ଶବ ବ୍ୟବଚ୍ଛେଦ ଅନୁସନ୍ଧାନ ପାଇଁ ଲାଞ୍ଚ ମାଗିଲେ ପୁଲିସ ବାବୁ

ନୀଳଗିରି ଡାକ୍ତରଖାନାରେ ୧୬ ଘଣ୍ଟା ପଡ଼ି ରହିଲା ଶବ, ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଶବ ବ୍ୟବଚ୍ଛେଦ ହେଲା

ନୀଳଗିରି/ରାଜବରହମପୁର : ପୁଣି ପୁଲିସ ପୋଷାକରେ ଦାଗ ଲାଗିଲା। ମାନବିକତା ଭୁଲିଗଲେ ଜଣେ ପୁଲିସ ଏଏସ୍‌ଆଇ। ଭେଣ୍ଡିଆ ପୁଅର ମୃତ୍ୟୁରେ ମ୍ରିୟମାଣ ପରିବାର ସଦସ୍ୟଙ୍କୁ ଶବ ବ୍ୟବଚ୍ଛେଦ ଅନୁସନ୍ଧାନ ପାଇଁ ଲାଞ୍ଚ ମାଗିଲେ। ଟଙ୍କା ନ ଦେଲେ ଶବ ବ୍ୟବଚ୍ଛେଦ ଅନୁସନ୍ଧାନ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରିଦେଲେ। ଏପଟେ ପରିବାରବର୍ଗ ବହୁ କାକୁତିମିନତି କରିଥିଲେ ବି ପୁଲିସ ବାବୁ ଜଣକ ଅମଣିଷ ପାଲଟି ଯାଇଥିଲେ। ଶେଷରେ ପରିବାର ଲୋକେ ନିରୁପାୟ ହୋଇ ନୀଳଗିରି ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦେବା ପରେ ଅନ୍ୟ ପୁଲିସ ଅଧିକାରୀ ଶବ ବ୍ୟବଚ୍ଛେଦ ନେଇ ଅନୁସନ୍ଧାନ କରିଥିଲେ। ଆଜି ଏମିତି ଏକ ଘଟଣାକୁ ନେଇ ନୀଳଗିରି ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ନୀଳଗିରି ବ୍ଲକ ଅଧୀନ ବରହମପୁର ଥାନା ଅନ୍ତର୍ଗତ ନରଣପୁର ଗ୍ରାମର ସ୍ୱର୍ଗତ ମହେଶ୍ୱର ରାଉତଙ୍କ ପୁଅ ଶରତ(୪୬) ଶୁକ୍ରବାର ବିଲରେ କାମ କରୁଥିଲେ। ହଠାତ୍‌ ତାଙ୍କର ଦେହ ଖରାପ ହେବାରୁ ସେ ବିଲରେ ଟଳିପଡ଼ିଥିଲେ। ଖବରପାଇ ପରିବାର ଲୋକେ ଶରତଙ୍କୁ ନୀଳଗିରି ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗତକାଲି ସନ୍ଧ୍ୟା ହୋଇଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନଥିଲା। ଆଜି ଶରତଙ୍କ ଶବ ବ୍ୟବଚ୍ଛେଦ ଅନୁସନ୍ଧାନ ପାଇଁ ନୀଳଗିରି ଥାନାର ଏଏସ୍‌ଆଇ ଶରତ ଚନ୍ଦ୍ର ଧଳ ଡାକ୍ତରଖାନାରେ ପହଞ୍ଚିଥିଲେ। ତେବେ ଏଏସ୍‌ଆଇ ଶ୍ରୀ ଧଳ ମୃତକଙ୍କ ଭାଇ ପ୍ରସନ୍ନଙ୍କୁ କହିଥିଲେ ଯେ ଏବେ ବ୍ୟବଚ୍ଛେଦ ହୋଇପାରିବ ନାହିଁ, ଅପରାହ୍ନ ୪ଟାରେ ହେବ। ଯଦି ଏବେ କରିବାକୁ ଚାହୁଁଛ, ତେବେ ମୋତେ ଟଙ୍କା ଦିଅ, କାଗଜ ଦିଅ, କାର୍ବନ ଦିଅ ବୋଲି ଧମକ ଦେବା ଢଙ୍ଗରେ କହିଥିଲେ। ପ୍ରସନ୍ନ ଜଣେ ଦିନମଜୁରିଆ ହୋଇଥିବାରୁ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ। ମାତ୍ର ଟଙ୍କା ନ ଦେଲେ ସେ ଶବ ବ୍ୟବଚ୍ଛେଦ ଅନୁସନ୍ଧାନ କରିବେ ନାହିଁ ବୋଲି ଏଏସ୍‌ଆଇ ଶ୍ରୀ ଧଳ ନିଜ ଜିଦ୍‌ରେ ଅଟଳ ରହିବାରୁ ପରିବାର ଲୋକେ ଉପଜିଲ୍ଲାପାଳ ଅବୋଲି ଏସ୍‌. ନରେଓ୍ଵଣେଙ୍କୁ ଜଣାଇଥିଲେ। ଫଳରେ ଦୀର୍ଘ ୧୬ ଘଣ୍ଟା ଧରି ହସ୍ପିଟାଲରେ ଶବ ପଡ଼ି ରହିବା ପରେ ଶରତଙ୍କ ଶବ ବ୍ୟବଚ୍ଛେଦ କରାଯାଇ ଏକ ଅପମୃତ୍ୟୁ ମାମଲା(ନଂ.୨୫/୧୮) ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର