ନିର୍ବାଚନ ତାଲିମ କାର୍ଯ୍ୟରେ ଅବହେଳା : ୱାରେଣ୍ଟ ବଳରେ ଅଧ୍ୟାପକଙ୍କୁ ଉଠାଇଲା ପୁଲିସ

ଛତ୍ରପୁର : ପ୍ରିଜାଇଡିଂ ଅଫିସର ତାଲିମ ନେବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ଜଣେ ଇଂରାଜୀ ଅଧ୍ୟାପକଙ୍କୁ ପୁଲିସ ୱାରେଣ୍ଟ ବଳରେ ଉଠାଇ ଆଣି ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ହାଜର କରାଇଛି। ଅଧ୍ୟାପକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଜୁନିୟର ମହିଳା ମହାବିଦ୍ୟାଳୟର ସାଗର ପ୍ରସାଦ ଲେଙ୍କା। ହାଜର ହେବା ପରେ ସେ ନିଜର ଭୁଲ ସ୍ବୀକାର କରିବା ସହ ଆସନ୍ତା ୧୮ ତାରିଖରେ ନିର୍ବାଚନ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଦାୟିତ୍ବକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ଏକ ଲିଖିତ କ୍ଷମା ପ୍ରାର୍ଥନା ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ପ୍ରିଜାଇଡିଂ ଅଫିସର ତାଲିମ ନେବା ପାଇଁ ଇଂରାଜୀ ଅଧ୍ୟାପକ ସାଗର ପ୍ରସାଦ ଲେଙ୍କାଙ୍କୁ ନିର୍ଦ୍ଦେଶ ରହିଛି। ଆସନ୍ତା ୧୮ ତାରିଖରେ ବ୍ରହ୍ମପୁରସ୍ଥିତ ୟୁସିପି ଇଞ୍ଜିନିୟରିଂ କଲେଜ ଠାରେ ତାଲିମ ନେବା ନିମନ୍ତେ ଶ୍ରୀ ଲେଙ୍କାଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ଗତ ୧୨ ତାରିଖରେ ବେଲଗୁଣ୍ଠା ମହାବିଦ୍ୟାଳୟର ଅଧ୍ୟକ୍ଷ ଏନ୍.ରାଜେନ୍ଦ୍ରଙ୍କ ଜରିଆରେ ଆଦେଶ ପତ୍ର ପଠାଇଥିଲେ। ଅଧ୍ୟକ୍ଷ ଏହି ପତ୍ର ପାଇବା ପରେ ଇଂରାଜୀ ଅଧ୍ୟାପକ ଶ୍ରୀ ଲେଙ୍କାକୁ ସଂଗେ ସଂଗେ ଅବଗତ କରାଇଥିଲେ। କିନ୍ତୁ ଅଧ୍ୟାପକ ଜଣକ ଉକ୍ତ ଆଦେଶ ପତ୍ରକୁ ଗ୍ରହଣ କରି ନ ଥିଲେ। ଏହା ସହିତ ୩ ଦିନିଆ ଛୁଟି ଆବେଦନ କରିଥିଲେ। ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଏନ୍.ରାଜେନ୍ଦ୍ର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଥିଲେ। ନିର୍ବାଚନ ଦାୟିତ୍ବକୁ ଅବମାନନା କରିବା ସହ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଆଦେଶ ପତ୍ରକୁ ଗ୍ରହଣ କରି ନ ଥିବାରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟାପକ ଶ୍ରୀ ଲେଙ୍କାଙ୍କ ବିରୋଧରେ ପୁଲିସ ୱାରେଣ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦେଇ ଥିଲେ। ଭଞ୍ଜନଗର ପୁଲିସ ଆଜି ଅଧ୍ୟାପକଙ୍କୁ ଭଞ୍ଜନଗର ସ୍ଥିତ ବାସଭବନରୁ ଉଠାଇ ଆଣି ଜିଲ୍ଲାପାଳଙ୍କ ନିକଟରେ ହାଜର କରାଇଥିଲା। ପରେ ଅଧ୍ୟାପକ ଶ୍ରୀ ଲେଙ୍କା ଭୁଲ ସ୍ବୀକାର କରି ଆସନ୍ତା ୧୮ ତାରିଖରେ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି କହିଛନ୍ତି। ତେବେ ଏ ସମ୍ପର୍କରେ ପରବର୍ତ୍ତୀ ପଦକ୍ଷେପ ଜିଲ୍ଲାପାଳ ନେବେ ବୋଲି ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ପ୍ରାୟ ୮ ହଜାର କର୍ମଚାରୀଙ୍କୁ ପର୍ଯ୍ୟାୟ କ୍ରମେ ବିଭିନ୍ନ କାର୍ଯ୍ୟ ପାଇଁ ତାଲିମ ଦିଆଯିବ। ଏଥିରେ କୌଣସି କର୍ମଚାରୀ ଅବହେଳା କିମ୍ବା ଅବମାନନା କଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କହିଛନ୍ତି ।

ସମ୍ବନ୍ଧିତ ଖବର