ରାଜନୈତିକ ହିଂସା: ଭୁଜାଲି ମାଡ଼ରେ ୨ କଂଗ୍ରେସ କର୍ମୀ ଗୁରୁତର

ଜଗତସିଂହପୁର ଟାଉନ୍ : ଜଗତ୍‌ସିଂହପୁରରେ ଘଟିଛି ରାଜନୈତିକ ହିଂସା। ଦଳୀୟ ପତାକା ମରାଯିବା ଘଟଣାକୁ କେନ୍ଦ୍ରକରି ଛୁରାମାଡ଼ ହେବାରୁ କଂଗ୍ରେସ ଦଳର ୨ କର୍ମୀ ଗୁରୁତର ଆହତ ହୋଇଛନ୍ତି। ଆହତଦ୍ବୟଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ପୁଲିସ ଆକ୍ରମଣକାରୀଦ୍ବୟଙ୍କୁ ଗିରଫ କରିଛି ଓ ସେମାନେ ବ୍ୟବହାର କରିଥିବା ବାଇକ୍‌କୁ ଜବତ କରିଛି।

ଜଗତସିଂହପୁର ପୌରା‌ଞ୍ଚଳ ୨୦ନମ୍ବର ୱାର୍ଡ ଅନ୍ତର୍ଗତ ମାଧରାହାଟରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁସାରେ, ଗତ ୮ତାରିଖ ଦିନ ଜଣେ କଂଗ୍ରେସ ସମର୍ଥକ ମାଧରାହାଟରେ ହାତଚିହ୍ନ ପତାକା ମାରିଥିଲେ। ମକୁନ୍ଦପୁରର ନିମାଇଁ ଚରଣ ସାହୁଙ୍କ ପୁଅ ଜିତୁ ଓରଫ ଅଜିତ କୁମାର ସାହୁ ଏହାକୁ ବିରୋଧ କରିବା ସହ ପତାକା ଲଗାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଗତକାଲି ଦିନତମାମ ଜିତୁ ଅଣ୍ଟାରେ ଭୁଜାଲି ରଖି ବଜାର ସାରା ଚକ୍କର କାଟିବା ସହ ‘ଯିଏ ପତାକା ଲଗାଇବ ତାକୁ ଜୀବନରୁ ମାରି ଦେବି’ ବୋଲି କହି ବୁଲିଥିଲେ।

ଗତକାଲି ରାତି ପ୍ରାୟ ୧୧ଟା ସମୟରେ କଂଗ୍ରେସ ଓବିସି ସେଲ୍ ନଗର ସଭାପତି ମାଧରାହାଟ ଖର୍ଦାସାହିର ସୂର୍ଯ୍ୟକାନ୍ତ ସାହୁ ଓରଫ ବବୁଲ୍ ଏବଂ ମାଧରାହାଟ ବାଲିସାହିର ବସନ୍ତ କୁମାର ପାତ୍ର ଏକ ପୋଲ ଉପରେ ବସିଥିବା ସମୟରେ ଜିତୁ ଏକ ବୁଲେଟରେ ଆସି ଉଭୟଙ୍କ ସହ ଯୁକ୍ତି କରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ଓ ଜିତୁ ହଠାତ୍‌ ଭୁଜାଲି ବାହାର କରି ବବୁଲ୍‌ଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ବବୁଲ ହଟିଯିବାରୁ ଭୁଜାଲି ବେକ ବଦଳରେ ତାଙ୍କ ବାମପଟ ଗାଲ ଓ ହାତରେ ବାଜିଥିଲା। ପାଖରେ ଥିବା ବସନ୍ତ ଜିତୁଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଜିତୁ ବସନ୍ତଙ୍କ ଜଂଘରେ ଭୁଜାଲି ଭୁସି ଦେଇଥିଲେ। ଚିତ୍କାର ଶୁଣି ପାଖରେ ଥିବା ଲୋକମାନେ ଦୌଡ଼ି ଆସିବାରୁ ଅଭିଯୁକ୍ତ ଜିତୁ ଗାଡ଼ି ଛାଡ଼ି ଫେରାର ହୋଇ ଯାଇଥିଲେ। ଆହତ ଦୁଇଜଣଙ୍କୁ ଜଗତସିଂହପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ବବୁଲଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଆହତ ବସନ୍ତ ଏ ନେଇ ଜଗତସିଂହପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୨୯୪/୩୦୭/୩୨୬ ଓ ୩୨ ଆଇପିସି ଧାରାରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଜିତୁଙ୍କୁ ଗିରଫ କରିଛି।

ଏହାକୁ ନେଇ ଜଗତସିଂହପୁର ରାଜନୈତିକ ଉତ୍ତେଜନା ପ୍ରକାଶ ପାଇଛି। କଂଗ୍ରେସ ଏହି ଆକ୍ରମଣ ପାଇଁ ବିଜେଡିକୁ ଦାୟୀ କରିଛି। କଂଗ୍ରେସ ଜିଲ୍ଲା ସଭାପତି ନଟବର ବାରିକ ଅଭିଯୋଗ କରିଛନ୍ତି ଯେ, ଏ ପର୍ଯ୍ୟନ୍ତ ଜଗତସିଂହପୁରରେ ରାଜନୈତିକ ହିଂସା ଘଟି ନଥିଲା। ବିଜେଡିର ବିଧାୟକ ପ୍ରାର୍ଥୀ ମଇଦାନକୁ ଆସିବା ପରେ ହିଂସା ଆରମ୍ଭ ହୋଇଛି। ଲୋକଙ୍କୁ ଭୟଭୀତ କରିବା ପାଇଁ ବିଜେଡି ଏପରି କରିଛି ବୋଲି ସେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗିରଫ ଅଭିଯୁକ୍ତ ଜିତୁଙ୍କ ନାଁରେ ପୂର୍ବରୁ ମାମଲା ରହିଛି। ସେ ପ୍ରତିଥର ନିର୍ବାଚନ ସମୟରେ ଏଭଳି ହିଂସାକାଣ୍ତ ଘଟାଇଥାଆନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର