ପୁଲିସ-ଜନତା ଖଣ୍ଡଯୁଦ୍ଧ : ଗୁରୁତର ଫାଣ୍ଡି ଅଧିକାରୀ କଟକ ସ୍ଥାନାନ୍ତର

ରାଉରକେଲା : ସ’ ମିଲ୍‌ ଛକରେ ଗତକାଲି ସଂଘଟିତ ପୁଲିସ-ଜନତା ଖଣ୍ଡଯୁଦ୍ଧରେ ଗୁରୁତର ଗୋପବନ୍ଧୁପାଲ୍ଲୀ ଫାଣ୍ଡି ଅଧିକାରୀ ଦିଗବିଜୟ ପ୍ରସାଦ ବିଶ୍ୱାଳଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଆଇଜିଏଚ୍‌ ଡାକ୍ତର କଟକ ନେବାକୁ ପରାମର୍ଶ ଦେବା ପରେ ରାଉରକେଲା ଏସ୍‌ପି ଡ. ଉମାଶଙ୍କର ଦାଶ ତତ୍ତ୍ୱାବଧାନରେ ଶ୍ରୀ ବିଶ୍ୱାଳଙ୍କୁ କଟକ ନିଆଯାଇଛି।

ସୂଚନାଯୋଗ୍ୟ ଗତ ୨୦ ତାରିଖ ସନ୍ଧ୍ୟାରେ ଦ୍ରୁତ ଗତିରେ ଆସୁଥିବା ଏକ ମାରୁତି କାର୍‌ ସ’ ମିଲ୍‌ ଛକରେ ବାଇକ୍‌, ସ୍କୁଟି ଓ ସାଇକେଲକୁ ଧକ୍କା ଦେବା ପରେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ ଡିଭାଇଡର୍‌କୁ ପିଟି ଓଲଟି ପଡ଼ିଥିଲା। କାର୍‌ ଧକ୍କାରେ ଇସ୍ପାତ କଲେଜର ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ର ନୟାବଜାରର ମନୀଷ ପ୍ରସାଦ (୧୭) ଗୁରୁତର ଆହତ ହୋଇ ଆଇଜିଏଚ୍‌ରେ ପ୍ରାଣ ହରାଇଥିଲେ। ମନୀଷଙ୍କ ବ୍ୟତୀତ ମହିଳା ଟିଟିଇ ଜଗଦା ଅଞ୍ଚଳର ବୀଣା ଭେଙ୍ଗ୍ରା, ବାଇକ ଆରୋହୀ ପୀତବାସ ପାଢ଼ୀ ଗୁରୁତର ହୋଇଥିବା ବେଳେ କାର ଚାଳକ ଓ କାର୍‌ରେ ଥିବା ଅନ୍ୟ ତିନିଜଣ ଆହତ ହୋଇଥିଲେ। ପୁଲିସ୍‌ କାର୍‌ ଡ୍ରାଇଭରକୁ ଅଟକ ରଖି ସବୁ ଆହତଙ୍କୁ ହସ୍ପିଟାଲ ପଠାଇଥିଲା।

ମନୀଷ ବାସନ୍ତୀକଲୋନିରୁ ଟ୍ୟୁସନ ସାରି ନିଜ ସହପାଠୀଙ୍କ ସହ ନୟବଜାରସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଏହା ପରେ ଉପଯୁକ୍ତ କ୍ଷତିପୂରଣ ଏବଂ ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ମୃତ ଛାତ୍ର ମନୀଷଙ୍କ ପରିବାର ଓ ନୟାବଜାର ଅଞ୍ଚଳରେ ଶତାଧିକ ଲୋକ ପ୍ଲାଣ୍ଟସାଇଟ୍‌ ଥାନା ଘେରିଥିଲେ। ପୁଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ତେବେ ଗତକାଲି ଭୋର୍‌ରୁ ଆହତ ପୀତବାସଙ୍କ ମୃତ୍ୟୁ ହେବା ପରେ ପୁଲିସ ନିଷ୍କ୍ରୟତା ପ୍ରତିବାଦରେ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ମୃତ ମନୀଷ ପଢ଼ୁଥିବା ଇସ୍ପାତ କଲେଜର ଶତାଧିକ ଛାତ୍ର ଓ ନୟାବଜାର ଓ ସ’ ମିଲ ଛକ ବସ୍ତି ଅଞ୍ଚଳର ଲୋକେ ଗତକାଲି ସକାଳ ୧୦ଟାରେ ଉପଯୁକ୍ତ କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ପ୍ଲାଣ୍ଟସାଇଟ୍‌ ଥାନା ଘେରାଉ କରିଥିଲେ। ଏହା ପରେ ସେମାନେ ସ’ ମିଲ୍‌ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିବାରୁ ରିଙ୍ଗ୍‌ ରୋଡ୍‌ର ଉଭୟ ପଟେ ଶହଶହ ଗାଡ଼ି ମାଟର ଅଟକି ରହିଥିଲା।

ଖବର ପାଇ ପ୍ଲାଣ୍ଟସାଇଟ୍‌ ଥାନା ଓ ଗୋପବନ୍ଧୁପାଲୀ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ ହଟାଇବାକୁ ଉଦ୍ୟମ କରିଥିଲେ। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍‌ ଜୋର୍‌ ଲଗାଇବାରୁ ଉତ୍ତ୍ୟକ୍ତ ଲୋକେ ଢେଲା ମାଡ଼ କରିବା ସହ ୨ଟି ପୁଲିସ ଭ୍ୟାନକୁ ଭଙ୍ଗାରୁଜା କରିଥିଲେ। ଆକ୍ରମଣରେ ପିସିଆର୍‌ ଭ୍ୟାନ୍‌ରେ ଥିବା ୨ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଏହା ପରେ ଭିଡ଼ ଭିତରେ ଅଟକି ଯାଇଥିବା ଗୋପବନ୍ଧୁପାଲୀ ଫାଣ୍ଡି ଅଧିକାରୀ ଦିଗ୍‌ବିଜୟ ପ୍ରସାଦ ବିଶ୍ୱାଳଙ୍କୁ ଲୋକେ ପଥର ମାଡ଼ କରିବାରୁ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ସାଥୀ ପୁଲିସ ତାଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରି ଇସ୍ପାତ ଜେନେରାଲ୍‌ ହସ୍ପିଟାଲ (ଆଇଜିଏଚ୍‌) ନେଇଥିଲେ। ଘଟଣା ପରେ ବସ୍ତି ଲୋକଙ୍କୁ ପୁଲିସ କାର୍ଯ୍ୟାନୁଷ୍ଠାନ ଭୟ ଘାରିଛି। କିଛି ଯୁବକ ଗିରଫଦାରି ଭୟରେ ବସ୍ତି ଛାଡ଼ି ଅନ୍ୟତ୍ର ପଳାୟନ କରିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର