ଚେକ୍‌ ବାଉନ୍‌ସ ମାମଲାରେ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତିଙ୍କ ଘରେ ପୁଲିସର ଚଢ଼ାଉ

ବାରିପଦା: ଏକ ଜମିବାଡ଼ି ଓ ଚେକ୍‌ ବାଉନ୍ସ ମାମଲାରେ କମିଶନରେଟ୍‌ ପୁଲିସ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରିଛି। ଗତକାଲି ରାତି ପ୍ରାୟ଼ ୩ଟା ସମୟରେ ଭୁବନେଶ୍ୱର ଇନ୍‌ଫୋସିଟି ପୁଲିସ ବାରିପଦା ଟାଉନ୍‌ ପୁଲିସ ସହାୟତାରେ ଜିଲ୍ଲା ବିଜେପି ସଭାପତି ଡାକ୍ତର ମହାପାତ୍ରଙ୍କ ଷ୍ଟାଡିୟମ ଗୋଲେଇ ହୁଡ୍‌କୋ କଲୋନୀସ୍ଥିତ ବାସଭବନ ଉପରେ ଚଢ଼ାଉ କରିଥିଲାଏବଂ ଦୀର୍ଘ ସମୟ ଧରି ଉଭୟ ପୁଲିସ ସେଠାରେ ଅପେକ୍ଷା କରି ରହିଥିଲେ। ମାତ୍ର ଜିଲ୍ଲା ବିଜେପି ସଭାପତି ଘରେ ନଥିବାରୁ ବାଧ୍ୟହୋଇ କମିଶନରେଟ୍‌ ପୁଲିସକୁ ଖାଲି ହାତରେ ଫେରିବାକୁ ପଡ଼ିଛି।
ଘଟଣାରୁ ପ୍ରକାଶ, ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ଡାକ୍ତର ମହାପାତ୍ର ଭୁବନେଶ୍ୱରଠାରେ ଥିବା ନିଜର ଏକ ଜମିକୁ ଜଣକୁ ବିକ୍ରି କରି ପୁଣି ଦ୍ଵିତୀୟବାର ଅନ୍ୟଜଣଙ୍କୁ ବିକ୍ରି କରିଥିଲେ। ଦ୍ଵିତୀୟ କ୍ରେତା ଏହା ଜାଣିପାରି ଡାକ୍ତର ମହାପାତ୍ରଙ୍କୁ ଦେଇଥିବା ଟଙ୍କା ଫେରସ୍ତ ପାଇବାକୁ କହିଥିଲେ। ଡାକ୍ତର ମହାପାତ୍ର ତାଙ୍କୁ ଯେଉଁ ଚେକ୍‌ ଦେଇଥିଲେ ତାହା ବାଉ୍‌ନସ କରିଥିଲା। ଏହାପରେ ଦ୍ଵିତୀୟ ଜମି କ୍ରେତା ରୀନା ଧୀର ଗତ ୨୦୧୨ ମସିହାରେ ଭୁବନେଶ୍ୱର ଇନ୍‌ଫୋସିଟି ଥାନାରେ ଏତଲା ଦେବାପରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ଏହି ମାମଲାଟି କୋର୍ଟରେ ପରିଚାଳିତ ହୋଇଥିଲା। ଗତକାଲି କୋର୍ଟର ୱାରେଣ୍ଟି ବଳରେ କମିଶନରେଟ ପୁଲିସ ଓ ବାରିପଦା ପୁଲିସ ଡାକ୍ତର ମହାପାତ୍ରଙ୍କ ଘରେ ଚଢ଼ାଉ କରିଥିଲେ। ମାତ୍ର ଡାକ୍ତର ମହାପାତ୍ରଙ୍କ ଘରେ ନ ପାଇ ପୁଲିସ ଫେରି ଯାଇଥିବା ଜଣାପଡ଼ିଛି। ତେବେ ଜିଲ୍ଲା ବିଜେପି ସଭାପତିଙ୍କ ଘର ଉପରେ ପୁଲିସ ଚଢ଼ାଉ ନେଇ ଏବେ ରାଜନୀତି ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର