁ ଥିବା ନିଷ୍ପତ୍ତିକୁ ଅନ୍ୟ ସମସ୍ତ ଆଇନଜୀବୀ ସଂଘ ଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି।

ଆଜିର ବୈଠକରେ ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକ, ସଂପାଦକ ସତ୍ୟବ୍ରତ ମହାନ୍ତି, ଯୁଗ୍ମ ସଂପାଦକ ରଂଜନ କୁମାର ନାୟକ, ସହକାରୀ ସଂପାଦକ ପ୍ରଦୀପ ମହାନ୍ତି, ପାଠାଗାର ସହସଂପାଦକ ସୁରେଶ ଜେନା, କଟକ ବାର୍ ସଭାପତି ଉମାକାନ୍ତ ନନ୍ଦ, କ୍ରିମିନାଲ କୋର୍ଟସ୍ ଅକ୍ଷୟ କୁମାର ପତିଙ୍କ ସହିତ ବିଭିନ୍ନ ବାର ପ୍ରତିନିଧି ଓ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର