କଂଗ୍ରେସ ଶୋଭାଯାତ୍ରାକୁ ଅଟକାଇଲା ପୁଲିସ୍‌

ଆନନ୍ଦପୁର : ଆନନ୍ଦପୁର ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ସୁରେଶ ସାହୁଙ୍କ ଗିରଫ ଘଟଣାକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ଆଜି କଂଗ୍ରେସ ଥାନା ଘେରାଉ କରିବା ପାଇଁ ଉଦ୍ୟମ କରିଥିଲା। ଏଥିପାଇଁ ବାହାରିଥିବା ଶୋଭାଯାତ୍ରା ଅଧାବାଟରେ ପହଞ୍ଚିଲା ବେଳକୁ ପୁଲିସ୍‌ ଅଟକାଇଥିଲା। ତେବେ, ଘଷିପୁରା ଆଇଆଇସିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ଗତ ୫ ତାରିଖ ଦିନ ପୂର୍ବତନ ପୌରାଧ୍ୟକ୍ଷ ଶ୍ରୀ ସାହୁଙ୍କ ସାନଭାଇ ରାଜେନ୍ଦ୍ର ସାହୁଙ୍କୁ ଘଷିପୁରା ଥାନା ଆଇଆଇସି ବିର‌ଞ୍ଚି ବାଗ୍ ଥାନାକୁ ଉଠାଇ ଆଣିଥିଲେ। ଖବର ପାଇ ଶ୍ରୀ ସାହୁ ଓ ତାଙ୍କର ଅନ୍ୟଜଣେ ସାମ୍ବାଦିକ ଭାଇ ଜିତେନ୍ଦ୍ର ସାହୁ ରାତି ୧୨ଟାରେ ଏ ସମ୍ପର୍କରେ ବୁଝିବା ପାଇଁ ଥାନାରେ ପହଞ୍ଚିଥିଲେ। ଏଭଳି ଗିରଫଦାରିର କାରଣ ପଚାରିବାରୁ ପୁଲିସ୍‌ ସହିତ ବଚସା ହୋଇଥିଲା। ଏହି ବଚସାକୁ କେନ୍ଦ୍ରକରି ପୁଲିସ ସଂଗିନ୍ ଦଫାରେ ସୁରେଶ ଓ ଜିତେନ୍ଦ୍ରଙ୍କୁ କୋର୍ଟଚାଲାଣ କରିଦେଇଥିଲା।

ଏହାର ପ୍ରତିବାଦରେ ଆଜି ଦିନ ୧୧ଟାରେ ପା‌ଞ୍ଚ ହଜାରରୁ ଊର୍ଦ୍ଧ୍ବ କଂଗ୍ରେସ ସମର୍ଥକ ଶୈଲଙ୍ଗ ଛକ ନିକଟରେ ଏକାଠି ହୋଇ ଥାନା ଘେରାଉ ପାଇଁ ସଜବାଜ ହୋଇଥିଲେ। ଏହା ଦେଖି ପୁଲିସ୍‌ ହଠାତ୍‌ ଡାକବାଜି ଯନ୍ତ୍ରରେ ଆନ୍ଦୋଳନ ବେଆଇନ୍‌ ବୋଲି ପ୍ରଚାର କରିଥିଲେ।

ଏହାସତ୍ତ୍ବେ ଆନ୍ଦୋଳନକାରୀମାନେ ସାଢ଼େ ୧୨ଟାରେ ଘସିପୁରା ଆଇଆଇସିଙ୍କ ବିରୋଧରେ ସ୍ଲୋଗାନ୍ ଦେଇ ତାଙ୍କୁ ଏଠାରୁ ହଟାଇବା ଦାବି କରି ଶୋଭାଯାତ୍ରାରେ ବାହାରିଥିଲେ। ୫ ଶହ ମିଟର ଆସିବାପରେ ଆନନ୍ଦପୁର ଏସ୍‌ଡିପିଓ ବିଦ୍ୟୁତ୍ ଚନ୍ଦ୍ର ପଣ୍ତା ଆନ୍ଦୋଳନକାରୀଙ୍କୁ ଅଟକାଇ ଦାବିପତ୍ର ଗ୍ରହଣ କରିଥିଲେ। ଆଗାମୀ ୭୨ ଘଣ୍ଟା ମଧ୍ୟରେ ଆଇଆଇସିଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ହଟିଥିଲା।

ତେବେ, ଥାନା ଆଇଆଇସିଙ୍କ ଏଭଳି କାର୍ଯ୍ୟଶୈଳୀ ଯୋଗୁ ଏଠାରେ ଅବାଧ ମତଦାନ ନେଇ ସନ୍ଦେହ ପ୍ରକଟ କରାଯିବା ସହିତ କଂଗ୍ରେସ ପକ୍ଷରୁ ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ଆଜିର ଆନ୍ଦୋଳନରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳ, ଯୁବନେତା ନିକୁଞ୍ଜ ବିହାରୀ ମିଶ୍ର, ସୁବ୍ରତ କୁମାର ଚକ୍ର, ସଂଗ୍ରାମ ଜେନା, ମନୋଜ ସ୍ବାଇଁ, ଜୟନ୍ତ ସାହୁ, ସୁରେଶ ପୃଷ୍ଟି, ଦିଲୀପ ଜେନା, ତ୍ରିଲୋଚନ ପରିଡ଼ା, ଚଗଲା କୁଅଁର, ତାରିଣୀ ପ୍ରସାଦ ପଟ୍ଟନାୟକ ପ୍ରମୁଖ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର