ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଦୁଇ ଗାଁ ମଧ୍ୟରେ  ଗୋଷ୍ଠୀ ସଂଘର୍ଷ : ପୁଲିସକୁ ଗୋଡ଼େଇ ଗୋଡ଼େଇ ପିଟିଲେ

କଳମା-ବାଙ୍କତୀରାରେ ଗୋଷ୍ଠୀ ସଂଘର୍ଷ

ବାଲେଶ୍ୱର/ବେତନଟୀ/ବୈଶିଙ୍ଗା: ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ସୀମାର ଦୁଇ ଗାଁ କଳମା-ବାଙ୍କତୀରା ଗ୍ରାମବାସୀଙ୍କ ମଧ୍ୟରେ  ଗୋଷ୍ଠୀ ସଂଘର୍ଷ ଘଟିଛି। ଆଜି ପାହାନ୍ତାରୁ କଳମା ଗାଁ ସୀମା ରଣକ୍ଷେତ୍ର ପାଲଟିଛି। ଖବର ପାଇ ଘଟଣାସ୍ଥଳକୁ ଯାଇଥିବା ହଳଦୀପଦା ପୁଲିସ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି। ଉତ୍ତ୍ୟକ୍ତ ଲୋକେ ପୁଲିସକୁ ଗୋଡ଼େଇ ଗୋଡ଼େଇ ପିଟିଛନ୍ତି। ହଳଦୀପଦା ଫାଣ୍ଡି ଅଧିକାରୀ ରାଜେନ୍ଦ୍ର ନାୟକଙ୍କ ଅବସ୍ଥା ଗୁରୁତର ରହିଛି। ଫାଣ୍ଡି ଡ୍ରାଇଭର ଦିଲୀପ କୁମାର ଜେନା ମଧ୍ୟ ମାଡ଼ଖାଇ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତି କରାଯାଇଛି। ଲୋକେ ଫାଣ୍ଡି ଅଧିକାରୀଙ୍କ ଜିପ୍‌ (ଓଆର-୦୫ଏଇ-୨୩୫୪)କୁ ମଧ୍ୟ ଭାଙ୍ଗିବା ସହ ନାଳକୁ ଠେଲି ଦେଇଛନ୍ତି। ଏହାବାଦ୍‌ ଉଭୟ ପକ୍ଷରୁ ଆଉ ୫ ଜଣ ମଧ୍ୟ ଆହତ ହୋଇଛନ୍ତି। ଗୋଷ୍ଠୀବିବାଦକୁ ନେଇ ଗତକାଲି ରାତିରେ କଳମାରେ ୪ଟି ଦୋକାନ ଜଳିଯାଇଥିଲା। ଏହି ଘଟଣାରେ ବୈଶିଙ୍ଗା ଓ ହଳଦୀପଦା ପୁଲିସ ଆଜି ଭୋରରୁ ବାଙ୍କତୀରାରୁ ୩ ଜଣଙ୍କୁ ଗିରଫ କରିଥିଲା। ଫଳରେ ବାଙ୍କତୀରା ଲୋକେ ପ୍ରତିକ୍ରିୟାଶୀଳ ହୋଇଯାଇଥିଲେ। ସେମାନେ ଆଜି ସକାଳୁ କଳମାରେ ପହଞ୍ଚି ଯାହାକୁ ଦେଖିଲେ, ଆକ୍ରମଣ କରିଥିଲେ। ଆଜିର ସଂଘର୍ଷରେ ଆହତଙ୍କ ମଧ୍ୟରୁ ୬ ଜଣ ଗୁରୁତର ଅଛନ୍ତି। ଦୁଇଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପରେ ଗିରଫ ଅଭିଯୁକ୍ତଙ୍କୁ ଛାଡ଼ିବାକୁ ଦାବିକରି ବାଙ୍କତୀରା, ରଣସାହି ଓ ନିଜାମପୁରର ଲୋକେ ୧୮ ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ।

