ଯନ୍ତ୍ରୀଙ୍କ କ୍ୱାର୍ଟରରେ ଚାଲିଛି ଥାନା

ଅଧିକାରୀଙ୍କ ଟେବୁଲ ପାଖ ହାଜତ

ଓଲଟ୍‌ପୁର ଓ ନିଆଳି ଥାନା ଦାୟିତ୍ୱରେ ଜଣେ ଅଧିକାରୀ

କଟକ :ପୁଲିସ ଆଧୁନିକୀକରଣ ନାମରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ମଡ଼େଲ ଥାନା ତିଆରି ପାଇଁ ଯୋଜନା ପ୍ରସ୍ତୁତ ହେଉଛି। କିନ୍ତୁ ରାଜ୍ୟ ପୁଲିସ ମୁଖ୍ୟାଳୟ ଥିବା କଟକ ଜିଲ୍ଲାରେ ଥାନା ଚାଲିଛି ବ୍ଲକ୍‌ ଯନ୍ତ୍ରୀଙ୍କ ଦୁଇବଖରିଆ କ୍ୱାର୍ଟରରେ। ରୋଷେଇ ଘରେ ଚାଲିଛି ରାଇଟର୍‌ ସେକ୍‌ସନ୍‌ ଓ ହାଜତ୍‌ କହିଲେ ପୁଲିସ ବାବୁଙ୍କ ଟେବୁଲ ପାଖ ଜାଗା। ଏଭଳି ଦୟନୀୟ ଅବସ୍ଥାରେ ରହିଛି ଜିଲ୍ଲାର କଣ୍ଟାପଡା ବ୍ଲକ୍‌ ମୁଖ୍ୟାଳୟରେ ଥିବା ଓଲଟ୍‌ପୁର ଥାନା। କେବଳ ସେତିକି ନୁହେଁ ଜଣେ ଅଧିକାରୀ ଅଛନ୍ତି ଦୁଇଟି ଥାନା ଦାୟିତ୍ୱରେ। ଓଲଟ୍‌ପୁର ଓ ନିଆଳି ଥାନାର ଅଧିକାରୀ ଭାବେ ଜଣେ ଇନ୍ସପେକ୍ଟର ଦାୟିତ୍ୱ ତୁଲାଉଛନ୍ତି। ସକାଳେ ଓଲଟ୍‌ପୁରରେ, ରାତିରେ ନିଆଳି ଦାୟିତ୍ୱ ବୁଝୁଛନ୍ତି। କେବଳ ଥାନା ଅଧିକାରୀ ନୁହନ୍ତି ଏସ୍‌ଡିପିଓ ମଧ୍ୟ ଅଛନ୍ତି ଦୁଇଟି ଦାୟିତ୍ୱରେ। ବାଙ୍କୀ ଏସ୍‌ଡିପିଓ ଉଭୟ ବାଙ୍କୀ ଓ ନିଆଳି ଏସ୍‌ଡିପିଓ ଦାୟିତ୍ୱରେ ଅଛନ୍ତି।

ସୂଚନା ଅନୁଯାୟୀ କଣ୍ଟାପଡା ବ୍ଲକ୍‌ରେ ରହିଛି ଦୁଇଟି ଥାନା। ଗୋବିନ୍ଦପୁର ଓ ଓଲଟ୍‌ପୁର। ଗୋବିନ୍ଦପୁର ଥାନାରେ ଆବଶ୍ୟକୀୟ ଭିତ୍ତିଭୂମି ରହିଛି ସତ କିନ୍ତୁ ଅଧିକାରୀ ଭାବେ ଦାୟିତ୍ୱରେ ଅଛନ୍ତି ଜଣେ ସବ୍‌ଇନ୍ସପେକ୍ଟର। ଏଯାଏ ତାହା ଇନ୍ସପେକ୍ଟର ପାହ୍ୟାକୁ ଅପଗ୍ରେଡ୍‌ ହୋଇପାରି ନାହିଁ। ୨୦୦୯ରେ କଣ୍ଟାପଡା ବ୍ଲକ୍‌ ମୁଖ୍ୟାଳୟରେ ସ୍ଥାପନ କରାଗଲା ଓଲଟ୍‌ପୁର ଥାନା। ଅସ୍ଥାୟୀ ଭାବେ ନିର୍‌ତାର ପରିସରରେ ଏକ ଆଜବେଷ୍ଟସ ଘରେ ଚାଲିଲା ଥାନା। କିନ୍ତୁ ୨ବର୍ଷ ପରେ ଅର୍ଥାତ୍‌ ୨୦୧୧ରେ କଣ୍ଟାପଡା ବ୍ଲକ୍‌ ପରିସରରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ କ୍ୱାର୍ଟରକୁ ଉଠିଆସିଲା ଥାନା। ୭ବର୍ଷ ହେଲା ସେହି ୨ବଖରିଆ ଯନ୍ତ୍ରୀଙ୍କ କ୍ୱାର୍ଟରରେ ଚାଲିଛି ଦୟନୀୟ ଅବସ୍ଥାରେ ଜିଲ୍ଲାର ଅନ୍ୟତମ ସମ୍ବେଦନଶୀଳ ଥାନା ଓଲଟ୍‌ପୁର। କିନ୍ତୁ କଣ୍ଟାପଡା ଅଞ୍ଚଳରେ ପୁଲିସ ଗିରଫ କରୁଥିବା ବା ଜେରା ପାଇଁ ଆଣୁଥିବା ଅଭିଯୁକ୍ତଙ୍କୁ ନେଇ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେଉଛି।

ଥାନାରେ ହାଜତ ନଥିବାରୁ ଅପରାଧୀଙ୍କୁ ଜଗିବା ଦାୟିତ୍ୱରେ ପୁଲିସବାବୁମାନଙ୍କର ସମୟ ଯାଉଛି। କାଳେ କିଏ ଥାନା ପରିସରରୁ ଖସିଯିବ ସେହି ଭୟ ସବୁବେଳେ ଘାରୁଛି। ତା’ ସହିତ ମହିଳା ଅପରାଧୀଙ୍କୁ ଥାନାରେ ପଚରାଉଚୁରା ଓ ସ୍ୱତନ୍ତ୍ର ବ୍ୟବସ୍ଥାରେ ରଖିବା ନେଇ ନିର୍ଦ୍ଦିଷ୍ଟ ଗାଇଡ୍‌ ଲାଇନ ଥିଲେ ମଧ୍ୟ ଓଲଟ୍‌ପୁର ଥାନାରେ ସେସବୁ କାର୍ଯ୍ୟକାରୀ କରିବାର ସୁଯୋଗ ନାହିଁ। ଗୋଟିଏ ପଟେ କଣ୍ଟାପଡାରେ ୮୫ଏକରରୁ ଉର୍ଦ୍ଧ୍ୱ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ଥିବା ସଂପର୍କରେ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଥାନା ପାଇଁ ଜମି ନମିିଳିବା ଘଟଣା ସାଧାରଣରେ ପ୍ରତିକ୍ରିୟାର କାରଣ ହୋଇଛି। ଏ ସଂପର୍କରେ ଥାନା ଅଧିକାରୀ ତପନ ରାଉତ କହିଛନ୍ତି ଯେ ଜମି ଚିହ୍ନଟ ପ୍ରକ୍ରିୟା ଅଟକି ରହିଥିବାରୁ ଥାନାର ନିଜସ୍ୱ ଗୃହ ନିର୍ମାଣ ହୋଇପାରୁ ନାହିଁ।

ସମ୍ବନ୍ଧିତ ଖବର