ଚିକିଟିରେ ରାଜନୈତିକ ହିଂସା : ଜଣେ ନାବାଳକ ମୃତ, ୮ ଆହତ

ପାତ୍ରପୁର/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ତଳୀ ପାତ୍ରପୁର ବ୍ଳକ ତଣ୍ତିପୁର ପଞ୍ଚାୟତ ଅନ୍ତର୍ଗତ ଖଇର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ରାଜନୈତିକ ହିଂସା। ସଂଘର୍ଷରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରେ ମାରଣାନ୍ତକ ଆକ୍ରମଣ କରିବା ଫଳରେ ଆଠ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ନାବାଳକ ଜଣକ ହେଲେ ଉକ୍ତ ଗ୍ରାମର ଗଣେଶ ପ୍ରଧାନଙ୍କ ପୁଅ ପବିତ୍ର ଓରଫ ରାଜା(୧୫)। ଆହତ ମାନେ ହେଲେ ବିଶୁ ସେଠୀ, ମହେନ୍ଦ୍ର ପ୍ରଧାନ, ମନୋଜ ପ୍ରଧାନ, ଅର୍ଜୁନ ପ୍ରଧାନ, ଅଞ୍ଚଳ ପ୍ରଧାନ, ରବିନ୍ଦ୍ର ପ୍ରଧାନ, ଆଲୋକ ପ୍ରଧାନ। ଏ ଘଟଣା ପରେ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ପୁଲିସ ପହଞ୍ଚି ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛି।

ଗଞ୍ଜାମ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ‌ଶେଷ‌ ହୋଇଥିଲା। ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିବା ବେଳେ ଜିଲ୍ଲାର ଚିକିଟି ନିର୍ବାଚନୀମଣ୍ଡଳୀରେ ନିର୍ବାଚନ ପରବର୍ତ୍ତୀ ଗୋଟିଏ ପରେ ଗୋଟିଏ ରାଜ‌ୈନତିକ ହିଂସା ଘଟିବାରେ ଲାଗିଛି। ତଣ୍ଡିପୁର ପଞ୍ଚାୟତର ଖଇର ଗ୍ରାମରେ ଦୁଇ ରାଜ‌ନୈତିକ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। କୁହୁଳୁଥିବା ପୂର୍ବ ରାଜନୈତକ ବିବାଦରୁ ଏହି ହିଂସାକାଣ୍ଡ ଘଟିଛି। ମଙ୍ଗଳବାର ଗ୍ରାମରେ ଗ୍ରାମ୍ୟ ଠାକୁରାଣୀଙ୍କ ଯାତ୍ରା ପାଇଁ ରାଧାକୃଷ୍ଣ ମନ୍ଦିରରେ ପ୍ରସ୍ତୁତି ବୈଠକ ଚାଲିଥିଲା। ବୈଠକକୁ ଗୋଟିଏ ଗୋଷ୍ଠୀର ଲୋକ ଆସି ନ ଥିଲେ। ସେମାନ ବୈଠକ ସ୍ଥଳ ଠାରୁ କିଛି ଦୂରରେ ରହି ପାଟିତୁଣ୍ଡ କରୁଥିଲେ। ଏ ସମୟରେ ଗ୍ରାମ କମିଟି ସହିତ ଗ୍ରାମବାସୀ ସେଠାରେ ପହଞ୍ଚି ଥିଲେ। କାହିଁକି ପାଟିତୁଣ୍ଡ ଓ ଗଣ୍ଡଗୋଳ କରୁଛ ବୋଲି କହି ବୁଝାସୁଝା କରିଥିଲେ। କିନ୍ତୁ ଆଗରୁ ପ୍ରସ୍ତୁତ ରହିଥିବା ଉକ୍ତ ଗୋଷ୍ଠୀର ଲୋକମାନେ କିଛି ନ ଶୁଣି ଖଣ୍ତା ଓ ଠେଙ୍ଗାରେ ସେମାନଙ୍କ ଉପରେ ଆକ୍ରମଣ କରି ଦେଇଥିଲେ। ଏ ସମୟରେ ପବିତ୍ର ପ୍ରଧାନ ଓରଫ ରାଜାଙ୍କ ମୁଣ୍ଡକୁ ଲୁହାରଡ଼ରେ ଆକ୍ରମଣ ହେବାରୁ ସେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ତାଙ୍କ ବାପା ଗଣେଶ ଉଠାଇଥିବା ବେଳେ ତାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଉତ୍ତ୍ୟକ୍ତ ଲୋକମାନେ ଖଣ୍ଡା ଓ ଲୁହାରଡ଼ରେ ଜଣେ ପରେ ଜଣକୁ ଗୋଡ଼ାଇ ଆକ୍ରମଣ କରିଥିଲେ। ଗୁରୁ୍ତର ଆହତ ପବିତ୍ରଙ୍କୁ ସଙ୍ଗେ ସଙ୍ଗେ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା। ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା। କିନ୍ତୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ବର ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଭୁବନେଶ୍ବର ନେବା ରାସ୍ତାରେ ପବିତ୍ର ଓରଫ ରାଜାଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ବାପା ଗଣେଶଙ୍କ ଅଭିଯୋଗ କ୍ରମେ ଜରଡ଼ା ଥାନରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଶବ ଜବତ କରି ବ୍ୟବଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପୁଲିସ କାହାକୁ ଗିରଫ କରିନାହିଁ। ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର