୧୯୦ ଶ୍ରମିକ ଉଦ୍ଧାର

ଜଣେ ସର୍ଦ୍ଦାର ଫେରାର୍‌,୨ ଅଟକ

କଣ୍ଟାବାଞ୍ଜି/ଲାଠୋର : ଦାଦନ ସମସ୍ୟାର ପ୍ରତିକାର ପାଇଁ ବଲାଙ୍ଗୀର ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ୫ ଜିଲ୍ଲାର ଜିଲ୍ଲାପାଳଙ୍କ ଉପସ୍ଥିତିରେ ଶ୍ରମ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ସମୀକ୍ଷା ଓ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ସଂପର୍କରେ ଆଲୋଚନା ହେଉଥିବାବେଳେ ବଲାଙ୍ଗୀର ଜିଲ୍ଲାର ବେଲପଡ଼ା, ତୁରେକେଲା ଓ ଲାଠୋରରୁ ୧୯୦ ଜଣ ଦାଦନଙ୍କୁ ସର୍ଦ୍ଦାର କବଳରୁ ଉଦ୍ଧାର କରାଯାଇଛି।

ଅକ୍ଟୋବର ମାସରେ ପ୍ରାୟ ସାଢ଼େ ୪ଶହରୁ ଅଧିକ ଦାଦନ ଶ୍ରମିକ ଧରାପଡ଼ିଥିବା ବେଳେ ବେଲପଡ଼ା ପୁଲିସ ସରମୁହାଣ ଗାଁର ୪ଜଣ ନାବାଳକଙ୍କ ସହ ୨୦ଜଣଙ୍କୁ ଉଦ୍ଧାର କରିଥିଲା। ଅନ୍ୟପଟେ ତୁରେକେଲା ରେଳ ଷ୍ଟେସନରୁ ବୁଧୁବାର ସକାଳେ ପୁଲିସ ଟିମ୍‌ ୭୪ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କୁ ନେଇ ଯାଉଥିବା ଦାଦନ ସର୍ଦ୍ଦାର ସେଠାରୁ ଫେରାର ମାରିଛି। ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ୨୬ ଜଣ ଶିଶୁ ଓ ୪୮ ଜଣ ମହିଳା ଓ ପୁରୁଷ ରହିଛନ୍ତି। ପୁଲିସ ଏସ୍‌ଡିପିଓ ପ୍ରଫୁଲ୍ଲ ମିଶ୍ରଙ୍କ ସୂଚନା ଅନୁସାରେ, ତୁରେକେଲା, ମୁରିବାହାଲ, ବେଲପଡା ଓ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳର କିଛି ମହିଳା ଓ ପୁରୁଷଙ୍କୁ ଦାଦନ ସର୍ଦ୍ଦାର ତୁରେକେଲା ଷ୍ଟେସନକୁ ନେଉଥିବା ସମୟରେ ତୁରେକେଲା ଥାନା ଆଇଆଇସି ସତ୍ୟଜିତ କାଣ୍ଡଲକେଲଙ୍କ ନେତୃତ୍ୱରେ ତୁରେକେଲା ଷ୍ଟେସନରେ ଚଢ଼ଉ କରିଥିଲେ । ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟକୁ ଚାଲାଣ କରାଯାଉଥିବା ପଚରା ଉଚୁରା ବେଳେ ଜଣାପଡ଼ିଥିଲା। ଏହି ମାମଲାରେ ଦାଦନ ସର୍ଦ୍ଦାର ଇମ୍ରାନ ଖାନ ଓ ରାମେଶ୍ୱର ମହାନନ୍ଦଙ୍କୁ ଥାନାରେ ଅଟକ ରଖାଯାଇଥିବା ଆଇଆଇସି ଶ୍ରୀ କାଣ୍ଡେଲକେଲ କହିଛନ୍ତି।

ସେହିପରି ଜିଲ୍ଲାର ଲାଠୋର ଥାନା ଅନ୍ତର୍ଗତ ହରିଶଙ୍କର ରୋଡ଼ ରେଳ ଷ୍ଟେସନ ନିକଟରୁ ୯୬ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ରାତିରେ ସ୍ୱତନ୍ତ୍ର ପୁଲିସ ଦଳ ଏବଂ ଲାଠୋର ପୁଲିସର ମିଳିତ ଉଦ୍ୟମରେ ହରିଶଙ୍କର ରୋଡ଼ ରେଳ ଷ୍ଟେସନ ନିକଟରୁ ୯୬ ଜଣ ମହିଳା, ପୁରୁଷ ଶ୍ରମିକଙ୍କ ସହ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ଖପ୍ରାଖୋଲ ଥାନା ଅଞ୍ଚଳର କନ୍ଦେନଝଲା ଗ୍ରାମର ଗୋପ ରାଏ ଏବଂ ପ୍ରେମାନନ୍ଦ ରାଏ ବେଲପଡ଼ା ବ୍ଲକର କନ୍ଦେଲଝଲା, ପାଟଣାଗଡ଼ ବ୍ଲକର ଧାତୁକ, ମାଗୁରବେଡ଼ା ଫାଣ୍ଡିର ବାବଜା, ମୁରିିବାହାଲ ବ୍ଲକ ସରଗୁଲ, ବାମନି ଡୁମେରମୁଣ୍ଡ, ବାହାବଲ ଗ୍ରାମରୁ ମହିଳା ୨୪, ପୁରୁଷ ୪୪, ଶିଶୁ ୨୮ ଏହି ପରି ସର୍ବମୋଟ ୯୬ ଶ୍ରମିକଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ଚାଲାଣ କରିବା ଉଦ୍ଦେଶ୍ୟରେ ଷ୍ଟେସନ ନିକଟରେ ରଖିଥିଲେ। ପୁଲିସ ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରି କାଗଜ ପତ୍ର ଯାଞ୍ଚ ଆରମ୍ଭ କରିଛି। ଶ୍ରମ ଅଧିକାରୀ ଆସି ତଦନ୍ତ କଲା ପରେ ପଦକ୍ଷେପ ନିଆଯିବ ବୋଲି ଲାଠୋର ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର