ସେପ୍ଟେମ୍ବର ୧୨ଯାଏ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ : ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗ ଦେଲେ ୧୨୦ ବାର୍‌ର ପ୍ରତିନିଧି

ମାଡ଼ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି

କଟକ : ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ମାଡ଼ ଘଟଣାର ପ୍ରତିବାଦରେ ଅଗଷ୍ଟ ୨୯ରୁ ଆରମ୍ଭ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସେପ୍ଟେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଆଜି ହାଇକୋର୍ଟ ବାର୍‌ ଆସୋସିଏସନ୍‌ କନଭେନସନ୍‌ ହଲରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଆଇନଜୀବୀ ସଂଘ କର୍ମକର୍ତ୍ତାଙ୍କ ସମ୍ମିଳନୀରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୨୦ଟି ଆଇନଜୀବୀ ସଂଘର କର୍ମକର୍ତ୍ତା ଓ ପ୍ରତିନିଧି ଏହିି ବୈଠକରେ ଯୋଗ ଦେଇ ମାଡ ଘଟଣାକୁ ନିନ୍ଦା କରିବା ସହିତ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ଗିରଫ ଦାବି କରିଛନ୍ତି। ଆଇନଜୀବୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ବିଚାରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଆଇନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ବୋଲି ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏହି ସମ୍ବେଦନଶୀଳ ପ୍ରସଂଗର ତଦନ୍ତ ପାଇଁ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କୁ ଦାୟିତ୍ୱ ପ୍ରଦାନ ଦାବି କରାଯାଇଛି। ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନେବା ପାଇଁ ଏକ ଆକ୍ସନ କମିଟି ଗଠନ କରାଯିବ ଏବଂ ପରବର୍ତ୍ତୀ ବୈଠକ ୧୨ ତାରିଖ ଦିନ ୧ଟା ବେଳେ ହାଇକୋର୍ଟ ବାର୍‌ ଆସୋସିଏସନ ହଲ୍‌ରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ଡକ୍ଟର ଟହଲି ଚରଣ ମହାନ୍ତି ଓ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସଭାପତି ଶ୍ରୀକାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ହାଇକୋର୍ଟ ବାର୍‌ ଉପସଭାପତି ବଂଶୀଧର ଶତପଥୀ, ସଂପାଦକ ସତ୍ୟବ୍ରତ ମହାନ୍ତି, ଯୁଗ୍ମସଂପାଦକ ରଂଜନ ନାୟକ, ସହକାରୀ ସଂପାଦକ ପ୍ରଦୀପ ମହାନ୍ତି, ପାଠାଗାର ସହକାରୀ ସଂପାଦକ ସୁରେଶ ଜେନା, ସମସ୍ତ କାର୍ଯ୍ୟନିର୍ବାହୀ ସଦସ୍ୟ, ବରିଷ୍ଠ ଆଇନଜୀବୀ ବିଜନ ବିହାରୀ ରାୟ, ମାନସ ରଂଜନ ମହାପାତ୍ର, ଧରଣୀଧର ନାୟକ, ଜଗବନ୍ଧୁ ସାହୁ, ଗୋପାଳକୃଷ୍ଣ ମହାନ୍ତି, ସୌରଚନ୍ଦ୍ର ମହାପାତ୍ର, ବିଭୁଧେନ୍ଦ୍ର ମିଶ୍ର, ଡି.ପି.ଧଳ, ଅସୀମ ଅମିତାଭ ଦାସ, ସୀତାଂଶୁ ମୋହନ ଦ୍ୱିବେଦୀ, ବନୋଜ ପଟ୍ଟନାୟକ, ବିଭୁ ପ୍ରସାଦ ତ୍ରିପାଠୀ, ଦୀପକ ପଟ୍ଟନାୟକ, ଜ୍ଞାନରଂଜନ ମହାନ୍ତି, ଅମିତ ପଟ୍ଟନାୟକ, ମାନସ ଚାନ୍ଦ, ଅରୂପାନନ୍ଦ ଦାସ, ବିଭୁ ପ୍ରସନ୍ନ ମହାପାତ୍ର, କଟକ ବାର୍‌ ସଭାପତି ଉମାକାନ୍ତ ନନ୍ଦ, ସଂପାଦକ ନରେଶ ଚନ୍ଦ୍ର ଜେନା, କ୍ରିମିନାଲ କୋର୍ଟସ୍‌ ବାର୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି, ସଂପାଦକ ପ୍ରଦୀପ ପରିଡା, ପୂର୍ବାଞ୍ଚଳ ଆଇନଜୀବୀ ସଂଘ ସଂପାଦକ ମନୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର