ପୁଲିସ୍‌ ଭ୍ୟାନ୍‌କୁ ପିଟିଲା ଟ୍ରକ୍‌ : ୨ ଯବ‌ାନ ମୃତ, ୨୯ ଆହତ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯାଉଥିଲାବେଳେ ଦୁର୍ଘଟଣା

ଝାରସୁଗୁଡ଼ା/ବ୍ରଜରାଜନଗର/ସମ୍ବଲପୁର : ଝାରସୁଗୁଡ଼ା ଜିଲ୍ଲା ବନହରପାଲିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯାଉଥିବାବେଳେ ବେଲପାହାଡ଼ ବୁଲାଣି ବ୍ରିଜ ନିକଟରେ ଓଏସ୍‌ଏପି ଦ୍ବିତୀୟ ବାଟାଲିୟନର ଭ୍ୟାନ୍‌ (ଓଆର୍‌ ୦୫ଟି ୯୫୩୬)କୁ ଏକ ଟ୍ରକ୍‌ ଧକ୍କା ଦେଇଛି। ଫଳରେ ୨ ଜଣ ଯବାନଙ୍କର ମୃତ୍ୟୁ ହୋଇଥିବାବେଳେ ୨୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ‌ଜଣଙ୍କୁ ‘ବ୍ରେନ୍‌ଡେଡ୍‌’ ବୋଲି ଘୋଷଣା କରାଯାଇଛି। ଅନ୍ୟ ଆହତମାନଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ମିଳିଥିବା ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓପିଜିସିର ନୂତନ ପ୍ଲାଣ୍ଟ ଉଦ୍‌ଘାଟନ ଓ ସାଧାରଣ ସଭାରେ ଯୋଗଦେବା ପାଇଁ ଶୁକ୍ରବାର ଝାରସୁଗୁଡ଼ା ଗସ୍ତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହେବାକୁ ଝାରସୁଗୁଡ଼ା ଓଏସ୍‌ଏପିର ୫ ପ୍ଲାଟୁନ୍‌ ଫୋର୍ସ ୫ଟି ପୁଲିସ ଭ୍ୟାନରେ ସକାଳ ୬ଟା ୧୦ ମିନିଟରେ ବାଟାଲିୟନରୁ ବନହରପାଲି ଅଭିମୁଖେ ବାହାରିଥିଲେ। ବେଲପାହାଡ଼ ବୁଲାଣି ନିକଟସ୍ଥ ଗୋଲେଇ ପୋଷ୍ଟରୁ ମାତ୍ର ୪୦ ମିଟର ଦୂରତାରେ ଲଖନପୁର ପଟରୁ ଦ୍ରୁତଗତିରେ ଆସୁଥିବା ଏକ ମାଲ ବୋଝେଇ ଟ୍ରକ୍‌ ଓଏସ୍‌ଏପିର ଦ୍ବିତୀୟ ଭ୍ୟାନ୍‌ ଧକ୍କା ଦେଇଥିଲା। ଭ୍ୟାନ୍‌ରେ ଥିବା ୩୨ ଜଣ ଯବାନଙ୍କ ମଧ୍ୟରୁ ୩୧ ଜଣ ଆହତ ହୋଇଥିଲେ। ଆଗରେ ଓ ପଛରେ ଯାଉଥିବା ଅନ୍ୟ ୪ଟି ଭ୍ୟାନ୍‌ର ଯବାନ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରାଯାଇ ବେଲପାହାଡ଼ ଟିଆର୍‌ଏଲ୍‌ ହସପିଟାଲ ଓ ବ୍ରଜରାଜନଗର ମଣ୍ଡଳିଆଠାରେ ଥିବା ଏମସିଏଲ ସେଣ୍ଟ୍ରାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ବେଲପାହାଡ଼ ଟିଆର୍‌ଏଲ୍‌ ହସପିଟାଲରେ ଗଜପତି ଦ୍ବିତୀୟ ଏସ୍‌ଏସ୍‌ ବାଟାଲିୟନର ଯବାନ ପ୍ରଶାନ୍ତ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ମଣ୍ଡଳିଆଠାରେ ଓଏସ୍‌ଏପି ଦ୍ବିତୀୟ ବାଟାଲିୟନର ଯବାନ ଶଙ୍କର ପ୍ରସାଦ ପନ୍ଥଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଆହତଙ୍କ ମଧ୍ୟରୁ ଜଣଙ୍କୁ ଝାରସୁଗୁଡ଼ା ମେଡିକାଲକୁ ଓ ୨୬ ଜଣଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଟିଆର୍‌ଏଲ ହସ୍ପିଟାଲରେ ଅନ୍ୟ ୨ ଜଣଙ୍କର ଚିକିତ୍ସା କରାଯାଉଛି।

‘ଡୋଣ୍ଟ ଡିସଟର୍ବ ଏନିୱାନ୍‌’

ସମ୍ବଲପୁର : ଚିକିତ୍ସିତ ହେଉଥିବା ଆହତ ଯବାନଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁର୍ଲା ମେଡିକାଲକୁ ଯାଇଥିବା ବେଳେ ମେଡିକାଲ ପରିସରରେ ଲୋକଙ୍କ ଭିଡ଼ ଜମିଥିଲା। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ଯବାନଙ୍କ ପାଇଁ ଚିକିତ୍ସା ପ୍ରାଥମିକତା ଥିବା ବେଳେ ମେଡିକାଲ ମଧ୍ୟରେ ଏତେ ସଂଖ୍ୟକ ଭିଡ଼କୁ ମୁଖ୍ୟମନ୍ତ୍ରୀ ପସନ୍ଦ କରିନଥିଲେ। ଆହତଙ୍କୁ ଭେଟିବା ପରେ ‘ଡୋଣ୍ଟ ଡିସଟର୍ବ ଏନିୱାନ୍‌’ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପସ୍ଥିତ ଲୋକଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର