ଲାଠୋର ଚାନ୍ଦିଲି ଜଙ୍ଗଲରେ ପୁଲିସ – ମାଓବାଦୀ ଗୁଳି ବିନିମୟ

ସର୍ଚ୍ଚ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ, ମାଓ ସାମଗ୍ରୀ ଜବତ୍‌

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଲାଠୋର ଥାନା ଅନ୍ତର୍ଗତ ଲାଠୋର ରିଜର୍ଭ ରେଞ୍ଜର ଚାନ୍ଦିଲି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ପୁଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ। ସର୍ଚ୍ଚ ଅପରେସନ ସମୟରେ ମାଓ କ୍ୟାମ୍ପ ଠାବ କରିବା ସହିତ ମାଓ ସମାଗ୍ରୀ ଜବତ୍‌ କରିଥିବା ନେଇ ବଲାଙ୍ଗୀର ଏସ୍‌ପି ଏସ. ଶୁଭ୍ରାମଣି ଖପ୍ରାଖୋଲ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ବଲାଙ୍ଗୀର ଏସ୍‌ପି ଶୁଭ୍ରାମଣି କହିଛନ୍ତି ଯେ, ଶୁକ୍ରବାର ୨୭ ତାରିଖ ରାତି ୧୧ଟାରେ ଚାନ୍ଦିଲି ଜଙ୍ଗଲରେ ୧୫ – ୧୬ ମାଓବାଦୀ ମାନେ ଆସି ରହୁଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା। ଏହା ପରେ ତତ୍‌କ୍ଷଣାତ୍‌ ପୁଲିସ ଉକ୍ତ ଜଙ୍ଗଲରେ ଅପରେସନ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଅପରେସନରେ ଏସଓଜି ଓ ସିଆରପିଏଫ୍‌ ଯବାନ ସାମିଲ ଥିଲେ। ଶନିବାର ସକାଳ ୯ଟାରେ ପୁଲିସର ସର୍ଚ୍ଚ ଅପରେସନ ଚାଲୁଥିବା ବେଳେ ମାଓବାଦୀମାନେ ୫ ରୁ ୬ ରାଉଣ୍ଡ ଗୁଳି ପୁଲିସ ଉପରକୁ ଚାଳନା କରିଥିଲେ। ପରେ ପୁଲିସ ପକ୍ଷରୁ ମଧ୍ୟ ୭ ରୁ ୮ ରାଉଣ୍ଡ ଗୁଳି ଚାଳନା କରା ଯାଇଥିଲା । ଉଭୟ ପକ୍ଷ ମଧ୍ୟରେ ପାଖାପାଖି ୨୦ ମିନିଟ ପର୍ଯ୍ୟନ୍ତ ଗୁଳି ବିନିମୟ ହୋଇଥିଲା। ଏଥିରେ ଉଭୟ ପକ୍ଷର କାହାର କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି ।

ସେହିପରି ଗୁଳି ବିନିମୟ ପରେ ମାଓବାଦୀ ମାନେ ଘନ ଜଙ୍ଗଲ ଓ ପାହାଡ ମଧ୍ୟରେ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ। ସର୍ଚ୍ଚ ଅପରେସନ ବେଳେ ଯବାନମାନେ ମାଓ ଶିବିର ଠାବ କରିବା ସହ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ। ସେଠାରୁ ଗୋଟିଏ ଜୀବନ୍ତ ଗ୍ରେନେଡ ସହିତ ଡିଟୋନେଟର, ୫ କିଟ ବ୍ୟାଗ, ୧୨ଟି ଜାରକିନ୍‌, ଗୋଟିଏ ରେଡିଓ, ଗୋଟିଏ କାଲ୍‌କୁଲେଟର୍‌, ୫ଟି ଛତା, ୨ ଯୋଡି ମାଓବାଦୀଙ୍କ ୟୁନିଫର୍ମ, ୧୦ଟି ଛୋଟ ବ୍ୟାଗ୍‌, ରୋଷେଇ ଉପକରଣ ଓ ବ୍ୟାପକ ପରିମାଣରେ ମାଓ ପୋଷ୍ଟର ବେନର ଆଦି ପାଇ ଜବତ କରିଥିଲେ।

ସମ୍ବନ୍ଧିତ ଖବର