ଆଇନଜୀବୀ-ପୁଲିସ ବିବାଦରେ ନୂଆମୋଡ଼ : ୩ ପୁଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର

ଚାଉଳିଆଗଂଜ ଥାନା ଆଇଆଇସିଙ୍କୁ କାରଣଦର୍ଶାଅ ନୋଟିସ୍, ଆନ୍ଦୋଳନକୁ ଓହ୍ଲାଇବ ନାହିଁ ପୁଲିସ ମହାସଂଘ

କଟକ : ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ମାଡ଼ ମାରିଥିବା ଘଟଣାରେ ସଂପୃକ୍ତ ୩ ଜଣ କନଷ୍ଟେବଳଙ୍କ ଗିରଫ ଦାବିରେ ଆଇନଜୀବୀଙ୍କ ଆନ୍ଦୋଳନ ରେକର୍ଡ ୭୫ ଦିନରେ ପହଞ୍ଚିବାକୁ ଯାଉଛି। ଏଭଳି ସ୍ଥିତିରେ କିନ୍ତୁ କମିସନରେଟ ପୁଲିସ ଏକ ଆହ୍ବାନମୂଳକ ପଦ‌େକ୍ଷପ ନେଇଛି। ଆଇନଜୀବୀ ଶ୍ରୀ ପଟ୍ଟନାୟକଙ୍କୁ ମାଡ଼ ମାରିବା ଅଭିଯୋଗରେ ଅଗଷ୍ଟ ୩୦ ତାରିଖ ଦିନ ଯେଉଁ ୩ ଜଣ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଥିଲା, ସେମାନଙ୍କ ଉପରୁ ଆଜି ନିଲମ୍ବନ ନିଷ୍ପତ୍ତି ଉଠାଇ ନିଆଯାଇଛି। କଟକ ଡିସିପି ଅଖିଳେଶ୍ବର ସିଂହ ଆଜି ନିଲମ୍ବନ ନିର୍ଦ୍ଦେଶ ପ୍ରତ୍ୟାହାର ସଂପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି।

