ପୁଲିସ ଟାର୍ଗେଟ୍‌ରେ ମାଓବାଦୀଙ୍କ ଗଂଜେଇ ଚାଷ

କଟକ : ରାଜ୍ୟର ବିଚ୍ଛିନ୍ନାଞ୍ଚଳରେ ମାଓବାଦୀଙ୍କ ପ୍ରୋତ୍ସାହନରେ ହେଉଛି ଗଂଜେଇ ଚାଷ। ଗଂଜେଇ ବିକ୍ରିରୁ ମିଳୁଥିବା ଲାଭାଂଶ ସିଧାସଳଖ ମାଓବାଦୀଙ୍କ ପକେଟ୍‌କୁ ଯାଉଛି। ରାଜ୍ୟ ପୁଲିସର ଗୁଇନ୍ଦା ତଥ୍ୟ ଅନୁଯାୟୀ ମାଲ୍‌କାନଗିରିର ବିଚ୍ଛିନ୍ନାଞ୍ଚଳ ଏବଂ ଅନ୍ୟ ମାଓ ପ୍ରଭାବିତ ଅଞ୍ଚଳରେ ଏବେ ଅଧିକ ସଂଖ୍ୟାରେ ଗଞ୍ଜେଇ ଚାଷ ହେଉଛି। ରାଜ୍ୟ ପୁଲିସ ବିଭାଗକୁ ଏଭଳି ତଥ୍ୟ ମିଳିବା ପରେ ଏବେ ବିଭାଗ ଅଧିକ ସଜାଗ ଓ ସତର୍କ ହୋଇଯାଇଛି। ଗଂଜେଇ ଚାଷ ନଷ୍ଟ କରିବା ସହିତ ଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁଲିସ ଡିଜି ଡାକ୍ତର ଆର୍‌.ପି. ଶର୍ମା ଆୟୋଜିତ ଏକ ବୈଠକରେ ସୂଚନା ଦେଇଛନ୍ତି।

୨୦୧୬ ବର୍ଷରେ ରାଜ୍ୟରେ ମୋଟ ୩ ହଜାର ୬୦୦ ଏକର ଜମିରେ ଚାଷ ହେଉଥିବା ଗଂଜେଇ ଗଛ ନଷ୍ଟ କରଯାଇଛି। ୨୦୧୭ ବର୍ଷରେ ମୋଟ ୪ ହଜାର ୫୦୦ ଏକର ଜମିରେ ଗଂଜେଇ ଗଛ ନଷ୍ଟ କରାଯାଇଛି। ଚଳିତ ବର୍ଷ ମଧ୍ୟ ଅଧିକ ସଂଖ୍ୟାରେ ଗଂଜେଇ ଚାଷ ନଷ୍ଟ କରିବାକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଆଜି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡିଜିପି ଡାକ୍ତର ଶର୍ମା କହିଛନ୍ତି ଯେ ଉପାନ୍ତ ଅଞ୍ଚଳର ଅନେକ ସ୍ଥାନରେ ଗମନାଗମନ ସୁବିଧା ନଥିବାରୁ ମାଓବାଦୀମାନେ ସେଠାରେ ଗଞ୍ଜେଇ ଚାଷ କରୁଛନ୍ତି। ତୁରନ୍ତ ତାହାକୁ ନଷ୍ଟ କରିବା ସମ୍ଭବପର ହୋଇପାରୁ ନାହିଁ। ଫଳରେ ଗଂଜେଇ ଚାଷ ଏବେ ମାଓବାଦୀଙ୍କ ଆୟର ମୁଖ୍ୟ ଉତ୍ସ ପାଲଟିଛି। ତେଣୁ ଏ ଦିଗରେ ଦୃଢ ପକ୍ଷେପ ନେବାକୁ ପୁଲିସ୍‌ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ନକ୍ସଲ କଳାଧନ ସମ୍ପର୍କିତ ୧୦ଟି ମାମଲା ରୁଜୁ ହୋଇଛି। ସମସ୍ତ କେସ୍‌ର ଚାର୍ଜସିଟ୍‌ କରାଯାଇଛି। ଏ ସବୁ ମାମଲାର ତଦନ୍ତ ବେଳେ ନକ୍ସଲଙ୍କ ନିକଟରୁ ସର୍ବନିମ୍ନ ୧୬ ହଜାରରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜବତ ହୋଇଛି। କିନ୍ତୁ ବିହାର, ଝାଡ଼ଖଣ୍ଡ ଭଳି ରାଜ୍ୟରେ ନକ୍ସଲ କୋଟି କୋଟି ଟଙ୍କା ଠୁଳ କରିଛନ୍ତି। ମାତ୍ର ଓଡ଼ିଶାରେ ସେଭଳି ସ୍ଥିତି ଦେଖାଯାଇନଥିବା ଡାକ୍ତର ଶର୍ମା କହିଛନ୍ତି ।

ସମ୍ବନ୍ଧିତ ଖବର