ବାଜପେୟୀଙ୍କ ପାଇଁ ଏକାଠି ହେଲେ

ଓଡ଼ିଶା ସ୍ୱାର୍ଥ ପାଇଁ କେବେ?

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାଇଁ ଆଜି ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଏକ ସର୍ବଦଳୀୟ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ବାଜପେୟୀଙ୍କ ପାଇଁ ଆୟୋଜିତ ଏହି ସ୍ମୃତି ସଭା ଓଡ଼ିଶାର ରାଜନୀତିରେ ଝଡ଼ ସୃଷ୍ଟି କରିଛି।  ନିର୍ବାଚନ ବର୍ଷରେ ରାଜନୈତିକ ମହଲରେ ଚର୍ଚ୍ଚା ପାଇଁ ଅନେକ ଖୋରାକ ମଧ୍ୟ ଯୋଗାଇଛି।

ବାଜପେୟୀଙ୍କ ସ୍ମୃତି ସଭା ଆଳରେ ଆଜି ଶାସକ ଓ ବିରୋଧୀ ଦଳ କିଛି ସମୟ ପାଇଁ ସେମାନଙ୍କ ମଧ୍ୟରେ ଥିବା ରାଜନୈତିକ ବିଦ୍ୱେଷ ଭୁଲିଯାଇଥିଲେ। ଗୋଟିଏ ସଭାରେ ଏକାଠି ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ। ଏମାନଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବିଜେଡି ସାଂସଦ, ମନ୍ତ୍ରୀ, ସବୁ ଦଳର ବିଧାୟକମାନେ ମଧ୍ୟ ଏକାଠି ବସିଥିବା ଦେଖାଯାଇଥିଲା।

ସଭାରେ ବାଜପେୟୀଙ୍କ ସ୍ମୃତିଚାରଣ ବ୍ୟତୀତ ଅନ୍ୟ କୌଣସି ରାଜନୈତିକ ପ୍ରସଙ୍ଗ ଆଲୋଚନା ହୋଇନାହିଁ। ମାତ୍ର ଏଭଳି ଏକ ବିରଳ  ସଭା ପ୍ରଶ୍ନ ଉଠାଇଛି ଯେ ଯଦି ବାଜପେୟୀଙ୍କ ସ୍ମୃତି ପାଇଁ ସବୁ ବାଦ ବିବାଦ ଭୁଲିପାରିଲେ, ତେବେ ଓଡ଼ିଶା ସ୍ୱାର୍ଥ ପ୍ରସଙ୍ଗରେ କାହିଁକି ନୁହେଁ?

ଉଲ୍ଲେଖଯୋଗ୍ୟ, ମହାନଦୀ ଓ ପୋଲାଭରମ୍‌ ବିବାଦ ଓଡ଼ିଶା ପାଇଁ ଚିନ୍ତା ବଢ଼ାଇଲାଣି। ଛତିଶଗଡ଼ ଓ ଆନ୍ଧ୍ର ସରକାରଙ୍କ ମନମାନିକୁ କେନ୍ଦ୍ର ସରକାର ସମର୍ଥନ କରିବା ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗଟି ଅତ୍ୟନ୍ତ ଜଟିଳ ରୂପ ଧାରଣ କରିଛି। ହେଲେ ଏହି ପ୍ରସଙ୍ଗରେ ସବୁ ରାଜନୈତିକ ଦଳ ଏକାଠି ହୋଇପାରିଲେ ନାହିଁ। ଏପରିକି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଡାକିଥିବା ସର୍ବଦଳୀୟ ବୈଠକ ସଫଳ ହୋଇପାରିନଥିଲା। ପରିଣାମ ହେଲା, ଓଡ଼ିଶାକୁ ନ୍ୟାୟ ମିଳିବାରେ ବିଳମ୍ବ ହେଲା। ଫାଇଦା ନେଲା ଛତିଶଗଡ଼।

ସେହିଭଳି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ବିଧାନସଭା ଭିତରେ ଦଳମତ ନିର୍ବିଶେଷରେ ନେତାମାନେ ଏକାଠି ହୋଇଥିଲେ। ସଂକଳ୍ପ ପାରିତ ହେଲା। ହେଲେ ବିଧାନସଭା ବାହାରେ ଭିନ୍ନ ସ୍ୱର ଏ ଦାବିକୁ ଦୁର୍ବଳ କରିଦେଇଛି।

ଆର୍ଥିକ ସହାୟତା କ୍ଷେତ୍ରରେ କେନ୍ଦ୍ରୀୟ  ଅବହେଳା ହେଉ କି  ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା, ଏମିତି ଡଜନେରୁ ଅଧିକ ପ୍ରସଙ୍ଗ ରହିଛି, ଯେଉଁଥିରେ ଓଡ଼ିଶାର ସ୍ୱାର୍ଥ ଢେର୍‌ ପ୍ରଭାବିତ ହେଲାଣି। ହେଲେ ଏସବୁ କ୍ଷେତ୍ରରେ ସବୁ ଦଳର ନେତା ଏକାଠି ହୋଇପାରିନାହାନ୍ତି।

ଆଜି ଏହି ସଭାରେ ଯୋଗଦେବା ପରେ ବିଭିନ୍ନ ଦଳର ରାଜନୈତିକ ନେତାଙ୍କୁ ବି ଏକଥାଟି ଘାରିଛି। ସେମାନେ  ସିଧା ସିଧା ପ୍ରଶ୍ନ ଉଠାଇଛନ୍ତି। ଓଡ଼ିଶାର ସ୍ୱାର୍ଥ ପାଇଁ କାହିଁକି ସବୁ ଦଳର ନେତା ଏକାଠି ହୋଇପାରୁ ନାହାନ୍ତି, ତାହାକୁ ବିତର୍କ ଭିତରକୁ ଟାଣିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ବିଶାଳ ଶୋଭଯାତ୍ରାରେ ଅଟଳଙ୍କ ଚିତାଭସ୍ମକୁ ବିସର୍ଜନ କରିଥିଲା ବିଜେପି। ଆଜି ଭୁବନେଶ୍ୱରରେ ସାର୍ବଜନୀନ ଏବଂ ସର୍ବଦଳୀୟ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର