ଆର୍‌ଜିଏଚ୍‌ ଓ ଆଇଜିଏଚ୍‌ ଆମ୍ବୁଲାନ୍ସ ଷ୍ଟାଣ୍ଡରେ ପୁଲିସର ଚଢ଼ଉ, ଆମ୍ବୁଲାନ୍ସ ଜବତ, ମାଲିକ ଅଟକ

ରାଉରକେଲା : ବିନା ପଞ୍ଜିକରଣ, ଫିଟ୍‌ନେସ୍‌ ଓ ଇନ୍ସ୍ୟୁରାନ୍ସରେ ଚାଲୁଥିବା ଆମ୍ବୁଲାନ୍ସଗୁଡ଼ିକ ଧରିବାକୁ ଗତକାଲି ରଘୁନାଥପାଲୀ ଓ ସେକ୍ଟର-୧୯ ପୁଲିସ ଉଭୟ ଆର୍‌ଜିଏଚ୍‌ ଓ ଆଇଜିଏଚ୍‌ ଆମ୍ବୁଲାନ୍ସ ଷ୍ଟାଣ୍ଡରେ ଚଢ଼ଉ କରିଥିଲା। ଚଢ଼ଉ ଭୟରେ ପୂର୍ବ ସୂଚନା ପାଇ କେତେକ ଆମ୍ବୁଲାନ୍ସ ମାଲିକ ସେମାନଙ୍କ ଆମ୍ବୁଲାନ୍ସଗୁଡିକୁ ଷ୍ଟାଣ୍ଡରୁ ନେଇ ଯାଇଥିଲେ। ପୁଲିସ ବିନା କାଗଜପତ୍ରରେ ଚାଲିଥିବା ଆର୍‌ଜିଏଚ୍‌ ଷ୍ଟାଣ୍ଡରୁ ୨ଟି ଆମ୍ବୁଲାନ୍ସକୁ ଜବତ କରିଥିଲା। ସେମାନଙ୍କ ମାଲିକଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି। ଅନ୍ୟ କେତେକ ଆମ୍ବୁଲାନ୍ସର କାଗଜପତ୍ର ଜବତ କରି ଯାଞ୍ଚ ପାଇଁ ପରିବହନ ଅଧିକାରୀଙ୍କ ନିକଟକୁ ପଠାଇଛନ୍ତି। ରିପୋର୍ଟ ଆସିବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରଘୁନାଥପାଲୀ ଥାନା ପକ୍ଷରୁ କୁହାଯାଇଛି। ଅନୁରୂପ ଭାବେ ଆଇଜିଏଚ୍‌ ଷ୍ଟାଣ୍ଡରେ ବିନା କାଗଜପତ୍ରରେ ଚାଲୁଥିବା କେତୋଟି ଆମ୍ବୁଲାନ୍ସ ଗତକାଲି ଠାରୁ ଉଭାନ ହୋଇଯାଇଛି। ଅନ୍ୟ ସମସ୍ତ ମାଲିକ ସେମାନଙ୍କ କାଗଜପତ୍ର ସେକ୍ଟର-୧୯ ଥାନାରେ ଜମା କରିଛନ୍ତି। ଆମ୍ବୁଲାନ୍ସ ମାଲିକମାନେ ରୋଗୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ଆସିବା ପରେ ଓକିଲ ସଂଘର ପ୍ରତିନିଧି କାର୍ଯ୍ୟାନୁଷ୍ଠାନ ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ ଓ ତତ୍କାଳୀନ ରାଉର‌କେଲା ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶୋଷଣର ଶିକାର କିଛି ରୋଗୀଙ୍କ ସମ୍ପର୍କୀୟ ରାଜ୍ୟ ପୁଲିସର ଉଚ୍ଚ ଅଧିକାରୀଙ୍କ ନିକଟରେ ସମାନ ଅଭିଯୋଗ କରିଥିଲେ। ଉଲ୍ଲେଖଯୋଗ୍ୟ, ସହରରେ ବିଭିନ୍ନ ସ୍ବେଚ୍ଛସେବୀ, ଘରୋଇ ଅନୁଷ୍ଠାନର ପ୍ରାୟ ୪୦ରୁ ଅଧିକ ଆମ୍ବୁଲାନ୍ସ ଚାଲୁଛି। ଆମ୍ବୁଲାନ୍ସଗୁଡ଼ିକ ଆଇଜିଏଚ୍‌, ଆର୍‌ଜିଏଚ୍‌, ଇଏସ୍‌ଆଇ ମଡେଲ ହସ୍ପିଟାଲ, ସିଡବ୍ଲ୍ୟୁଏସ୍‌ ହସ୍ପିଟାଲ ସମେତ ଅନେକ ଘରୋଇ ହସ୍ପିଟାଲ, ନର୍ସିଂ ହୋମର ରୋଗୀଙ୍କୁ କଟକ, ଭୁବନେଶ୍ବର ସମେତ ସହରର ବିଭିନ୍ନ ଘରୋଇ ହସ୍ପିଟାଲକୁ ନେବା ଆଣିବା କରିଥାନ୍ତି।

ସମ୍ବନ୍ଧିତ ଖବର