ବିଶ୍ୱ ପୋଲିଓ ଦିବସରେ ବିଶାଳ ମାନବ ପାଦ ଚିହ୍ନ

ଏସିଆ ଓ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନିତ

ବ୍ରହ୍ମପୁର: ବିଶ୍ୱ ପୋଲିଓ ଦିବସ ଅବସରରେ ବ୍ରହ୍ମପୁର ରୋଟାରି କ୍ଲବ ପକ୍ଷରୁ ଏକ ଅଭିନବ ପ୍ରୟାସ କରା ଯାଇଥିଲା ଯାହା ବିରଳ ରେକର୍ଡ଼ ସୃଷ୍ଟି କରିଛି। ପୋଲିଓ ମୁକ୍ତ ସଚେତନତା ସୃଷ୍ଟି ଲାଗି ମାନବ ଶୃଙ୍ଖଳରେ ଗଢ଼ା ୧୩୨x୫୩ ବର୍ଗଫୁଟର ଏକ ବିଶାଳ ମାନବ ପାଦ ଚିହ୍ନ ପ୍ରଦର୍ଶିତ ହୋଇଥିଲା। ବ୍ରହ୍ମପୁର ଷ୍ଟାଡିୟମରେ ଏହି ମାନବ ପାଦ ଚିହ୍ନ ପାଇଁ ଛିଡ଼ା ହୋଇଥିଲେ ସେଣ୍ଟ ଭିନ୍‌ସେଣ୍ଟ କନଭେଣ୍ଟ ସ୍କୁଲ, ବେଦବ୍ୟାସ ଓ ଦିଲ୍ଲୀ ପବ୍ଲିକ୍‌ ସ୍କୁଲର ମୋଟ ୧୭୨୯ ଜଣ ଛାତ୍ରଛାତ୍ରୀ। ଏକ ଘଣ୍ଟା ଅବଧି ମଧ୍ୟରେ ପାଦ ଚିହ୍ନ ଆକାରରେ ମାନବ ପାଦଚିହ୍ନ ଗଠନ ଲାଗି ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ମାତ୍ର ୩୪ ମିନିଟ୍‌ ୧୩ ସେକେଣ୍ଡ ସମୟ ନେଇଥିଲେ ଅଂଶଗହଣକାରୀ। ୫ ମିନିଟ୍‌ ପାଇଁ ଏହା ପ୍ରଦର୍ଶିତ ହୋଇଥିଲା। ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ସ୍‌ ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ଭୂଷଣ ଚୌହାନ୍‌, ଏସିଆ ବୁକ୍‌ ଅଫ୍‌ ରେକର୍ଡ଼ସର ପର୍ଯ୍ୟବେକ୍ଷକ ଭାବେ ସାନ୍ତନୁ ଚୌହାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ତଦାରଖ କରିଥିଲେ। କାର୍ଯ୍ୟକ୍ରମ ପରେ ଅନୁଶୀଳନ କରାଯାଇ ଏହି ମାନବ ପାଦ ଚିହ୍ନ ଉଭୟ ଏସିଆ ଓ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ସ୍‌ ହାସଲ କରିବାର କୀର୍ତ୍ତିମାନସୃଷ୍ଟି କରିଥିବା ଘୋଷଣା କରା ଯାଇଥିଲା। ବ୍ରହ୍ମପୁର ରୋଟାରି କ୍ଲବର ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହ ସଭାପତି ତାପସ ପାଣିଗ୍ରାହୀଙ୍କୁ ଦୁଇ ପର୍ଯ୍ୟବେକ୍ଷକ ନିଜ ନିଜ ଅନୁଷ୍ଠାନ ପକ୍ଷରୁ ଏହି ବିରଳ କୀର୍ତ୍ତିମାନ୍‌ ସୂଚକ ପ୍ରମାଣପତ୍ର ଓ ମେଡାଲ ପ୍ରଦାନ କରିଥିଲେ। ଏଥିସହ ଗିନିଜ ବୁକ୍‌ ଅଫ୍‌ ରେକର୍ଡ଼ସ୍‌ର ଦୁଇ ଜଣ ପ୍ରତ୍ୟକ୍ଷଦର୍ଶୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆବଶ୍ୟକ ତଥ୍ୟ ପ୍ରମାଣ ସଂଗ୍ରହ କରିଛନ୍ତି।

ସମ୍ବନ୍ଧିତ ଖବର