ତଣ୍ଟିରେ ଲାଗିଲା ‘ଗୁଇନ୍ଦା ଚିଠି’ : ୩ ବିଜେପି ନେତାଙ୍କୁ ପୁଲିସ ନୋଟିସ୍

ଭୁବନେଶ୍ବର : ଗୁଇନ୍ଦା ବିଭାଗର ଚିଠିକୁ ନେଇ ଆଜି କମିସନରେଟ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଆଜି ଖାରବେଳନଗର ଥାନା ପୁଲିସ ପକ୍ଷରୁ ୩ ବିଜେପି ନେତାଙ୍କୁ ନୋଟିସ୍‌ ହୋଇଛି। ଖୁବ୍ ଶୀଘ୍ର ସେମାନେ ଥାନାରେ ହାଜର ହୋଇ ନିଜ ମତ ରଖିବେ। ସେମାନେ କେଉଁଠୁ ଏହି ଜାଲ କାଗଜପତ୍ର ପାଇଲେ, କିଏ ଦେଇଥିଲା, କେଉଁଠି ଏହାର ମୂଳ ରହିଛି ସେ ନେଇ ପଚରାଉଚରା କରାଯିବ।

କମିସନରେଟ ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ସିଆରପିସିର ୯୧ ଅନୁଯାୟୀ, ଏହି ନୋଟିସ୍‌ କରାଯାଇଛି। ବିଜେପି ନେତା ସମୀର ମହାନ୍ତିଙ୍କୁ ପ୍ରଥମେ ହାଜର ହେବାକୁ କୁହାଯାଇଛି। ସେ ଗୁରୁବାର ଖାରବେଳନଗର ଥାନାରେ ହାଜର ହେବେ। ୨୩ ତାରିଖରେ ଗୋଲକ ମହାପାତ୍ର ଓ ୨୪ ତାରିଖ ଦିନ ଟଙ୍କଧର ତ୍ରିପାଠୀ ଥାନାରେ ହାଜର ହେବେ। ସେମାନେ କେଉଁ ପରିସ୍ଥିତିରେ ଏହି ଜାଲ କାଗଜପତ୍ର ପାଇଲେ, କିଏ ସେମାନଙ୍କୁ ଯୋଗାଇ ଥିଲା, ସେ ନେଇ ପଚରା ଉଚରା କରାଯିବ। ସେମାନଙ୍କଠାରୁ ତଥ୍ୟ ମିଳିବା ପରେ ଏହି ଘଟଣାର ମୂଳ ପର୍ଯ୍ୟନ୍ତ ପୁଲିସ ଯିବାକୁ ଉଦ୍ୟମ କରିବ। କେଉଁ ଉଦ୍ଦେଶ୍ୟ ରଖି କିଏ ଏଭଳି ମିଥ୍ୟା ଓ ଜାଲ କାଗଜପତ୍ର ଏକ ରାଜନୈତିକ ଦଳକୁ ପ୍ରଦାନ କରିଥିଲା ଏବଂ ପରବର୍ତୀ ସମୟରେ ଉକ୍ତ ରାଜନୈତିକ ଦଳ ଗଣମାଧ୍ୟମ ସମ୍ମୁଖରେ ଏହି ଜାଲ କାଗଜ ପରିବେଷଣ କରିଥିଲା ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ବିଜେପିର ମିଡିଆ ସେଲ୍‌କୁ ଏହି ତଦନ୍ତରେ ଅନ୍ତର୍ଭୁକ୍ତ କରାଯିବ।

ଏଭଳି ଜାଲ କାଗଜପତ୍ର କେଉଁଠି ପ୍ରସ୍ତୁତି ହୋଇଛି ସେ ନେଇ ମଧ୍ୟ ଅନୁସନ୍ଧାନ କରାଯାଉଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଉକ୍ତ ଅଧିକାରୀଙ୍କ କହିବା ମୁତାବକ, ଯେ ଯେଉଁ କାଗଜ ବିଜେପି ନେତାମାନେ ଗଣମାଧ୍ୟମକୁ ଦେଖାଇଥିଲେ ସେଥିରେ ଥିବା ଦସ୍ତଖତ ଜାଲ। ତାରିଖ ମଧ୍ୟ ନାହିଁ। ଯେଉଁ ଚିଠି ନମ୍ବର ପଡ଼ିଛି ଗୁଇନ୍ଦା ବିଭାଗ ସେଭଳି କୌଣସି ନମ୍ବର ପକାଇ ନ ଥାଏ। ତେଣୁ ସେହି କାଗଜକୁ ଜବତ କରାଯିବ ସହିତ, ଫୋରେନସିକ ଯାଞ୍ଚ ପାଇଁ ପଠାଯିବ। ଏଭଳି ଜାଲ କାଗଜପତ୍ର କେଉଁଠୁ ପ୍ରସ୍ତୁତ ହୋଇଛି ତାହା ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏଠାରେ ପ୍ରକାଶଥାଉକି ସୋମବାର ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଗୁଇନ୍ଦା ବିଭାଗର ଏକ ଚିଠି ଦେଖା ଯାଇଥିଲା। ଯେଉଁ ଚିଠିକୁ ନେଇ ବିବାଦ ଉପୁଜିଥିଲା। ପରେ ପୁଲିସ ଡିଜି ଟୁଇଟ୍‌ କରି ଜଣାଇଥିଲେ କି, ଏହା ଏକ ଜାଲ ଚିଠି ବୋଲି।

ସମ୍ବନ୍ଧିତ ଖବର