ପୁଲିସ-ନକ୍ସଲ ଗୁଳି ବିନିମୟ

କଲେଇପୋଷ/ବଣାଇଁ/ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଲୁଙ୍ଗା ଗାଁରୁ ୨ କିଲୋମିଟର ଦୂର ଜଙ୍ଗଲରେ ଶନିବାର ରାତିରେ ପୁଲିସ-ନକ୍ସଲ ଗୁଳି ବିନିମୟ ହୋଇଛି। ସନ୍ଧ୍ୟା ୭ଟାରୁ ରାତି ସାଢ଼େ ୧୦ଟା ଯାଏ ପୁଲିସ ପକ୍ଷରୁ ଶହେ ରାଉଣ୍ଡ ଗୁଳି ଚାଳନା ହୋଇଥିବା ବେଳେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲରେ ଚମ୍ପଟ ମାରିଥିଲେ। ତେବେ କୌଣସି ପକ୍ଷରୁ କେହି ମୃତାହତ ହୋଇନଥିବା ପୁଲିସ୍‌ କହିଛି।

ଆଜି ଭୋର୍‌ରେ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ (ଡିଭିଏଫ୍‌) ଓ ସ୍ୱତନ୍ତ୍ର ଅପରେସନ୍‌ ଗ୍ରୁପ୍‌ (ଏସ୍‌ଓଜି) ଯବାନମାନେ ଖାନତଲାସୀ କରୁଥିବା ବେଳେ ଜଙ୍ଗଲ ମଧ୍ୟରେ ଏକ ନକ୍ସଲ କ୍ୟାମ୍ପ୍‌ ଠାବ କରିଛନ୍ତି। ସେହି ନକ୍ସଲ୍‌ମାନେ କ୍ୟାମ୍ପ ଛାଡ଼ି ପଳାଇଥିବା ବେଳେ ପୁଲିସ ଅଳ୍ପ କିଛି ମାଓ ସାମଗ୍ରୀ ଜବତ କରିଛି। ଜବତ ସାମଗ୍ରୀ ମଧ୍ୟରେ କିଛି ନକ୍ସଲ ୟୁନିଫର୍ମ, ବ୍ୟାଗ, ଖାଦ୍ୟ ସାମଗ୍ରୀ ଏବଂ ଔଷଧ ରହିଛି। ଲୁଙ୍ଗା ଜଙ୍ଗଲରେ ଆଡ୍ଡା କରିଥିବା ନକ୍ସଲମାନେ ସନ୍ଧ୍ୟାରେ ଲୁଙ୍ଗା ଗାଁକୁ ଆସି ଖାଦ୍ୟ ସଂଗ୍ରହ କରି ଫେରୁଥିବା ବେଳେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ ବୋଲି ମହୁଲପଦା ଥାନା ଅଧିକାରୀ ଅଲେଖ ଚନ୍ଦ୍ର ଗର୍ଡିଆ କହିଛନ୍ତି।

ଗୁଳି ବିନିମୟ: ୩ ମାଓବାଦୀ ଅହତ!

ନୂଆପଡ଼ା : ଓଡ଼ିଶା ଛତିଶଗଡ଼ ସୀମା ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ପାଟଦରାହ କାଟଫେର ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଓ ଏସଓଜି ଯବାନ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଶନିବାର କାଠଫେର ସଂରକ୍ଷିତ ଜଙ୍ଗଲର ପଶ୍ଚିମ ଦିଗକୁ ୧କିମି ଦୂର ଏକ ନାଳା ନିକଟରେ ମାଓବାଦୀମାନେ ଏସଓଜି ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଏସଓଜି ଯବାନମାନଙ୍କ ତରଫରୁ ପଲଟା ଗୁଳିଚାଳନା କରା ଯାଇଥିଲା। ପୁଲିସ ଗୁଳିରେ ୨-୩ ଜଣ ମାଓବାଦୀ ଆହତ ହୋଇଥିବା ସନ୍ଦେହ କରାଯାଉଛି ବୋଲି ଏସ୍‌ପି ସୂଚନା ଦେଇଥିଲେ। ସୂଚନା ଅନୁସାରେ, କ୍ୟାମ୍ପରେ ୨୫ରୁ ୩୦ ଜଣ ମହିଳା ଓ ପୁରୁଷ ମାଓବାଦୀ ଥିଲେ।

ସମ୍ବନ୍ଧିତ ଖବର