ଡିସିପିଙ୍କ ନିର୍ଦ୍ଦେଶନାମା ଅନୁଯାୟୀ କନଷ୍ଟେବଳ ଦିଲ୍ଲୀପ କୁମାର ସାମଲ, ଓଏପିଏଫ୍‌ର ଉଦୟ ଭୂୟାଁ ଏବଂ ହାବିଲଦାର ପ୍ରସନ୍ନ କୁମାର ବେହେରାଙ୍କ ଉପରୁ ନିଲମ୍ବନ ଉଠାଇ ଦିଆଯିବା ସହ ସେମାନଙ୍କୁ ପୂର୍ବଭଳି ଚାଉଳିଆଗଂଜ ଥାନାରେ କାମ କରିବାକୁ ସୁଯୋଗ ଦିଆଯାଇଛି। ଅନ୍ୟପଟେ ଡିସିପି ଶ୍ରୀ ସିଂହ କହିଛନ୍ତି ଯେ, ୩ ଜଣଙ୍କ ବିରୋଧରେ ଚାଲିଥିବା ବିଭାଗୀୟ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ତଦନ୍ତ ଶେଷ ହେବା ପରେ ଏହି ନିଲମ୍ବନ ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ସୂଚନାଯୋଗ୍ୟ ନିଲମ୍ବନର ୪୫ ଦିନ ମଧ୍ୟରେ ଚାର୍ଜସିଟ୍‌ ଫ୍ରେମ୍‌ କରାଯାଇ ପରବର୍ତ୍ତୀ ପଦକ୍ଷେପ ନେବାର ନିୟମ ରହିଛି। ହେଲେ ୬୦ ଦିନ ବିତି ଯାଇଥିଲେ ମଧ୍ୟ ସେମାନଙ୍କର ନିଲମ୍ବନ ଉଠି ନଥିଲା। ତେଣୁ ନିୟମ ଅନୁସାରେ ସେମାନଙ୍କ ନିଲମ୍ବନ ଉଠାଯାଇଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। କିନ୍ତୁ ଡିସିପିଙ୍କ ଏଭଳି ନିଷ୍ପତ୍ତିକୁ ଆଇନଜୀବୀ ସଂଘ କିଭଳି ଗ୍ରହଣ କରୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ଦୁଇ ଦିନ ତଳେ ଡିସିପି ସୂଚନା ଦେଇଥିଲେ ଯେ, ବିଭିନ୍ନ ଆଇନଜୀବୀ ସଂଘର କର୍ମକର୍ତ୍ତା ତାଙ୍କ ସହିତ ନରାଜ ଆଇବିରେ ବିବାଦର ସମାଧାନ ପାଇଁ ଆଲୋଚନା କରିଥିଲେ। କିନ୍ତୁ ଯେଉଁ ନିଷ୍ପତ୍ତି ଅନୁଯାୟୀ ଆନ୍ଦୋଳନ ପ୍ରତ୍ୟାହାର ହେବ ବୋଲି ସେମାନେ ମତ ଦେଇଥିଲେ, ତାହା କରାଯାଇଥିଲେ ବି ଆଇନଜୀବୀ ଆନ୍ଦୋଳନରୁ ଓହରି ନଥିଲେ। ଏହି ବୈଠକରେ ଯେଉଁମାନେ ଉପସ୍ଥିତ ଥିଲେ ବୋଲି ସୂଚନା ଦିଆଯାଇଥିଲା, ସେମାନଙ୍କ ମଧ୍ୟରୁ କିନ୍ତୁ ଦୁଇ ଜଣ ବୈଠକକୁ ଯାଇ ନଥିଲେ ବୋଲି କହିଥିଲେ। ସୂଚନା ଦିଆଯାଇଥିବା କେତେକ ନାମରେ ତ୍ରୁଟି ରହିଛି ବୋଲି ଡିସିପି ପରବର୍ତ୍ତୀ ସମୟରେ ସ୍ବୀକାର କରିଥିଲେ ବି ଜଣେ ଆଇନଜୀବୀ ଡିସିପିଙ୍କୁ ଲିଗାଲ ନୋଟିସ ପଠାଇଥିଲେ। ଆଇନଜୀବୀଙ୍କୁ ମାଡ଼ ଘଟଣାରେ ପୁଲିସ ଜଣେ ହୋମଗାର୍ଡ ଓ ଜଣେ ସାଧାରଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ଉପରୋକ୍ତ ୩ ଜଣଙ୍କୁ ନିଲମ୍ବିତ କରିଥିଲା। କିନ୍ତୁ ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ପୁଲିସ ଆଜି ଏଭଳି ଏକ ଦୃଢ ପଦକ୍ଷେପ ନେଇଛି।

ଅନ୍ୟପଟେ କନଷ୍ଟେବଳଙ୍କ ବିରୋଧରେ ନିଆଯାଇଥିବା ପଦକ୍ଷେପ ପ୍ରତିବାଦରେ ଓଡ଼ିଶା ପୁଲିସ ମହାସଂଘ ଆନ୍ଦୋଳନ ଚେତାବନୀ ଦେଇଥିବା ବେଳେ ଆଜି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସହ ଆଲୋଚନା ପରେ ଆଉ ଆନ୍ଦୋଳନକୁ ଓହ୍ଲାଇବ ନାହିଁ ବୋଲି ସୂଚନା ଦେଇଛି। ଏ ସଂକ୍ରାନ୍ତରେ ମହାସଂଘର ସଭାପତି ସନ୍ତୋଷ ଶତପଥୀ କହିଛନ୍ତି ଯେ ଘଟଣା ଦିନ ଥାନାରୁ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ କାହିଁକି ଛାଡ଼ି ଦିଆଗଲା ସେ ସଂପର୍କରେ ଚାଉଳିଆଗଂଜ ଥାନା ଆଇଆଇସି ଅଜୟ ଦାସଙ୍କୁ କାରଣଦର୍ଶାଅ ନୋଟିସ୍‌୦ ପୁଲିସ କମିସନରଙ୍କ ପକ୍ଷରୁ ଦିଆଯାଇଛି ବୋଲି ଡିଜି ସେମାନଙ୍କୁ ସୂଚନା ଦେଇଛନ୍ତି। ତେଣୁ ଏଭଳି ସ୍ଥିତିରେ ଡିଜିଙ୍କ ସହ ଆଲୋଚନା ପରେ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ନାହିଁ ବୋଲି ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର