ଥାନାରେ ପୁଲିସ୍‌ର ଥାର୍ଡଡିଗ୍ରୀ : ଗୁୁରୁତର ଅବସ୍ଥାରେ ଜଣେ କଟକ ସ୍ଥାନାନ୍ତର

ଯାଜପୁରସଦର : ବିଳମ୍ବରେ ଆସିବାରୁ ଜଣେ ଯୁବକଙ୍କୁ ଆଜି ଯାଜପୁର ପୁଲିସ୍‌ର ଥାର୍ଡଡିଗ୍ରୀ ଶିକାର ହେବାକୁ ପଡ଼ିଛି। ଗୁରୁତର ଅବସ୍ଥାରେ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର କହିଛନ୍ତି। ଅନ୍ୟପଟେ, ଘଟଣାକୁ ପୁଲିସ୍‌ ଅସ୍ୱୀକାର କରିଛି।

ଆକ୍ରମଣର ଶିକାର ହୋଇଥିବା ଏହି ବ୍ୟକ୍ତି ହେଉଛନ୍ତି ମହେଶ୍ୱର ମାହୁନ୍ତ (୪୯ବର୍ଷ)। ସୂଚନା ଅନୁଯାୟୀ, ଯାଜପୁର ସହରର ଲଳିତେଶ୍ୱର ନଗରରେ ଦୋକାନ କରିଥିବା ବିଜୟ ରାଉତ ଏବଂ ମହେଶ୍ୱରଙ୍କ ଭାଇ ବିଶ୍ୱନାଥ ମାହୁନ୍ତଙ୍କ ମଧ୍ୟରେ ବ୍ୟବସାୟକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହି ଘଟଣାରେ ବିଜୟ ରାଉତ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଉଭୟ ପକ୍ଷଙ୍କୁ ବୁଝାମଣା ପାଇଁ ଥାନାକୁ ଡକାଯାଇଥିଲା। ଗୋଟିଏ ପକ୍ଷ ବିଳମ୍ବ ଆସିଥିବାବେଳେ ଅନ୍ୟ ପକ୍ଷ ବହୁ ସମୟ ଧରି ଥାନାରେ ଅପେକ୍ଷା କରି ରହିଥିଲେ। ବିଶ୍ୱନାଥ ଅନୁପସ୍ଥିତ ଥିବାରୁ ତାଙ୍କ ଭାଇ ମହେଶ୍ୱର ଥାନାରେ ପହଞ୍ଚିଥିଲେ। ଦାୟିତ୍ଵରେ ଥିବା ଅଧିକାରୀ ଏଏସ୍‌ଆଇ ସୁଧାଂଶୁ ଶେଖର ରାଉତ ବିଳମ୍ବରେ ପହଞ୍ଚିଥିବା ମହେଶ୍ୱରଙ୍କୁ ପ୍ରବଳ ମାଡ଼ ମାରିଥିଲେ।

ଘଟଣାସ୍ଥଳରେ ସେ ପଡି ଯାଇ ଛଟପଟ ହେଉଥିବାବେଳେ ତାଙ୍କ ସାଙ୍ଗରେ ଯାଇଥିବା କିଛି ଲୋକ ତାଙ୍କୁ ଅଟୋରେ ନେଇ ଯାଜପୁର ଡାକ୍ତରଖାନାକୁ ଆସିଥିଲେ। ମାତ୍ର ପୁଲିସ ନିରବ ରହିଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେସଙ୍ଗେ ଆମ୍ବୁଲାନସ ଯୋଗେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଆହତ ଯୁବକଙ୍କ ମା’ ଆରତୀ ମାହୁନ୍ତ ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମଲ୍ଲଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ପୁଲିସ ଘଟଣାକୁ ଅସ୍ୱୀକାର କରିଛି। ଯାଜପୁର ଟାଉନ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି ଯେ, ଥାନା ଭିତରେ ଏଭଳି କିଛି ଘଟିନାହିଁ। ମାମଲା ଭୟରେ ପୁଲିସ ବିରୋଧରେ ଏହା ଷଡ଼ଯନ୍ତ୍ର ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର