ଚର୍ଚ୍ଚାରେ ଟ୍ରେନିଂ ମହିଳା ପୁଲିସ ଅଧିକାରୀ ଶୁଭଶ୍ରୀ : ପ୍ରଶଂସା କଲେ ଚିରଞ୍ଜୀବୀ

ହାଇଦ୍ରାବାଦ୍ ଯିବେ, ଅମିତାଭଙ୍କୁ ବି ଭେଟିବେ, ଅସହାୟ ମହିଳାଙ୍କୁ ନିଜ ହାତରେ ଖୁଆଇଥିଲେ

ମାଲକାନଗିରି : ନିଜେ ଭୋକରେ ରହିଲେ। ଅସହାୟଙ୍କୁ ନିଜ ଖାଦ୍ୟ ନିଜ ହାତରେ ଖୁଆଇଦେଲେ। ଜଣେ ମହିଳା ପୁଲିସ ଅଧିକାରୀଙ୍କ ଏମିତି ଗୋଟିଏ ହୃଦୟସ୍ପର୍ଶୀ ଭିଡିଓ ମାସକ ତଳେ ଭାଇରାଲ୍‌ ହୋଇଥିଲା। ଏଥିପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପୁଲିସ ମହାନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସା କଲେ। ଯାହାଫଳରେ ରାତାରାତି ଚର୍ଚ୍ଚାକୁ ଆସିଥିଲେ ସବ୍‌ଇନ୍ସପେକ୍ଟ ତାଲିମ ନେଉଥିବା ମହିଳା ପୁଲିସ ଅଧିକାରୀ ଶୁଭଶ୍ରୀ ନାୟକ। ତେବେ ଏହି ଚର୍ଚ୍ଚା ଏବଂ ପ୍ରଶଂସା ଆଉ ରାଜ୍ୟ ଭିତରେ ସୀମିତ ହୋଇ ରହିନାହିଁ। ତେଲୁଗୁ ଚଳଚ୍ଚିତ୍ର ଜଗତର ମେଗାଷ୍ଟାର ଚିରଞ୍ଜୀବୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶୁଭଶ୍ରୀଙ୍କ ସେହି ଭିଡିଓକୁ ପୋଷ୍ଟ କରି ତାଙ୍କୁ ଅଜସ୍ର ପ୍ରଶଂସା କରିଛନ୍ତି। ଏପରିକି ନିଜେ ଫୋନ କରି ଶୁଭଶ୍ରୀଙ୍କ ସହ କଥା ମଧ୍ୟ ହୋଇଛନ୍ତି।

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ର ମୂଳବାସିନ୍ଦା ହେଲେ ଶୁଭଶ୍ରୀ ନାୟକ। କିଛି ମାସ ତଳେ ସେ ପୁଲିସ ଏସଆଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଭୁବନେଶ୍ବର ସ୍ଥିତ ତାଲିମ କେନ୍ଦ୍ରରେ ଯୋଗ ଦେଇଥିଲେ। ତେବେ ତାଲିମ ସରିବା ପୂର୍ବରୁ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ତାଙ୍କୁ ମାଲକାନଗିରି ଜିଲ୍ଲାକୁ ପଠାଇଥିଲେ। ଏହାପରେ ମାଲକାନଗିରି-ଛତିଶଗଡ଼ର ରାସ୍ତାର ପଦ୍ମଗିରି ଛକରେ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେଲେ ଶୁଭଶ୍ରୀ। ନିଷ୍ଠାର ସହ ନିଜ ଦାୟିତ୍ବକୁ ସଂପନ୍ନ କରିବା ମଧ୍ୟରେ ଦିନେ ଜଣେ ରାସ୍ତାକଡ଼ରେ ପଡ଼ିଥିବା ମହିଳାଙ୍କ ଅସହାୟ ଅବସ୍ଥା ତାଙ୍କୁ ବିବ୍ରତ କରିଥିଲା। ମହିଳା ଜଣକ ୩ରୁ ୪ଦିନ ହେଲା ଭୋକରେ ରହିଥିଲେ। ରାସ୍ତା କଡ଼ରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲେ। ଏଭଳି ହୃଦୟବିଦାରକ ଦୃଶ୍ୟ ଶୁଭଶ୍ରୀଙ୍କୁ ମର୍ମାହତ କରିଥିବା ବେଳେ ସେ ମହିଳାଙ୍କ ନିକଟରେ ପହଞ୍ଚିଥିଲେ। ଭୋକରେ ଥିବା ଜାଣି ତାଙ୍କୁ ମିଳିଥିବା ଖାଦ୍ୟ ଏବଂ ପାଣି ବୋତଲ ବଢ଼ାଇ ଦେଇଥିଲେ। କିନ୍ତୁ ଖାଦ୍ୟାଭାବରୁ ଅତ୍ୟନ୍ତ ଦୁର୍ବଳ ହୋଇ ଯାଇଥିବା ମହିଳା ଜଣକ ଉଠି ବସି ପାରି ନଥିଲେ କିମ୍ବା ଖାଇ ପାରି ନଥିଲେ। ତେଣୁ ଶୁଭଶ୍ରୀ ମହିଳାଙ୍କୁ ଉଠାଇ ନିଜ ହାତରେ ଖୁଆଇ ଦେଇଥିଲେ। ଆଖପାଖରେ ଥିବା କେହି ଜଣେ ଏହି ଦୃଶ୍ୟକୁ କଏଦ କରି ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆରେ ଭାଇରାଲ୍‌ କରି ଦେଇଥିଲେ।

ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍‌ ଏବଂ ପୁଲିସ ଡିଜିଙ୍କ ପ୍ରଶଂସା ପରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଥିଲେ ଶୁଭଶ୍ରୀ। ଯାହାକି ତାଙ୍କୁ ମନୋବଳକୁ ଦୃଢ଼ କରିଥିବା ବେଳେ ଆଗକୁ ମଧ୍ୟ ଏଭଳି କାର୍ଯ୍ୟ କରିବାକୁ ଉତ୍ସାହ ଯୋଗାଇ ଦେଇଥିବା ଶୁଭଶ୍ରୀ କହିଛନ୍ତି। ତେବେ ଗତକାଲି ମାତୃ ଦିବସରେ ମେଗାଷ୍ଟାର ଚିରଞ୍ଜୀବୀଙ୍କ ପୋଷ୍ଟ ପରେ ସେ ରାଜ୍ୟ ବାହାରେ ମଧ୍ୟ ଚର୍ଚ୍ଚିତ ହୋଇଛନ୍ତି। ଏପରିକି ଚିରଞ୍ଜୀବୀ ନିଜେ ଫୋନ କରି ପ୍ରାୟ ୨୦ମିନିଟ ଧରି ଶୁଭଶ୍ରୀଙ୍କ ସହ କଥା ହୋଇଥିଲେ। ତାଙ୍କ ମଣିଷପଣିଆ ଅନ୍ୟମାନଙ୍କ ପାଇଁ ପ୍ରେରଣା ଏବଂ ଆଗକୁ ମଧ୍ୟ ଏହି ଧାରା ଜାରି ରହୁ ବୋଲି ଉତ୍ସାହିତ କରିଥିଲେ। ସେହିପରି ହାଇଦ୍ରାବାଦରେ ହେବାକୁ ଥିବା ଗୋଟିଏ କାର୍ଯ୍ୟକ୍ରମକୁ ସେ ତାଙ୍କୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅମିତାଭ ବଚ୍ଚନଙ୍କ ସହ ସାକ୍ଷାତ କରିବାର ଯୋଜନା ରହିଛି। ଏଭଳି ପ୍ରଶଂସା ଓ ଶୁଭେଚ୍ଛା ଶୁଭଶ୍ରୀଙ୍କୁ ଆଗକୁ ଲୋକଙ୍କ ପାଇଁ କାମ କରିବାକୁ ପ୍ରବଳ ଆତ୍ମବିଶ୍ବାସ ଦେଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର