କମିସନରେଟ୍‌ ପୁଲିସର ଜାମିନ ରଦ୍ଦ ଆବେଦନ: ରାଜା ଆଚାର୍ଯ୍ୟଙ୍କୁ ନୋଟିସ୍‌

କଟକ : ସଂଦୀପ ଆଚାର୍ଯ୍ୟ ଓରଫ ରାଜା ଆଚାର୍ଯ୍ୟଙ୍କ ଜାମିନ ରଦ୍ଦ ପାଇଁ କମିସନରେଟ୍‌ ପୁଲିସ୍‌ ଦାୟର କରିଥିବା ଆବେଦନକୁ ବିଚାର ପାଇଁ ହାଇକୋର୍ଟ ଗ୍ରହଣ କରିଛନ୍ତି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ରାଜା ଆଚାର୍ଯ୍ୟଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଜୁଲାଇ ଦ୍ୱିତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୦, ଏପ୍ରିଲ ୧୩ରେ ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ଓ ଆକ୍ରମଣ ଅଭିଯୋଗକୁ ନେଇ ଲିଙ୍ଗରାଜ ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ରାଜା ମାଷ୍ଟର ମାଇଣ୍ଡ ଥିଲେ ବୋଲି ଅଭିଯୋଗ ହୋଇଥିଲା। ପୁଲିସ ତଦନ୍ତ କରି ଚାର୍ଜସିଟ ଦାଖଲ କରିବା ପରେ ଭୁବନେଶ୍ୱରସ୍ଥିତ ଅତିରିକ୍ତ ଦୌରା ଜଜ୍‌ ଅଦାଲତରେ ମାମଲାର ଶୁଣାଣି ଚାଲିଥିଲା। ଏହି ମାମଲା ବିଚାରାଧୀନ ଥିବା ବେଳେ ଜୁଡୋ କୋଚ୍‌ ବିରଞ୍ଚି ଦାସ ହତ୍ୟା ମାମଲାରେ ସୁପ୍ରିମକୋର୍ଟରୁ ରାଜା ଜାମିନ ପାଇଥିଲେ। କିନ୍ତୁ ଏହି ମାମଲାରେ ତାଙ୍କୁ ଜାମିନ ମିଳି ପାରି ନଥିବାରୁ ରାଜା ଜେଲରୁ ମୁକୁଳି ପାରି ନଥିଲେ। ଏହି ମାମଲାରେ ତାଙ୍କ ଜାମିନ ଦୌରା ଜଜ୍‌ ଅଦାଲତ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏପ୍ରିଲ ୨୦ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାଜାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଏହାପରେ ରାଜା ଜାମିନରେ ମୁକୁଳିଥିଲେ। ତାଙ୍କୁ ଲିଙ୍ଗରାଜ ଥାନା ମାମଲାରେ ଏପ୍ରିଲ ୨୦ରେ ହାଇକୋର୍ଟ ପ୍ରଦାନ କରିଥିବା ଜାମିନ ରଦ୍ଦ କରାଯାଉ ବୋଲି ଦର୍ଶାଇ କମିସନରେଟ୍‌ ପୁଲିସ ପକ୍ଷରୁ ହାଇକୋର୍ଟରେ ଆବେଦନ ଦାୟର କରାଯାଇଥିଲା।

ସମ୍ବନ୍ଧିତ ଖବର