ଅନୁଗୁଳ : ତଦନ୍ତରେ ଅବହେଳା ଯୋଗୁଁ ଏସ୍‌ଆଇ ନିଲମ୍ବିତ

ଅନୁଗୁଳ : ବେଆଇନ ଅସ୍ତ୍ରଶସ୍ତ୍ର ଜବତ ମାମଲାର ତଦନ୍ତରେ ଅବହେଳା ନେଇ ଆଜି ଏସ୍‌ପି ଜଗମୋହନ ମୀନା ଅନୁଗୁଳ ଆଦର୍ଶ ଥାନାର ଏସ୍ଆଇ ଅରକ୍ଷିତ ସେଠୀଙ୍କୁ ନିଲମ୍ବନ କରିଛନ୍ତି।

ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଗିରଫ ହେବାର ମାତ୍ର କିଛି ସମୟ ପରେ କୋର୍ଟରୁ ଜାମିନରେ ବାହାରି ଆସିଥିଲା ଲିଂଗରାଯୋଡ଼ି ଗାଁର ବାପି ଓରଫ ସତ୍ୟଜିତ ପ୍ରଧାନ। ବାପିଠାରୁ ଜବତ ହୋଇଥିଲା ୩ଟି ପିସ୍ତଲ ଓ ୯ଟି ଗୁଳି। ପିସ୍ତଲ ସହିତ ମାଗାଜିନ୍‌ ବି ମିଳିଥିଲା। ହେଲେ ବାପିକୁ କୋର୍ଟରୁ ଜାମିନ ମିଳିବା ଘଟଣାକୁ ସହଜରେ ଲୋକେ ଗ୍ରହଣ କରିପାରିନଥିଲେ। ସ୍ଥିତି ଏମିିତି ହୋଇଥିଲା ଯେ ଆଇଜି ନରସିଂହ ଭୋଳ ଓ ଏସ୍‌ପି ଜଗମୋହନ ମୀନା ଗତ ରାତିରେ ଅନୁଗୁଳ ଆଦର୍ଶ ଥାନା‌ରେ ପହଂଚି ରେକର୍ଡ ଯାଂଚ କରିଥିଲେ। ଆଉ ଆଜି ତଦନ୍ତରେ ଅବହେଳା ଅଭିଯୋଗରେ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଅରକ୍ଷିତ ସେଠୀଙ୍କୁ ଏସ୍‌ପି ଶ୍ରୀ ମୀନା ଚାକିରିରୁ ନିଲମ୍ବନ କରିଛନ୍ତି।

ଏ ସମ୍ପର୍କରେ ଅନୁଗୁଳ ଏସ୍‌ପି ଜଗମୋହନ ମୀନା କହିଛନ୍ତି, କାଗଜପତ୍ର ପ୍ରସ୍ତୁତିରେ ଶ୍ରୀ ସେଠୀ ଅବହେଳା କରିଛନ୍ତି। କାଗଜପତ୍ର ପ୍ରସ୍ତୁତି ସମୟରେ ଶ୍ରୀ ସେଠୀ ଯଦି ଅବହେଳା କରୁଥିଲେ, ତେବେ ତାଙ୍କୁ ନିରୀକ୍ଷଣ କରିବାକୁ ଥିବା ବଡ଼ ଅଫିସରମାନେ କରୁଥିଲେ କଣ ଉତ୍ତରରେ ଏସ୍‌ପି ଶ୍ରୀ ମୀନା କହିଛନ୍ତି, ମାମଲାର ନିରୀକ୍ଷଣ ସାଙ୍ଗେ ସାଙ୍ଗେ ହୁଏ ନାହିଁ। ସେଥିପାଇଁ ଅନ୍ତତଃ ୪/୫ଦିନ ସମୟ ଲଗେ। ତେଣୁ କାଗଜପତ୍ର ତିଆରି ବେଳେ ତଦନ୍ତକାରୀ ଅଫିସର ବେଶି ଉତ୍ତରଦାୟୀ।

ସମ୍ବନ୍ଧିତ ଖବର