ହଳଦିପଦା ଫାଣ୍ଡି ଅଧିକାରୀ ଓ ଡ୍ରାଇଭରଙ୍କ ସହ ୭ ଗୁରୁତର
ପିଟିପିଟି ଭାଙ୍ଗିଦେଲେ ପୁଲିସ ଗାଡ଼ି, ରାସ୍ତାରୋକୋ
ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ:୧୬ ଗିରଫ
ବାଙ୍କତୀରା, ରଣସାହି ଓ ନିଜାମପୁର ଗାଁ ପୁରୁଷଶୂନ୍ୟ

ପ୍ରାୟ ଘଣ୍ଟାଏ ଧରି ରାସ୍ତାରୋକ ପରେ ଉଭୟ ବାଲେଶ୍ୱର ଓ ମୟୂରଭଞ୍ଜ ପୁଲିସ ପହଞ୍ଚିଥିଲେ। ରାସ୍ତାରୋକ ହଟାଇବାକୁ ପୁଲିସକୁ ଲାଠିଚାଳନା କରିବାକୁ ପଡ଼ିଥିଲା। ଫଳରେ ସଦର ଥାନା ପୁଲିସ ଗୋଡ଼ାଇ ଗୋଡ଼ାଇ ବାଙ୍କତୀରାର ହୃଦୟ ଜେନା, ଭବେଶ ଦଳେଇ, ଶତ୍ରୁଘ୍ନ ଦଳେଇ, ଅନୀଲ ଦଳେଇ, ସନ୍ତୋଷ ଜେନା, ଚାନ୍ଦିପୁର ଥାନା ରଣସାହିର ମହେଶ୍ୱର ଜେନା ଓ ନିଜାମପୁରର ମହେନ୍ଦ୍ର ଧଳଙ୍କୁ ଗିରଫ କରିଛି। ପୂର୍ବରୁ ଗିରଫ ଅନ୍ୟ ତିନିଜଣ ହେଲେ ବାଙ୍କତୀରାର ଟୁଟୁ ଓରଫ ଅବନୀ ଦାସ, ପରମେଶ୍ୱର ଜେନା ଓ ଅବଣା ଜେନା।ପରିସ୍ଥିତି ନିୟନ୍ତ୍ରଣ କରିବାକୁ ବର୍ତ୍ତମାନ ଏ ସମସ୍ତ ଗାଁରେ ପୁଲିସ ପାଟ୍ରୋଲିଂ କରୁଛି। ଗିରଫଦାରି ଭୟରେ ବାଙ୍କତୀରା, ନିଜାମପୁର ଓ ରଣସାହି ଗାଁ ପୁରୁଷଶୂନ୍ୟ ହୋଇଯାଇଛି। ଶେଷ ଖବର ଅନୁସାରେ ବୈଶିଙ୍ଗା ଥାନା ପୁଲିସ ୮ ଜଣଙ୍କୁ ଏବଂ ବାଲେଶ୍ୱର ସଦର ଥାନା ପୁଲିସ ୮ ଜଣଙ୍କୁ ଗିରଫ କରିଛି।
ଘଟଣାସ୍ଥଳରେ ବାଲେଶ୍ୱର ଏସ୍‌ପି ନୀତି ଶେଖର, ବେତନଟୀ ଏସ୍‌ଡିପିଓ ଗୋବିନ୍ଦଚନ୍ଦ୍ର ସେଠୀ, ମାଜିଷ୍ଟ୍ରେଟ ତଥା ବେତନଟୀ ତହସିଲଦାର କୁଅଁର ଚରଣ ମାରାଣ୍ଡିଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ଏ ଘଟଣାରେ ପୁଲିସ ଏକାଧିକ ମାମଲା ରୁଜୁ କରି ତଦନ୍ତ କରୁଛି।

 

ସମ୍ବନ୍ଧିତ ଖବର