ପୁଲିସର ଘୋଷଯାତ୍ରା ପ୍ରସ୍ତୁତି: ହଜାରେ ଅଫିସର, ୧୪୦ ପ୍ଲାଟୁନ୍‌ ସଶସ୍ତ୍ର ପୁଲିସ

ଜଳ, ସ୍ଥଳ ଓ ଆକାଶ ପଥରୁ ଜଗିବେ, ପୁରୀ ହେବ ନୋ ଫ୍ଲାଇଂ ଜୋନ, ସିସିଟିଭି ନଜରରେ ରହିବ ପିପିଲି-ପୁରୀ

ଭୁବନେଶ୍ୱର : ଆସନ୍ତା ୧୪ ତାରିଖରେ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ଲାଗି ରାଜ୍ୟ ପୁଲିସ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଭୁବନେଶ୍ୱର ପୁଲିସ କମିସନରେଟ୍‌ କାର୍ଯ୍ୟାଳୟ କ୍ୟାମ୍ପ ଅଫିସରେ ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତ ବ୍ଲୁ-ପ୍ରିଣ୍ଟକୁ ଚୂଡାନ୍ତ ରିପୋର୍ଟ ଦିଆଯାଇଥିଲା। ଏହାପରେ ପୁଲିସ ପ୍ରସ୍ତୁତି ନେଇ ଡିଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିଜି ଡ. ଶର୍ମା କହିଥିଲେ, ରଥ ଯାତ୍ରାରେ ଲକ୍ଷାଧିକ ଲୋକଙ୍କର ସମାଗମ ହେବ। ସେମାନଙ୍କ ସୁରକ୍ଷା ପାଇଁ ପୁଲିସ ଏବେଠାରୁ ସମସ୍ତ ରଣ କୌଶଳ ପ୍ରସ୍ତୁତ କରିସାରିଛି। ସୁରକ୍ଷା ପାଇଁ ଜଳ, ସ୍ଥଳ ଓ ଆକାଶ ପଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯିବ। ଘୋଷ ଯାତ୍ରା ସମୟରେ ଯେଭଳି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ସେହିପରି ସମସ୍ତ ପ୍ରକାର ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା ପାଇଁ ଓଡ଼ିଶା ପୁଲିସ ସଜାଗ ରହିଛି।

ପୁଲିସ ମୁଖ୍ୟତଃ ୪ଟି ଘଟଣା ଉପରେ ଅଧିକ ଗୁରୁତ୍ୱ ଦେଉଛି। ଘୋଷ ଯାତ୍ରା ଦିନ ଠାରୁ ବାହୁଡ଼ା ପର୍ଯ୍ୟନ୍ତ ପୁରୀର ଆକାଶ ପଥକୁ ନୋ ଫ୍ଲାଇଙ୍ଗ୍‌ ଜୋନ୍‌ କରାଯିବ। ଏନେଇ ବିମାନ ବନ୍ଦର କର୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଇଛି। ରେଳ ଯାତ୍ରୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯିବ। ଯାତ୍ରୀ ଓ ରେଳ ସୁରକ୍ଷା ପାଇଁ ଆରପିଏଫ୍‌ଙ୍କୁ ଅଧିକ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟ୍ରାଫିକ୍‌ ନିୟନ୍ତ୍ରଣକୁ ଅଧିକ ଧ୍ୟାନ ଦିଆଯାଇଛି। ଏହାଛଡା ସମୁଦ୍ର ଉପରେ ନଜର ରଖିବାକୁ ତଟରକ୍ଷୀ ବାହିନୀଙ୍କ ସହଯୋଗ ଲୋଡାଯିବ।

ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିିକ ଫୋର୍ସ ମୁତୟନ କରାଯିବ। ଏଥିପାଇଁ ୧୪୦ ପ୍ଲାଟୁନ ସଶସ୍ତ୍ର ବାହିନୀ, ସିଆରପିଏଫ୍‌ର ୨ୟୁନିଟ୍‌ ର‍୍ୟାପିଡ୍‌ ଆକ୍ସନ୍‌ ଫୋର୍ସ, ୨ୟୁନିଟ୍‌ ଏସ୍‌ଟିଏଫ୍‌, ୨ୟୁନିଟ୍‌ ଏସ୍‌ଟିୟୁ, ୨ୟୁନିଟ୍‌ ସ୍ୱିଫ୍ଟ ଆକ୍ସନ ଟିମ୍‌, ଓଡ୍ରାଫ୍‌, ଏନ୍‌ଡିଆର୍‌ଫ୍‌ ଓ ୨ହଜାର ହୋମ୍‌ଗାର୍ଡଙ୍କୁ ମୁତୟନ କରାଯିବ। ୪୦ ଜଣିଆ ଏନ୍‌ଏସ୍‌ଜି ଟିମ୍‌ ସହ ୨ କମ୍ପାନି ଓସାଫା ମଧ୍ୟ ନିୟୋଜିତ ହେବେ।

ଟ୍ରାଫିକ୍‌ରେ ସମସ୍ୟା ନହେବା ପାଇଁ ପିପିଲି ଠାରୁ ପୁରୀକୁ ଓ୍ଵାନ୍‌ େଓ୍ଵ ଟ୍ରାଫିକ୍‌ କରାଯିବ। ସୁରକ୍ଷା ଦୃଷ୍ଟିରୁ ପିପିଲିରୁ -ପୁରୀ ପର୍ଯ୍ୟନ୍ତ ୧୦ଟି ସ୍ଥାନରେ ସିସିଟିଭି ଖଞ୍ଜାଯିବ। ଏହାଛଡ଼ା ପୁରୀ ବଡ଼ଦାଣ୍ଡରେ ୧୨୦ଟି ସିସିଟିଭି ଖଞ୍ଜା ଯିବ। ଏଥିପାଇଁ ସ୍ୱତନ୍ତ୍ର ୨ଟି କଣ୍ଟ୍ରୋଲ ରୁମ ଖୋଲାଯିବ। ଏଡିଜି ସତ୍ୟଜିତ ମହାନ୍ତିଙ୍କ ନେତୃତ୍ୱରେ ଏକ ହଜାର ଅଫିସର ବିଭିନ୍ନ ଦାୟିତ୍ୱରେ ରହିବେ। ଡିଜି କହିଥିଲେ, ଭିଡ଼ ଯୋଗୁଁ ଦଳ ଚକଟା ହେବାର ସମ୍ଭାବନା ରହିଛି। ଏ ଦିଗରେ ପୁଲିସକୁ ଯତ୍ନବାନ ହେବା ପାଇଁ କୁହାଯାଇଛି। ଯେମିତି କୌଣସି ପ୍ରକାର ଗୁଜବ ନ ହୁଏ ସେ ନେଇ ପୁଲିସ ଲୋକଙ୍କୁ ସଚେତନ କରିବ।

ଆଜି ଏହି ବୈଠକରେ ଗୁଇନ୍ଦା ନିର୍ଦେଶକ ସୁନୀଲ ରାୟ, ଏଡିଜି ସତ୍ୟଜିତ ମହାନ୍ତି, ଅରୁଣ ରାୟ, ବିନୟତୋଷ ମିଶ୍ର, ପ୍ରଣବିନ୍ଦୁ ଆଚାର୍ଯ୍ୟ, ଆଇଜି ସଞ୍ଜୀବ ପଣ୍ଡା, ସୌମେନ୍ଦ୍ର ପ୍ରିୟଦର୍ଶୀ, ଅସିତ ପାଣିଗ୍ରାହୀ, ଅମିତାଭ ଠାକୁର, ସଞ୍ଜୟ ସଂହ, ପୁରୀ ଜିଲ୍ଲା ଏସ୍‌ପି ସାର୍ଥକ ଷଡ଼ଙ୍ଗୀଙ୍କ ସମେତ ବରିଷ୍ଠ ଅଧିିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର