ସାଧାରଣ ଜନତାଙ୍କ କ୍ଷତି ଭରଣା କରିବ କିଏ?

କ୍ଷମା ପ୍ରାର୍ଥନା, ଦୁଃଖ ପ୍ରକାଶ ପାଇଁ ୭୮ ଦିନ!

କଟକ : ଜଣେ ଆଇନଜୀବୀଙ୍କୁ ବିଚ ରାସ୍ତାରେ ମାଡ଼ ମାରିଥିବା ୪ ଜଣ ପୁଲିସ କର୍ମଚାରୀ କ୍ଷମା ପ୍ରାର୍ଥନା କଲେ। ଆନ୍ଦୋଳନ ସମୟରେ କୋର୍ଟ ପରିସରରେ ଜଣେ ପୁଲିସ କର୍ମଚାରୀ ମାଡ଼ ଖାଇଥିବାରୁ ହାଇକୋର୍ଟ ବାର୍ ଆ‌େସାସିଏସନ ଦୁଃଖ ପ୍ରକାଶ କଲା। ମାମଲାର ଶୁଣାଣି ସମୟରେ ବିଚାରପତି ଏ ପ୍ରକାର ପରିସ୍ଥିତି ଏଡାଇବାକୁ କେତେକ ନିର୍ଦ୍ଦେଶାବଳୀ ଜାରି କଲେ। ଆଉ ଏହାକୁ ନେଇ ଗଲା ୭୮ ଦିନ ଧରି ଚାଲିଥିବା ଆଇନଜୀବୀଙ୍କ ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। କିନ୍ତୁ ୭୮ ଦିନର ଆନ୍ଦୋଳନ ସମୟରେ ଅନେକ ଅଭାବନୀୟ, ଅଶୋଭନୀୟ ଦୃଶ୍ୟ ତଥା ପରିସ୍ଥିତି ସୃଷ୍ଟି ହୋଇଥିଲା। ତତ୍କାଳୀନ ପ୍ରଧାନ ବିଚାରପତି, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ, ବରିଷ୍ଠ ଆଇନଜୀବୀଙ୍କୁ ହାଇକୋର୍ଟ ବାର୍ ଆସୋସିଏସନରୁ ବହିଷ୍କାର ଭଳି ଘଟଣା ଘଟିଥିଲା। କିନ୍ତୁ ଏସବୁ ବାଦ ସାରା ରାଜ୍ୟର ସାଧାରଣ ଜନତା ବିଭିନ୍ନ କାରଣରୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଅଧିକାଂଶ ଜେଲରେ କଏଦୀ ସଂଖ୍ୟା କ୍ଷମତା ଠାରୁ ଦୁଇ ତିନି ଗୁଣ ବଢି ଯାଇଥିଲା। ଦୁଇ, ଚାରି ଦିନରେ ଜାମିନ ପାଇବାକୁ ଥିବା ବ୍ୟକ୍ତି ଦୁଇ ମାସ ଜେଲରେ ସଢି ଥିଲେ। ଆଇନ ଅଦାଲତ ସହିତ ଜଡିତ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅଟକି ଯାଇଥିଲା। କିନ୍ତୁ ଶେଷରେ ଯେଉଁ ଦୁଇଟି କଥାରେ ଏ ବିବାଦର ସମାଧାନ ହେଲା, ସେଥିପାଇଁ କାହିଁକି ଆଉ କେଉଁ କାରଣରୁ ୭୮ ଦିନ ସମୟ ଲାଗିଲା, ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠୁଛି। ଯଦି କ୍ଷମା ପ୍ରାର୍ଥନା ଅଥବା ଦୁଃଖ ପ୍ରକାଶରେ ଏ ବିବାଦ ସମାଧାନ ଅପେକ୍ଷା ରଖୁଥିଲା, ତେବେ ଉଭୟ ପୁଲିସ ଓ ଆଇନଜୀବୀ ପକ୍ଷ ଏଥିପାଇଁ କାହିଁକି ୭୮ ଦିନ ସମୟ ନେଲେ? ଗୁରୁତର ସମସ୍ୟାରେ ପଡି ହନ୍ତସନ୍ତ ହୋଇଥିବା ସାଧାରଣ ଜନତାଙ୍କ ଏହି ସମୟ କିଏ ଭରଣା କରିବ ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର