ନମ୍ବର ପ୍ଲେଟରେ ‘ପୁଲିସ’ ଲେଖି ରାଜଧାନୀରେ ବୁଲୁଛି କାର, ନୋଟିସ୍ କଲେ କମିସନର

ଭୁବନେଶ୍ୱର: ନିଜ କାରର ନମ୍ବର ପ୍ଲେଟରେ ପୁଲିସ ଲେଖି ରାସ୍ତାରେ ଗାଡି ଚଳାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ | କାରଣ ଆପଣଙ୍କ ପାଖରେ ପହଁଚିଯାଇପାରେ ପୁଲିସର ନୋଟିସ | କମିସନରେଟ ପୁଲିସର କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ ପୁଲିସ ଲେଖି ବୁଲୁଥିବା ଏକ କାର ମାଲିକଙ୍କୁ ନୋଟିସ ଜାରି କରିଛନ୍ତି | ମିଳିଥିବା ସୂଚନା ମୁତାବକ ଓଡି ୦୨ ଏଏକ୍ସ ୪୮୪୬ ନମ୍ବରର ସେଲେରିଓ କାର ରାଜଧାନୀ ରାସ୍ତାରେ ବୁଲୁଥିଲା | ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଏହି କାରଟି ବୁଲୁଥିବା ନେଇ ଜଣେ ବ୍ୟକ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ  ଟ୍ୱିଟର ମାଧ୍ୟମରେ ଜଣାଇଥିଲେ | ଏହାପରେ କମିସନର ତାଙ୍କୁ ଟୁଇଟ୍ ଜରିଆରେ ଗାଡ଼ି ମାଲିକଙ୍କୁ ନୋଟିସ ଜାରି ହୋଇସାରିଛି ବୋଲି ଜଣାଇଥିଲେ।


ଏହାପରେ କମିସନର ନମ୍ବର ଯାଞ୍ଚ କରି ଗାଡି ମାଲିକଙ୍କୁ ନୋଟିସ ଜାରି କରିଛନ୍ତି | ତେବେ ଏହି ଘଟଣା ପ୍ରଥମ ନୁହେଁ | ପୂର୍ବରୁ ମଧ୍ୟ ରାଜରାସ୍ତାରେ ଓଡି ୦୨ ଏପି ୪୫୭୪ ନମ୍ବର ଥିବା ସ୍ୱିଫ୍ଟ କାରଟିଏ ବିନା ନିୟମକାନୁନରେ ବୁଲୁଥିଲା | ନମ୍ବର ପ୍ଲେଟ ତଳେ ଲେଖାଥିଲା ଧୀରେ ଚଲାଅ, ମୁଁ ଜଣେ ପୁଲିସ | ଏହାକୁ ନେଇ ଜଣେ ବ୍ୟକ୍ତି ଆଇପିଏସ ଅଫିସର(ତତକାଳୀନ ଆଇଜି, କ୍ରାଇମବ୍ରାଞ୍ଚ) ଅରୁଣ ବୋଥ୍ରାଙ୍କୁ ଟ୍ୱିଟ କରିଥିଲେ |

 

ଏହାପରେ ଅରୁଣ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁଙ୍କ ସହ ଏ ବାବଦରେ କଥା ହୋଇଥିଲେ | ଏହାପରେ ଗାଡ଼ିଟିକୁ ଖୋଜାଯାଇ କାର ମାଲିକଙ୍କ ପାଖରୁ ଚାଲାଣ କଟାଯିବା ସହ ଦାଦାଗିରି ଷ୍ଟିକରକୁ ହଟାଯାଇଥିଲା | ତଦନ୍ତରୁ ଜଣାପଡିଥିଲା ଯେ ଏହି କାରଟି ଯାଜପୁରର ଜଣେ ଠିକାଦାରଙ୍କର ହୋଇଥିବାବେଳେ ପୁଲିସ ବିଭାଗ ସହ ତାଙ୍କର କୌଣସି ସମ୍ପର୍କ ହିଁ ନଥିଲା|

ସମ୍ବନ୍ଧିତ ଖବର