କଲେଜ ଛାତ୍ରଙ୍କୁ କନ୍‌ଷ୍ଟେବଳଙ୍କ ବସ୍‌ଉଠ୍‌ କରାଇବା ଘଟଣା : ଆଇଆଇସିଙ୍କୁ ରିପୋର୍ଟ ମାଗିଲେ ଏସ୍‌ପି

କାର୍ଯ୍ୟାନୁଷ୍ଠାନ ଦାବି ଜୋର୍‌ ଧରିଲା

ବାଲିଆପାଳ : ବାଲିଆପାଳ ଥାନା ଜାମକୁଣ୍ଡା ଫାଣ୍ଡିର କନ୍‌ଷ୍ଟେବଳ ଦୀପକ ପ୍ରଧାନ ୫ ଜଣ କଲେଜ ଛାତ୍ରଙ୍କୁ ରାସ୍ତାରେ ବସ୍‌ଉଠ୍‌ କରାଇବା ଘଟଣାରେ ଆଜି ବାଲେଶ୍ୱର ଏସ୍‌ପି ନୀତିଶେଖର ମୁଣ୍ଡ ପୂରାଇଛନ୍ତି। ଏସ୍‌ପି ବାଲିଆପାଳ ଆଇଆଇସି କ୍ଷମାସାଗର ପଣ୍ଡାଙ୍କୁ ଘଟଣା ବିଷୟରେ ସବିଶେଷ ରିପୋର୍ଟ ମାଗିଥିବା ଜଣପାଡ଼ିଛି। ଅପରପକ୍ଷରେ ସଂପୃକ୍ତ କନ୍‌ଷ୍ଟେବଳଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି। ବସ୍ତା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସୁଧାଂଶୁ ଶେଖର ଜେନାଙ୍କ ସହ ନେତା ଓ କର୍ମୀମାନେ ଆଜି ପୀଡ଼ିତ ଛାତ୍ରମାନଙ୍କ ଗାଁକୁ ଯାଇ ସେମାନଙ୍କୁ ଭେଟିବା ସହ ସମସ୍ତ ଘଟଣା ପଚାରି ବୁଝିଛନ୍ତି। ପରେ ସେମାନେ ବାଲିଆପାଳ ଆଇଆଇସି କ୍ଷମାସାଗର ପଣ୍ଡା ଏବଂ ବସ୍ତା ଏସ୍‌ଡିପିଓଙ୍କୁ ଭେଟି ଘଟଣାର ଦୃଢ଼ ପ୍ରତିବାଦ ଜଣାଇଛନ୍ତି। ଯଦି ପୁଲିସ ଆସନ୍ତାକାଲି ସୁଦ୍ଧା ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ଯୁବ କଂଗ୍ରେସ ପକ୍ଷରୁ ଧାରଣା ଦିଆଯିବ ବୋଲି କୁହାଯାଇଛି। ସେହିପରି ୨୨ ନମ୍ବର ଜୋନ୍‌ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ତଥା ବିଜେଡି ନେତା ବିମଳ ସାହୁ ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସୂଚନାଯୋଗ୍ୟ; ଗତ ୬ ଦିନ ତଳେ ଜାମକୁଣ୍ଡା ଫାଣ୍ଡିିର କନେଷ୍ଟବଳ ଦୀପକ ପ୍ରଧାନ ମଟରସାଇକେଲ୍‌ରେ ଯାଉଥିବା ବେଳେ ଲଙ୍ଗଳେଶ୍ୱର ସ୍ଥିତ ଦୁର୍ଗାପ୍ରସନ୍ନ ଜୁନିୟର କଲେଜ ଓ ଜାମଶୁଳୀ କଲେଜର ୫ ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ ତାଙ୍କୁ ‘ମାମୁ ଆସୁଛନ୍ତି, ସାଇଡ୍‌ ଦେଇଦିଅ’ ବୋଲି କହିଥିଲେ। ପୁଲିସ ବାବୁଙ୍କ କାନରେ ଏ କଥା ପଡ଼ିବା ପରେ ସେ ବାଲିଆପାଳ ଜଗତୀପୁର-ପଞ୍ଚୁପାଲି ରାସ୍ତାର ମେଣ୍ଡାପଡ଼ା ନିକଟରେ ମଟରସାଇକେଲ୍‌ ଅଟକାଇ ଛାତ୍ରଙ୍କୁ ମାଡ଼ ମାରିବା ସହ ୧୦୦ ଥର କାନଧରି ଉଠ୍‌ବସ୍‌ କରାଇଥିଲେ। ତେବେ ପୁଲିସ ବାବୁଙ୍କ ଦବଙ୍ଗଗିରି ଚାଲିଥିବା ବେଳେ ଜଣେ ଯୁବକ ଏହାକୁ ନିଜ ମୋବାଇଲ୍‌ କ୍ୟାମେରାରେ ସୁଟ୍‌ କରିଥିଲେ। ଏହି ଭିଡିଓ କ୍ରମେ ଭାଇରାଲ୍‌ ହେବା ପରେ ଗତକାଲି କିଛି ଗଣମାଧ୍ୟମ ପ୍ରତିନିଧି ସଂପୃକ୍ତ ଛାତ୍ରମାନଙ୍କୁ ଭେଟି ଘଟଣା ସଂପର୍କରେ ପଚାରିବାରୁ ସବୁ କଥା ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର