ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟ ନିକଟରେ ପାଟ୍ରୋଲିଂ କରୁଥିବା ପୁଲିସ ଗାଡ଼ି ଉପରକୁ ଗତକାଲି ରାତିରେ ଗୁଳିମାଡ଼ ହୋଇଛି। ଗୁଳି ମାଡ଼ରେ ଏସ୍ଆଇ ପ୍ରଦୀପ କୁମାର ନାୟକ ଆହତ ହୋଇଛନ୍ତି। ତାଙ୍କ ବେକରେ ଗୁଳିର କିଛି ଅଂଶ ଫସି ରହିଥିବା ଜଣାପଡିଛି। ଏହି ଘଟଣାରେ ଗଞ୍ଜେଇ ମାଫିଆଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ଗତକାଲି ରାତି ପ୍ରାୟ ସାଢ଼େ୧୦ଟା ସମୟରେ ମାଛକୁଣ୍ଡ ଥାନା ଅଧିକାରୀ ବିମଳ କୁମାର ମଲ୍ଲିକ, ଏସଆଇ ପ୍ରଦୀପ କୁମାର ନାୟକ, ଲମତାପୁଟ ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଷଡଙ୍ଗି, ଜଲାପୁଟ ଫାଣ୍ଡି ଅଧିକାରୀ ମହେଶ୍ୱର କ୍ରିସାନୀ ସହ କିଛି କନେଷ୍ଟବଲ ଜଲାପୁଟ ଅଞ୍ଚଳକୁ ରାତ୍ର ପାଟ୍ରୋଲଂ ପାଇଁ ଯାଇଥିଲେ। ପୁଲିସର କହିବା ଅନୁଯାୟୀ ଥାନା ଅଧିକାରୀଙ୍କ ନିଜ ବଲେରୋ ( ଓଡି ୧୦ ଏ ୬୩୩୪) ଜଲାପୁଟ ନୂତନ ବ୍ରିଜ ପାର ହେବା ପରେ ପରେ ଗାଡି ଉପରକୁ ହଠାତ ଗୁଳି ମାଡ଼ ହୋଇଥିଲା। ଦୁଇ ଜଣ ଦୁର୍ବୃତ୍ତ ରାସ୍ତା ଉପରେ ଠିଆ ହୋଇଥିବା ବେଳେ ରାସ୍ତା ପାର୍ଶ୍ୱରୁ ହଠାତ୍ ଦୁଇଜଣ ବାହାରି ଗୁଳି ମାଡ଼ କରିଥିଲେ। ଦୁର୍ବୃତ୍ତମାନେ କଳା ରଙ୍ଗର ଜ୍ୟାକେଟ ପିନ୍ଧିଥିବା ବେଳେ ମୁହଁରେ କଳାକନା ବାନ୍ଧି ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଗାଡି ଉପରକୁ ପ୍ରାୟ ୫ରାଉଣ୍ଡ ଗୁଳି ଚାଳନା ହୋଇଥିବା ବେଳେ ଗୁଳିର କିଛି ଅଂଶ ଗାଡ଼ି ଚଳାଉଥିବା ସବ ଇନ୍ସପେକ୍ଟର ପ୍ରଦୀପ କୁମାର ନାୟକକୁ ବେକରେ ପଶିଯାଇଥିଲା। ଗୁଳି ମାଡ଼ରେ ଆହତ ପ୍ରଦୀପ ନାୟକଙ୍କୁ ପ୍ରଥମେ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କୋରାପୁଟ ମେଡିକାଲକୁ ନିଆଯାଇଥିଲେ। ଗୁଳିର କିଛି ଅଂଶ ତାଙ୍କ ବେକରେ ପଶି ଯାଇଥିବା ଜଣାପଡିବା ପରେ ଚିକିତ୍ସା ପାଇଁ ଆଜି ସକାଳୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ବ୍ୟବହାର କରିଥିବା ବଲେରୋ ସମ୍ମୁଖ କାଚରେ ଦୁଇଟି ଗୁଳି ବାଜିଥିବା ବେଳେ ଡ୍ରାଇଭର ପାଖ ଡୋର୍ର କ୍ୟାବିନେଟରେ ଗୁଳି ବାଜିଛି। କେବଳ ଏତିକି ନୁହଁ ଗାଡ଼ିର ପଛପାଖ ପଥର ମାଡ଼ରେ ଜଖମ ହୋଇଛି। ଏଥିସହ ଏହି ଅଞ୍ଚଳ ମାଓ ଉପଦ୍ରୁତ ହୋଇଥିବା ବେଳେ ଗଞ୍ଜେଇ ମାଫିଆଙ୍କ ଚରାଭୂଇଁ ପାଲଟିଛି। ଏହି ରାସ୍ତାରେ ପ୍ରାୟ ପ୍ରତ୍ୟେକ ଦିନ ଗଂଜେଇ ଚାଲାଣ ହେଉଛି। ତେଣୁ ଗୁଳି ମାଡ଼ କରିଥିବା ଦୁର୍ବୃତ୍ତମାନେ ଗଂଜେଇ ମାଫିଆ ବୋଲି ସନ୍ଦେହ ଦୃଢ଼ିଭୂତ ହେଉଛି।
ହିସାବ ଛିଡ଼ିଲାନି, ଗୁଳି ଖାଇଲେ!
ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟରେ ପୁଲିସ ଉପରକୁ ଗୁଳିମାଡ଼ ଘଟଣା ପରେ ଅନେକ ରୋଚକ ତଥ୍ୟ ମିଳିବାରେ ଲାଗିଛି। ଯେଉଁ ସ୍ଥାନରେ ପୁଲିସ ଗାଡ଼ି ଉପରକୁ ଗୁଳି ମାଡ଼ ହୋଇଛି ସେହି ରାସ୍ତାରେ ଦୈନିକ ବହୁ ପରିମାଣର ଗଞ୍ଜେଇ ଚାଲାଣ ହେଉଛି। ସେଥିରୁ କାଁ ଭାଁ କେତେବେଳ କିଛି ଗଂଜେଇ ଗାଡ଼ି ଧରା ପଡୁଥିବା ବେଳେ ଅଧିକାଂଶ ଖସି ଯାଉଛି। ଆଉ ଗଂଜେଇ ଗାଡ଼ି ଖସିବାରେ ପୁଲିସ କର୍ମଚାରୀଙ୍କ ହାତ ରହୁଥିବା ବିଭିନ୍ନ ସମୟରେ ଅଭିଯୋଗ ଉଠୁଛି। ଗତକାଲି ହୋଇଥିବା ଗୁଳିମାଡ଼ ଘଟଣା ଏହାର ଏକ ଅଂଶବିଶେଷ ବୋଲି ମଧ୍ୟ ଅଭିଯୋଗ ଉଠୁଛି। ଗଂଜେଇ ମାଫିଆଙ୍କ ସହ ହିସାବ ନଛିଣ୍ଡିବାରୁ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇ ପରେ ଏହା ଗୁଳିକାଣ୍ଡର ରୂପ ନେଇଥିଲା ବୋଲି କୁହାଯାଉଛି। ତେବେ ପୁଲିସ ଏହାକୁ ଭିନ୍ନ ରୂପ ଦେବାକୁ ପାଟ୍ରୋଲିଂ କରୁଥିବା ସମୟରେ ଦୁର୍ବୃତ୍ତ ହଠାତ୍ ଆସି ଗୁଳିମାଡ଼ କରିଥିବା କହୁଥିବା ଲମତାପୁଟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନା ଅନୁସାରେ ମାଛକୁଣ୍ଡ ଥାନା ଅଧିକାରୀ ବିମଳ କୁମାର ମଲ୍ଲିକଙ୍କ ନେତୃତ୍ୱରେ ପୁଲିସ ଟିମ୍ ଜଲାପୁଟକୁ ଯାଇଥିଲେ। ଏହି ଘଟଣାରେ ସରକାରୀ ଗାଡ଼ି ବଦଳରେ ଥାନା ଅଧିକାରୀଙ୍କ ନିଜସ୍ୱ ବଲେରୋ ଓଡି-୧୦ଏ-୬୩୩୪ ବ୍ୟବହାର ହୋଇଥିଲା। ଜଲାପୁଟ ଏକ ଦୁର୍ଗମ ଏବଂ ନକ୍ସଲ ଉପଦ୍ରୁତ ଅଞ୍ଚଳ। ସାଧାରଣତଃ ମାଓବାଦୀ ଦବ୍ଦବା ଥିବା ଅଞ୍ଚଳରେ କୌଣସି ହିଂସାକାଣ୍ଡ ଘଟିଲେ ରାତିରେ ପୁଲିସ ନିଜର ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳକୁ ଯାଇ ନଥାଏ। ଏଭଳି କି ଦିନବେଳେ ମଧ୍ୟ ଶବକୁ ବ୍ୟବଚ୍ଛେଦ କରିବା ପାଇଁ ମୃତକଙ୍କ ପରିବାରକୁ ମେଡିକାଲ ଆଣିଦେବା ପାଇଁ ପୁଲିସ କହିଥାଏ। ତେଣୁ କେଉଁ ପରିସ୍ଥିତିରେ ରାତି ସାଢ଼େ ୧୦ଟା ବେଳେ ଥାନା ଅଧିକାରୀ ନିଜ ଗାଡ଼ିରେ ପୁଲିସ କର୍ମଚାରୀଙ୍କୁ ନେଇ ପାଟ୍ରୋଲିଂ ପାଇଁ ଯାଇଥିଲେ ତାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ହେଉଛି। ସେଠାରୁ ଗଞ୍ଜେଇ ଆଣି ଜଲାପୁଟ ରାସ୍ତାରେ ଆନ୍ଧ୍ରକୁ ଏବଂ ଲମତାପୁଟ – ଜୟପୁର ଦେଇ ଛତିଶଗଡ଼କୁ ଚାଲାଣ ହୋଇଥାଏ।