ଥାନା ଭିତରେ ଖତଖାଉଛି ଚୋରା ଗାଡ଼ି : ଇଂଜିନ ଓ ଚେଚିସ୍‌କୁ ଛାଡ଼ି ବାକି ସବୁ ଚୋରି ହୋଇଯାଉଛି, ଗାଡ଼ି ନେବାକୁ ଚାହୁନାହାନ୍ତି ମାଲିକ

ପୁରୀ : ଚୋରା ଗାଡ଼ି ଧରାପଡୁଛି, ବିଭିନ୍ନ ମାମଲାରେ ପୁଲିସ ମଧ୍ୟ ଗାଡି ଜବତ କରୁଛି। ଦୁର୍ଘଟଣା ଘଟାଉଥିବା ଗାଡ଼ି ବି ଜବତ ହୋଇ ଥାନାରେ ବର୍ଷ ବର୍ଷ ଧରି ପଡ଼ିରହୁଛି। ଥାନା ପରିସରର ଅଧା ଜାଗା ଜବତ ଗାଡ଼ିରେ ଭର୍ତ୍ତି ହୋଇରହୁଛି। ତେବେ ଜବତ ଗାଡ଼ିର ରକ୍ଷଣାବେକ୍ଷଣ ନଥିବାରୁ ଗାଡ଼ିଗୁଡିକ ନଷ୍ଟ ‌ହେଉଛି। ଗାଡ଼ି ଉପରେ ଗଛ ଉଠିଗଲାଣି। ଗାଡ଼ି ଉପରେ ଗାଡ଼ି ଗଦା ହୋଇ ପଡ଼ିରହିଛି। ଏ ଭଳି ଅବସ୍ଥାରେ ଗାଡ଼ି ରହୁଛି ଯେ, ମାମଲା ସମାଧାନ ହେବା ବେଳକୁ ମାଲିକଙ୍କୁ କେବଳ ଖୋଳ ହିଁ ମିଳୁଛି। ଏ ଖୋଳକୁ ନେଇ ସଜାଡ଼ିବା ଅପେକ୍ଷା ମାଲିକ ଗାଡ଼ିକୁ ଥାନାରେ ଛାଡି ଚାଲିଯାଉଛନ୍ତି।

ରାଜ୍ୟର ସବୁ ଥାନାରେ ଏଭଳି ଅବସ୍ଥା। ତେବେ ଏଥି ପାଇଁ ପୁଲିସ ବିଭାଗ କିଛି ବ୍ୟବସ୍ଥା କରୁନାହିଁ। ପରିତ୍ୟକ୍ତ ହୋଇ ପଡ଼ିରହୁଥିବା ଗାଡ଼ିରୁ ମୂଲ୍ୟବାନ ଯନ୍ତ୍ରାଂଶ ଚୋରି ହେଉଛି। ପୁଲିସ ମଧ୍ୟ ଏଥିପାଇଁ ଉତ୍ତରଦାୟୀ ରହୁନାହିଁ। ଗାଡିର ଇଂଜିନ ଚେଚିସ୍‌କୁ ଛାଡି ବାକି ସବୁ ଚୋରି ହୋଇଯାଉଛି। ପୁଲିସ ପ୍ରଶାସନ ପକ୍ଷରୁ ଏତେ ଗାଡ଼ିର ଦାୟିତ୍ୱ ନେବା ମଧ୍ୟ ଅସମ୍ଭବ ହୋଇପଡ଼ୁଛି। ଏଥି ପାଇଁ କିଛି ଅବଧି ରଖା ଯାଉନାହିଁ। ନିଲାମ ହେଲା ବେଳକୁ ଗାଡ଼ି ଚାଲିବା ଅବସ୍ଥାରେ ରହୁନାହିଁ। ସମଗ୍ର ‌ରାଜ୍ୟରେ ‌ଏମିତି କୋଟି କୋଟି ଟଙ୍କା ମୂଲ୍ୟର ଦୁଇ ଚକିଆ, ଚାରିଚକିଆ ଓ ଭାରିଯାନ ନଷ୍ଟ ହେଉଛି।

ପୁରୀର ୪ଟି ଥାନାରେ ପ୍ରାୟ ଏକ ହଜାରରୁ ଅଧିକ ଗାଡ଼ି ଖତ ଖାଉଛି। କୁମ୍ଭାରପଡ଼ା ଥାନାରେ ଗାଡ଼ି ଉପରେ ଗଛ ଉଠିଗଲାଣି। ପଡ଼ି ରହିଥିବା ଗାଡ଼ି ଆଉ ଦିଶୁନି। ଏଠାରେ ତିନି ଶହରୁ ଅଧିକ ଗାଡ଼ି ପଡ଼ି ନଷ୍ଟ ହୋଇଯାଇଛି। ସେହି ଭଳି ସଦର ଥାନାରେ ମଧ୍ୟ ସମାନ ଅବସ୍ଥା। ଏଠାରେ ପାଇଖାନା ଓ ପରିସ୍ରାଗାରରେ ଗାଡ଼ି ସବୁ ପଡିଛି। ପୁରୀ ସମୁଦ୍ରକୂଳ ଥାନା ଓ ଟାଉନ ଥାନାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ପରିତ୍ୟକ୍ତ ହୋଇପଡ଼ି ରହିଥିବା ଗାଡ଼ିମଧ୍ୟରୁ ଅଧିକାଂଶ ଉଦ୍ଧାର ହୋଇଥିବା ଚୋରା ଗାଡ଼ି ରହିଛି। ତେବେ ଏହି ବ୍ୟବସ୍ଥା ଭିତରେ ଗାଡ଼ିମାଲିକଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଗାଡ଼ିର ଏଭଳି ଅବସ୍ଥା ଯୋଗୁଁ ମାଲିକ ଥାନାରେ ପଡ଼ିରହିଥିବା ଗାଡ଼ିନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ସରକାର ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥ‌ା କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର