ରାଜନୀତିରେ ପରିବାର: କିଛି ସଫଳ, କିଛି ବିଫଳ

ଚଳିତ ନିର୍ବାଚନରେ ତିନିଟି ଯାକ ଦଳରେ ପରିବାରବାଦ ଦେଖିବାକୁ ମିଳିଥିଲା। କେଉଁଠି ପରିସ୍ଥିତିରେ ପଡ଼ି ପୁଅ ପାଇଁ ବାପା ନିଜ ଆସନ ଛାଡ଼ି ଦେଇଥିଲେ ତ ଆଉ କେଉଁଠି ଜାଣିଶୁଣି ପୁଅ ପାଇଁ ବାପା ବାଟ ସଫା କରିଥିଲେ। ପୁଣି କେଉଁଠି ବାପା-ପୁଅ ଉଭୟ ମଇଦାନକୁ ଓହ୍ଲାଇଥିଲେ। ଏପରିକି ହେଭିୱେଟ୍‌ ବାପାମାନେ ନିଜ ଝିଅ ପାଇଁ ବି ଲବି କରି ଟିକେଟ୍‌ ନେଇଥିଲେ। କିନ୍ତୁ ସମସ୍ତେ ସଫଳତାର ସ୍ବାଦ ଚାଖି ପାରି ନାହାନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀର ବିଧାନସଭା ଆସନରୁ ଜିତିଥିଲା ବେଳେ ପୁଅ ସମରେନ୍ଦ୍ର ମିଶ୍ର ବଲାଙ୍ଗୀର ‌େଲାକସଭା ଆସନରୁ ହାରିଯାଇଛନ୍ତି। ବିଜେପିରୁ ବାଲିକୁଦା-ଏରସମା ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ଦାମୋଦର ରାଉତ ହାରିଯାଇଥିଲା ବେଳେ ପୁଅ ତଥା ପାରାଦୀପର ବିଜେଡି ପ୍ରାର୍ଥୀ ସମ୍ବିତ ରାଉତ ଜିତିଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇଟି ଯାକ ବିଧାନସଭା ଆସନରୁ ହାରିଥିଲା ବେଳେ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବାଲେଶ୍ବର ଲୋକସଭା ଆସନରୁ ବି ପରାଜିତ ହୋଇଛନ୍ତି। ବିଜେପିର ପାଟଣାଗଡ଼ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ ହାରିଯାଇଥିଲା ବେଳେ ପତ୍ନୀ ସଙ୍ଗୀତା ସିଂହଦେଓ ବଲାଙ୍ଗୀର ଲୋକସଭା ଆସନରୁ ଜିତିଯାଇଛନ୍ତି। କୋରାପୁଟ ଲୋକସଭା ଆସନରୁ ସାଂସଦ ଝିନ୍ନ ହିକ୍କାଙ୍କ ପତ୍ନୀ କୌଶଲ୍ୟା ହିକ୍କା ଓ କଂଗ୍ରେସ ନେତା ରାମଚନ୍ଦ୍ର ଉଲ୍ଲାକାଙ୍କ ପୁଅ ସପ୍ତଗିରି ଉଲ୍ଲାକାଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। କଳାହାଣ୍ଡି ଲୋକସଭା ଆସନର କଂଗ୍ରେସ ପ୍ରାର୍ଥା ଭକ୍ତ ଚରଣ ଦାସ ଓ ତାଙ୍କ ପୁଅ ଭବାନୀପାଟଣା ବିଧାନସଭା ପ୍ରାର୍ଥୀ ସାଗର ଚରଣ ଦାସ ପରାଜୟର ସାମ୍ନା କରିଛନ୍ତି। ସୁନ୍ଦରଗଡ଼ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀ ଓ ତାଙ୍କ ପୁଅ ବୀରମିତ୍ରପୁରର ପ୍ରାର୍ଥୀ ରୋହିତ ଜୋସେଫ ତିର୍କୀ ବି ହାରିଯାଇଛନ୍ତି। ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁ୍ଅ ବାସୁଦେବପୁରର ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ, ପ୍ରଭାତ ତ୍ରିପାଠୀଙ୍କ ପୁ୍ଅ ବାଙ୍କୀର ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ, ପ୍ରଭାତ ବିଶ୍ବାଳଙ୍କ ପୁଅ କଟକ-‌େଚୗଦ୍ବାର ଆସନର ପ୍ରାର୍ଥୀ ସୌଭିକ ବିଶ୍ବାଳ ବିଜୟୀ ହୋଇଛନ୍ତି। ଅନଙ୍ଗ ଉଦୟ ସିଂହଦେଓଙ୍କ ଦୁଇ ପୁଅ ଅର୍କେଶ ସିଂହଦେଓ ଓ କଳିକେଶ ସିଂହଦେଓଙ୍କୁ ଏଥର ପରାଜୟର ସାମ୍ନା କରିବାକୁ ପଡ଼ିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଦୁଇ ଝିଅ ବି ପରାଜୟର ସାମ୍ନା କରିଛନ୍ତି। କଂଗ୍ରେସରୁ ସୁନ୍ଦରଗଡ଼ ବିଧାନସଭା ପ୍ରାର୍ଥୀ ଅମିତା ବିଶ୍ବାଳ ଓ ବିଜେଡିର ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ସୁନିତା ବିଶ୍ବାଳ ଉଭୟ ହାରିଯାଇଛନ୍ତି। ଭଦ୍ରକରେ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ସାଂସଦ ଅର୍ଜୁନ ସେଠୀ ତାଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କୁ ବିଜେପି ଟିକେଟ୍‌ ଦେଇଥିଲେ। କିନ୍ତୁ ସେ ପରାଜୟର ସାମ୍ନା କରିଛନ୍ତି। ସେହିପରି ଏଠାରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅନନ୍ତ ସେଠୀଙ୍କ ଝିଅ ମଧୁମିତା ସେଠୀ ବି ପରାଜିତ ହୋଇଛନ୍ତି। ନିଜେ ଅନନ୍ତ ସେଠୀ ବିଧାନସଭା ନିର୍ବାଚନରେ ପରାଜିତ ହୋଇଛନ୍ତି। ତେବେ ଭଦ୍ରକରେ ବିଜେଡି ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳ ବିଜୟୀ ହୋଇଛନ୍ତି। ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ ବିଜେପିରୁ ବେଗୁନିଆ ବିଧାନସଭା ଆସନର ପ୍ରା‌ର୍ଥୀ ହୋଇ ପରାଜିତ ହୋଇଛନ୍ତି।

ସମ୍ବନ୍ଧିତ ଖବର