ଜିମ୍‌ ଯିବେ ବଡ଼ ପେଟ ଥିବା ପୁଲିସ

କଟକ: ବଡ଼ ପେଟ ଥିବା ପୁଲିସ ବାବୁ ଏବେ ବିଭାଗ ପାଇଁ ଚିନ୍ତାର କାରଣ ହୋଇଛନ୍ତି। ଅଧିକ ମୋଟା ଚେହେରା ଥିବାରୁ ଏହା କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପକାଉଛି। ଅଧିକାଂଶ ପୁଲିସ ଅଫିସର ମେଦ ବହୁଳ ରୋଗରେ ବି ପୀଡ଼ିତ । ତେଣୁ ଏ ପ୍ରକାର ସମସ୍ୟାର ସମାଧାନ କରିବାକୁ ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମିସନ୍‌ ‘ଜିରୋ ଫିଗର’ । ତେଣୁ ବ୍ୟାୟାମ ମାଧ୍ୟମରେ ମେଦ ହ୍ରାସ ସହିତ କିପରି ଶରୀରକୁ ଫିଟ୍‌ ରଖାଯାଇପାରିବ, ସେ ନେଇ ପୁଲିସ ବାବୁଙ୍କୁ ତାଲିମ ପ୍ରଦାନ କରାଯିବ । ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ସମେତ ପୁଲିସ ବିଭାଗର ମୋଟ ୧୦ଟି ଏଷ୍ଟାବ୍ଲିସ୍‌ମେଣ୍ଟରେ ଜିମ୍‌ ସେଣ୍ଟର ଖୋଲାଯାଇଛି । ଅଫିସର ଏବଂ ବାଟାଲିୟନ୍‌ର ଫୋର୍ସ ଉକ୍ତ ସେଣ୍ଟରରେ ଦୈନିକ କସରତ କରି ଜିରୋ ଫିଗର୍‌ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ହରିୟାନା ଏବଂ ଭୁବନେଶ୍ୱରକୁ ମିଶାଇ ମୋଟ ୪ଟି ଘରୋଇ ସଂସ୍ଥା ନିକଟରୁ ଟେଣ୍ଡର ମାଧ୍ୟମରେ ଜିମ୍‌ ସେଣ୍ଟରର ସାମଗ୍ରୀଗୁଡ଼ିକ ପୁଲିସ ବିଭାଗ ପକ୍ଷରୁ ଖରିଦ କରାଯାଇଛି। ଏଥିପାଇଁ ପ୍ରାୟ ୪୦ ଲକ୍ଷ ଟଙ୍କା ପୁଲିସ ବିଭାଗ ପକ୍ଷରୁ ଖର୍ଚ୍ଚ କରାଯାଇଛି । ପ୍ରତି ସେଣ୍ଟର ପିଛି ପ୍ରାୟ ୪ ଲକ୍ଷ ଟଙ୍କା ଅର୍ଥ ବରାଦ ହୋଇଛି । କଟକ ବକ୍ସିବଜାରସ୍ଥିତ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ସମେତ କମିସନରେଟ୍‌ ପୁଲିସ, କଟକ ସିଗ୍‌ନାଲ, କଟକ ଗ୍ରାମାଞ୍ଚଳ ପୁଲିସ, ଗଜପତି ଏବଂ ରାଉରକେଲାକୁ ମିଶାଇ ମୋଟ ୧୦ଟି ଏଷ୍ଟାବ୍ଲିସ୍‌ମେଣ୍ଟରେ ସେଣ୍ଟର ଖୋଲାଯାଇଛି । ପ୍ରତି ସେଣ୍ଟରକୁ ମଲ୍‌ଟି ଷ୍ଟେସନ୍‌ ଜିମ୍‌, ଟ୍ରେଡ୍‌ ମିଲ୍‌, ରୋଇଂ ମେସିନ୍‌ ଏବଂ ଇଲେକ୍ଟ୍ରିକାଲ୍‌ ଟ୍ରେନର୍‌ ମେସିନ୍‌ ଦିଆଯାଇଛି। ଏଥିରେ ବ୍ୟାକ୍‌ ପ୍ୟାକ୍‌, ଚେଷ୍ଟ ପ୍ୟାକ୍‌, ଗୋଡ଼, ହାତ ଓ ପେଟର ବ୍ୟାୟାମ ପାଇଁ ବ୍ୟବସ୍ଥା ରହିଛି । ପେଟ କମାଇବା ସହିତ ଓଜନ ହ୍ରାସ ଏବଂ ଆବଶ୍ୟକତା ଅନୁଯାୟୀ ଶରୀରର ଗଢ଼ଣ ଠିକ୍‌ କରାଯାଇପାରିବ। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପୁଲିସ ବିଭାଗରେ ମୋଟ ୪୦ଟି ଏଷ୍ଟାବ୍ଲିସ୍‌ମେଣ୍ଟରେ ଜିମ୍‌ ସେଣ୍ଟର ଖୋଲାଯାଇଛି। ଏଥିରେ ସମସ୍ତ ଜିଲ୍ଲା ଓ୍ଵାରି ପୁଲିସ ଏସ୍‌ପି ମୁଖ୍ୟାଳୟ, ପୁଲିସ ଟ୍ରେନିଂ ସେଣ୍ଟର, ରେଞ୍ଜ କାର୍ଯ୍ୟାଳୟ ଏବଂ ବାଟାଲିୟନ୍‌ଗୁଡ଼ିକୁ ସାମିଲ କରାଯାଇଛି । ଚତୁର୍ଥ ପାଳିରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ସମେତ ଅନ୍ୟାନ୍ୟ ଏଷ୍ଟାବ୍ଲିସ୍‌ମେଣ୍ଟ ପାଇଁ ମଧ୍ୟ ଉପକରଣ ଖରିଦ୍‌ କରାଯାଇଛି।

ସମ୍ବନ୍ଧିତ ଖବର