ଫାଣ୍ଡିରେ ପୁଲିସ ଅଧିକାରୀ ଓ ଅଭିଯୁକ୍ତ ପିଟାପିଟି!

ଉଭୟ ଡାକ୍ତରଖାନାରେ ଭର୍ତି

ନୟାଗଡ଼ : ଫାଣ୍ଡି ଭିତରେ ଫାଣ୍ଡି ଅଧିକାରୀ ଓ ଅଭିଯୁକ୍ତ  ହାତାହାତି ହୋଇଛନ୍ତି। ଦୁହେଁ ଦୁହିଁକୁ ଆକ୍ରମଣ କରିବା ଫଳରେ ଆହତ ହୋଇ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ଏଭଳି ଅଭାବନୀୟ କାଣ୍ଡ ଘଟିଛି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ଫାଣ୍ଡିରେ। ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଦୁଇଜଣଙ୍କ ଚିକିତ୍ସା ଚାଲିଥିବାବେଳେ ବିଳମ୍ବିତ ରାତି ସୁଦ୍ଧା ଏ ନେଇ କେହି ଥାନାରେ ଅଭିଯୋଗ କରିନାହାନ୍ତି।

ମିଳିଥିବା ସୂଚନା ମୁତାବକ, ଗୋଡ଼ିପଡ଼ା ଗାଁର କୃଷ୍ଣଚନ୍ଦ୍ର ସାହୁଙ୍କ ପୁଅ ସୁରେନ୍ଦ୍ର ସାହୁ, ଆରତ ସାହୁ, ଶରତ ସାହୁ ଓ ପ୍ରଭାତ ସାହୁଙ୍କ ମଧ୍ୟରେ ଘରବାଡ଼ିକୁ କେନ୍ଦ୍ର କରି ବହୁଦିନରୁ ବିବାଦ ଲାଗି ରହିଛି। ଆଜି ବାଡ଼ ଦେବାକୁ ନେଇ ଆରତ ଓ ଶରତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କଥା ହାତାହାତି ପର୍ଯ୍ୟନ୍ତ ଯିବାରୁ ଆରତଙ୍କ ସ୍ତ୍ରୀ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଫାଣ୍ଡି ପକ୍ଷରୁ କିଛି ପୁଲିସ ଘଟଣା ସ୍ଥଳକୁ ଯାଇ ପଚରାଉଚରା କରି ଫେରିବା ସହ ଶରତ ଓ ତାଙ୍କ ସାନ ଭାଇ ପ୍ରଭାତକୁ ଫାଣ୍ଡିକୁ ଡାକିଥିଲେ। ଏହା ପରେ କ’ଣ ହେଲା କେଜାଣି ଫାଣ୍ଡି ଅଧିକାରୀଙ୍କ ସହ ଅଭିଯୁକ୍ତଙ୍କ ହାତାହାତି ହୋଇଥିଲା। ସେମାନେ ପରସ୍ପରକୁ ଆକ୍ରମଣ ଓ ପ୍ରତିଆକ୍ରମଣ କରିଥିଲେ। ଆକ୍ରମଣରେ ପ୍ରଭାତ ଚେତାଶୂନ୍ୟ ହୋଇଯାଇଥିଲେ। ତାଙ୍କୁ ପ୍ରଥମେ ଗୋଡ଼ିପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା।

ସେହିପରି ଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ନନ୍ଦ ବି ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି।  ପ୍ରଭାତଙ୍କ ଅଭିଯୋଗ, ଫାଣ୍ଡି ଅଧିକାରୀଙ୍କ ଡକରା ପାଇ ଆଜି ଅପରାହ୍ନରେ ଭାଇ ଶରତଙ୍କ ସହ ସେ ଫାଣ୍ଡିରେ ପହଂଚିଥିଲେ। ସେତେବେଳକୁ ଫାଣ୍ଡି ଅଧିକାରୀ ଓ ଅନ୍ୟମାନେ ଫାଣ୍ଡି ଭିତରେ ମଦ୍ୟପାନ କରୁଥିଲେ। ଏହା ଦେଖି ସେମାନେ ଫାଣ୍ଡି ବାରଣ୍ଡାରେ ବସିଥିଲେ। ଏହି ସମୟରେ ଫାଣ୍ଡି ଅଧିକାରୀ ତାଙ୍କୁ ବୁଥ୍‌ରେ ଗୋଇଠା ମାରି ତଳେ ପକାଇ ଦେଇଥିଲେ। ଗୋଇଠାରେ ସେ ତଳେ ପଡ଼ିଯିବା ସହ ଚେତା ବୁଡ଼ି ଯାଇଥିଲା। ତାଙ୍କୁ ପ୍ରଥମେ ଗୋଡ଼ିପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ସେପଟେ ଫାଣ୍ଡି ଅଧିକାରୀ ଶ୍ରୀ ନନ୍ଦଙ୍କ କହିବା ମୁତାବକ, ଘରବାଡ଼ିକୁ ନେଇ ବିବାଦ ଦେଖାଦେବା ପରେ ସେ ଦୁଇ ଜଣଙ୍କୁ ଫାଣ୍ଡିକୁ ଡାକିଥିଲେ। କିନ୍ତୁ ଦୁଇଜଣ କଥା ହେବା ଛଳରେ ହଠାତ୍‌ ଫାଣ୍ଡି ଭିତରେ ପଶି ତାଙ୍କୁ ଆକ୍ରମଣ କରିଥିଲେ। ସମ୍ବେଦନଶୀଳ ଅଙ୍ଗକୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।

ସମ୍ବନ୍ଧିତ ଖବର